ଚିଲିକା ରେ ଆଜି ହେବ ପକ୍ଷୀ ଗଣନା ଓ ୨୦ ତାରିଖରେ ହେବ ଡଲଫିନ୍ ଗଣନା : ସାମିଲ ହେବେ ୨୧ ଟି ଟିମ୍ !!!

0
205

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସୁଦୂର ବରଫାବୃତ୍ତ ରାଷ୍ଟ୍ରଅଞ୍ଚଳରୁ ଚିଲିକାକୁ ବେଦେଶାଗତ ପକ୍ଷୀଙ୍କ ସୁଅ ଛୁଟିବାରେ ଲାଗିଛି। ରବିବାର ସୁଦ୍ଧା ଚିଲିକାରେ ୧୧୮ ପ୍ରଜାତିର ୯ ଲକ୍ଷରୁ ଉର୍ଦ୍ଧ୍ବ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି। ବିଦେଶୀ ପକ୍ଷୀଙ୍କ ମଧ୍ୟରେ ୟୁରାସିଆନ ୟୁଜିଆନ ପ୍ରଜାତିର ୧ ଲକ୍ଷ ୨୦ହଜାର, ନର୍ଦ୍ଧନ ପିଣ୍ଟେଲ ୮୧ହଜାର, ଗଡୱାଲ ୭୫ହଜାର, ସୋଭଲର ୬୫ ହଜାର ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆକର୍ଷଣୀୟ ପ୍ଲେମିଙ୍ଗୋ (ଏରା) ପକ୍ଷୀ ୩୫୦ ଟି ଦୃଷ୍ଟି ଗୋଚର ହୋଇଛନ୍ତି। ପ୍ରତିବର୍ଷ ଭଳି ଜାନୁୟାରୀ ୪ ରୁ ଚିଲିକାରେ ପକ୍ଷୀ ଗଣନା ଏବଂ ୨୦ ତାରିଖ ରେ ଇରାୱାଡ଼ି ପ୍ରଜାତିର ଡଲଫିନ୍ ଗଣନା ହେବ ବୋଲି ରବିବାର ବାଲୁଗାଁ ଚିଲିକାକୂଳ ସ୍ଥିତ ବନ୍ୟପ୍ରାଣୀ ବିଭାଗୀୟ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଏଫ୍ଓ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି। ଆସନ୍ତା ୩ ତାରିଖରେ ଚନ୍ଦ୍ରାପୁଟ ସ୍ଥିତ ସିଡିଏ ଗବେଷଣା କେନ୍ଦ୍ରଠାରେ ପକ୍ଷୀ ଗଣନା କାରୀଙ୍କୁ ତାଲିମ ଦିଆଯିବ। ବନ୍ୟପ୍ରାଣୀ ବିଭାଗ ଅଧୀନ ୫ଟି ରେଞ୍ଜ ବାଲୁଗାଁ, ଟାଙ୍ଗୀ, ରମ୍ଭା, ସାତପଡ଼ା ଏବଂ ଚିଲିକା ଅଞ୍ଚଳରେ ଏହି ପକ୍ଷୀ ଗଣନା ହେବ । ଚିଲିକାକୁ ୨୧ଟି ସେକ୍ଟରରେ ବିଭକ୍ତ କରାଯାଇ ୨୧ଟି ଗଣନାକାରି ଗ୍ରୁପଙ୍କୁ ସାମିଲ କରାଯିବ। ୪ ତାରିଖ ଭୋରୁ ୨୧ଟି ଗଣନାକାରି ଟିମ୍ ଗଣନା କରିବେ। ପ୍ରତି ଟିମ୍ ରେ ଜଣେ ଅଭିଜ୍ଞ ପକ୍ଷୀ ବିଶାରଦ ଙ୍କ ସମେତ ୫ଜଣ ସଦସ୍ୟ ରହିବେ। ପ୍ରତ୍ୟେହ ଟିମ୍ କୁ ଗଣନା କାର୍ଯ୍ୟ ପାଇଁ ଜିପିଏସ, ବାଇନାକୁଲାର ଓ ୱାକିଟକି ଯୋଗାଇ ଦିଆଯିବ। ଭୋର ୬ ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯିବ। ସେହିପରି ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଆନୁକୁଲ୍ୟରେ ଆସନ୍ତା ୨୦ ତାରିଖରେ ଚିଲିକାରେ ଡଲଫିନ୍ ଗଣନା ହେବ। ଏଥିପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ୧୮ଟି ଗ୍ରୁପ ଏହି ଡଲଫିନ୍ ଗଣନାରେ ନିୟୋଜିତ ହେବେ। ୧୯ ତାରିଖରେ ଗଣନାକାରି ଙ୍କୁ ପଶିକ୍ଷଣ ଦିଆଯିବ । ତେବେ ପକ୍ଷୀ ଏବଂ ଡଲଫିନ୍ ଙ୍କ ବିଚରଣ ରେ ଯେପରି ବାଧା ନ ଉପଜିବ ସେଥିପାଇଁ ଗଣନା ର ଦୁଇଦିନ ପୂର୍ବରୁ ନଳବଣ ଏବଂ ଡଲଫିନ୍ ଅଭୟାରଣ୍ୟ ସାତପଡ଼ା ଅଞ୍ଚଳକୁ ଡଙ୍ଗା ଚଳାଚଳ ଏବଂ ପର୍ଯ୍ୟଟକ ଙ୍କୁ ବାରଣ କରାଯାଇଛି । ସାତପଡ଼ାରେ ୮ ଟି ଏବଂ ବାଲୁଗାଁ ରେ ୧୦ ଟି ଟିମ୍ ଡଲଫିନ୍ ଗଣନା କରିବେ ବୋଲି ବିଭାଗ ପକ୍ଷରୁ କୁହା ଯାଇଛି।।

LEAVE A REPLY

Please enter your comment!
Please enter your name here