ଜାନୁଆରୀ ୧୦ ସୁଦ୍ଧା ଦଶପଲ୍ଲାକୁ ରେଳ ନଗଡ଼ିଲେ ୧୪ ତାରିଖରୁ ରେଳ ରୋକ ସହିତ ଜୋରଦାର ଆନ୍ଦୋଳନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଆସନ୍ତା ଜାନୁଆରୀ ୧୦ ସୁଦ୍ଧା ଦଶପଲ୍ଲାକୁ ରେଳ ନଗଡ଼ିଲେ ୧୪ ତାରିଖରୁ ରେଳ ରୋକ ସହିତ ଜୋରଦାର ଆନ୍ଦୋଳନର ଚେତାବନୀ ଦେଇଛି ନୟାଗଡ଼ ନାଗରିକ ମଞ୍ଚ । ପୂର୍ବ ନିଷ୍ପତ୍ତି ମୁତାବକ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଦଶପଲ୍ଲାକୁ ତୁରନ୍ତ ଟ୍ରେନ ଚଳାଚଳ ଦାବିରେ ନୟାଗଡ଼ ଟାଉନ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଦଶପଲ୍ଲା ସଚେତନଶୀଳ ନାଗରିକ ମଞ୍ଚ ମଧ୍ୟ ସାମିଲ ହୋଇଥିଲା । ସୂଚନା ଯୋଗ୍ୟ ଯେ ଦଶପଲ୍ଲା ରେଳ ଷ୍ଟେସନର ନିର୍ମାଣ କାର୍ଯ୍ୟଗତ ୫ମାସ ତଳୁ ସମ୍ପୁର୍ଣ୍ଣ ହୋଇ ସାରିଥିବା ବେଳେ ଅଦ୍ୟାବଧି ରେଳ ଚଳାଚଳ ହେଉନାହିଁ । ଏ ନେଇ ଗତ ଜୁଲାଇ ମାସରେ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ରେଳ ଷ୍ଟେସନରେ ଆନ୍ଦୋଳନ କରାଯାଇଥିବା ବେଳେ ପୂର୍ବତଟ ରେଳ ବିଭାଗର ଡିଭିଜନାଲ ବାଣିଜ୍ୟ ପ୍ରବନ୍ଧକ ଗିରିଶ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶୃତି ଦେବା ସହିତ ଏକମାସ ମଧ୍ୟରେ ଦଶପଲ୍ଲାକୁ ଟ୍ରେନ ଚଳାଚଳ କରିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ । ଇତି ମଧ୍ୟରେ ଦଶପଲ୍ଲା ଷ୍ଟେସନର ସମସ୍ତ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇ ସାରିଥିବା ବେଳେ ରାଜନୈତିକ ଅଭିସନ୍ଧି ରଖି ବିଳମ୍ବ କରାଯାଉଥିବା ଆଲୋଚନା ହେଉଛି । ତେବେ ଜାନୁଆରୀ ୧୦ ତାରିଖ ସୁଦ୍ଧା ଦଶପଲ୍ଲାକୁ ଟ୍ରେନ ଚଳାଇବାକୁ ନୟାଗଡ଼ ନାଗରିକ ମଞ୍ଚ ଦାବି କରିଥିବା ବେଳେ ଏଥିରେ ବ୍ୟତିକ୍ରମ ହେଲେ ୧୪ ତାରିଖରେ ରେଳ ରୋକ ସହିତ ନୟାଗଡ଼ ଏବଂ ଦଶପଲ୍ଲାର ନାଗରିକ ମାନଙ୍କୁ ନେଇ ଜୋରଦାର ଗଣ ଆନ୍ଦୋଳନ କରାଯିବ ବୋଲି ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁ ଦୃଢ଼ ଚେତାବନୀ ଦେଇଛନ୍ତି ।ଅନ୍ୟାନ୍ୟ ଦାବି ଗୁଡ଼ିକ ମଧ୍ୟରେ ନୟାଗଡ଼ ଟାଉନ ଷ୍ଟେସନରେ ଅପେକ୍ଷାରତ ଯାତ୍ରୀଙ୍କ ପାଇଁ ବିଶ୍ରାମସ୍ଥଳୀର ସଂପ୍ରସାରଣ,ନୟାଗଡ଼ରୁ କଲିକତା ଏବଂ ବିଶାଖାପାଟଣାକୁ ଟ୍ରେନ ଚଳାଚଳ ଆରମ୍ଭ କରିବା, ନୟାଗଡ଼-ଖଣ୍ଡପଡ଼ା ରାସ୍ତାରେ ନିର୍ମାଣଧିନ ଓଭରବ୍ରିଜ, ରେଳ ଷ୍ଟେସନରେ ନିର୍ମାଣାଧିନ ଫୁଟ ଓଭରବ୍ରିଜ ଏବଂ ଦ୍ୱିତୀୟ ପ୍ଲାଟଫର୍ମ କାର୍ଯ୍ୟ ତୁରନ୍ତ ଶେଷ କରିବା, ରାଜ୍ୟ ରାଜପଥରୁ ଷ୍ଟେସନକୁ ସଂଯୋଗ କରୁଥିବା ରାସ୍ତାର ମରାମତି ତଥା ଭୁବନେଶ୍ୱରଠାରେ ନୂଆଗାଁ ରୋଡ଼ ଏବଂ ଭଦ୍ରକ ଟ୍ରେନ ମଧ୍ୟରେ ରହୁଥିବା ୧୦ ମିନିଟ ବ୍ୟବଧାନକୁ ଏକଘଣ୍ଟା ବୃଦ୍ଧି କରିବା ଆଦି କରାଯାଇଥିଲା । ଆଜିର ଆନ୍ଦୋଳନରେ ନୟାଗଡ଼ ନାଗରିକ ମଞ୍ଚପକ୍ଷରୁ ଉପ ସଭାପତି ପ୍ରଦୀପ କୁମାର ସାହୁ, ଯୁଗ୍ମ ସଂପାଦକ ପ୍ରଶାନ୍ତ ପଟ୍ଟନାୟକ, ନିର୍ମଳ ଶୂରଦେଓ, ପ୍ରଦୀପ୍ତ ଡାକୁଆ, ଲକ୍ଷ୍ମୀଧର ମହାପାତ୍ର, ପ୍ରଫୁଲ୍ଲ ନାୟକ, ଗୋକୁଳ ଷଡ଼ଙ୍ଗୀ, ପ୍ରଦ୍ୟୁମ୍ନ ନନ୍ଦ, ସମାଜସେବୀ ଦାମୋଦର ସାହୁ, ବରିଷ୍ଠ ନାଗରିକ ତ୍ରିନାଥ ସାହୁ, ନିରଂଜନ ମିଶ୍ର, ପୂର୍ଣ୍ଣଚନ୍ଦ୍ର ଶତପଥି, ଅବଦୁଲ ଆହାଦ ଏବଂ ଦଶପଲ୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ପ୍ରଶାନ୍ତ କୁମାର ସାହୁ, ପ୍ରମୋଦ ମହାପାତ୍ର, ଗଦାଧର ବେହେରାଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ସଚେତନ ନାଗରିକ ସାମିଲ ହୋଇ ରେଳ ବିଭାଗର ଅବହେଳା ବିରୁଦ୍ଧରେ ପ୍ରତିବାଦ କରିଥିଲେ ।

Leave a Reply

Your email address will not be published. Required fields are marked *