ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ – ୨୦୨୪ ଉଦଘାଟିତ : ସମ୍ବର୍ଦ୍ଧିତ ହେଲେ ବାଣପୁର ମଣ୍ଡଳର ଓଡ଼ିଆ ଭାଷା ସାହିତ୍ୟର ସମସ୍ତ କବି ଓ ଲେଖକ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଭାରତ ବର୍ଷର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଆମ ଓଡ଼ିଶା ର ଶାସ୍ତ୍ରୀୟ ମାନ୍ୟତା ଲାଭ କରିଥିବା ପ୍ରାଚୀନ ଭାଷା ମଧ୍ୟରୁ ଅନ୍ୟତମ ଆମ ପ୍ରିୟ ମାତୃଭାଷା ଓଡ଼ିଆ ଭାଷାର “ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ” ଶନିବାର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଅକ୍ଷର ଧାମ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆନନ୍ଦ ଉଲ୍ଲାସର ସହିତ ଉଦ୍‌ଘାଟିତ ହୋଇଥିବାବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ତଥା ବାଣପୁର ମଣ୍ଡଳର ଓଡ଼ିଆ ଭାଷା ସାହିତ୍ୟର ସମସ୍ଥ କବି, ଗାଳ୍ପିକ, ଗୀତିକାର, ନାଟ୍ୟକାର ,ସ୍ତମ୍ବକାର, ପ୍ରାବନ୍ଧିକ, ଗବେଷକଙ୍କୁ ବାଣପୁର ମଣ୍ଡଳ ସଭାଗୃହରେ ସମ୍ବର୍ଦ୍ଧିତ କରାଯାଇଛି I ବାଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଶୀତଲ ଅଗ୍ରୱାଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସମାରୋହର ପ୍ରାରମ୍ଭରେ ପ୍ରଥମେ ଉତ୍କଳର ଜାତୀୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ “ସାମୁହିକ ଭାବେ ଗାନ କରାଯାଇଥିଲା । ପରେ ଶ୍ରୀମତୀ ଅଗ୍ରୱାଲ ସମାରୋହର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋପାତ କରି ଆଜିର ଦିବସକୁ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିବସ ଭାବରେ ବର୍ଣ୍ଣନା କରି ଓଡ଼ିଆ ସାହିତ୍ୟ ଭଣ୍ଡାର କୁ ରୁଦ୍ଧିମନ୍ତ କରିଥିବା ବାଣପୁର ମାଟିର ସେହି ସାରସ୍ଵତ ପ୍ରତିଭା ଧରଙ୍କ ପ୍ରତିଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ବାଣପୁର ମାଟିରେ ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ନିମନ୍ତେ ବ୍ୟକ୍ତିଗତ ଭାବେ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ଘୋଷଣା କରି ସମସ୍ଥ ସାହିତ୍ୟକ ବନ୍ଧୁ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ ଏହି ସମ୍ମିଳନୀରେ “ଭାଷା ହିଁ ଭବିଷ୍ୟତ” ଉପରେ ଆଲୋଚନା କରାଯାଇ ଏ ମାଟିରେ ଜନ୍ମ ଗ୍ରହଣ କରିଥିବା ପ୍ରାଚୀନ କାବ୍ୟ “ସର୍ବାଙ୍ଗ ସୁନ୍ଦରୀ'” ର ପ୍ରଖ୍ୟାତ କବି ପାତ୍ରଲୋକନାଥ ବିଦ୍ୟାଧର, କବି ରଘୁନାଥ ହରିଚନ୍ଦନ,କବିଗୌରଚନ୍ଦ୍ର ମାନସିଂହ, ଦାଶରଥି କବିଚ଼ନ୍ଦ୍ର ଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଶାର କବି ଗୋଦାବରୀଶ ମିଶ୍ର, ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ର, ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ନାଟ୍ୟକାର ପର୍ଶୁରାମ ହରିଚନ୍ଦନ ଙ୍କ ସମେତ ଅନେକ ସାରସ୍ଵତ ପ୍ରତିଭାଧରଙ୍କ କାଳଜୟୀ ସୃଷ୍ଟି ଓଡ଼ିଆ ଭାଷା ସାହିତ୍ୟକୁ ଚ଼ିର ଉଜ୍ବଳ କରୁଥିବ ବୋଲି ବର୍ଣ୍ଣନା କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏଭଳି ସାଧୁ ପ୍ରୟାସ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥିଲା ।ଏହି ଅବସରରେ କବି ଶିବମିଶ୍ର, ସଂଗ୍ରାମ କେଶରୀ ସାହୁ, ଆନନ୍ଦ ଚନ୍ଦ୍ର ସେନାପତି, ରଙ୍କନାଥ ସେଠୀ ରମେଶ ମହାପାତ୍ର, ଓମ ପ୍ରକାଶ ଅଗ୍ରୱାଲ, ଡ଼ା ସୁରେନ୍ଦ୍ର ଦାସ, ଶେଷ ଦେବ ମହାରଣା, ଲକ୍ଷ୍ମୀପ୍ରସାଦ ମିଶ୍ର, ସର୍ବେଶ୍ଵର ଷଡ଼ଙ୍ଗୀ,ଦେବାଶିଷ ପଟ୍ଟନାୟକ, କବୟତ୍ରୀ ଶ୍ରୀମତୀ କୃଷ୍ଣା ମିଶ୍ର,ସ୍ତମ୍ବକାର ନୃସିଂହ ପ୍ରସାଦ ମିଶ୍ର, ପ୍ରଦୋଷ କୁମାର ଦାସ, ନାଟ୍ୟକାର ଭିକାରୀଚରଣ ପ୍ରଧାନ,ମହେଶ୍ୱର ଜେନା, ଗାଳ୍ପିକ ରାମଚ଼ନ୍ଦ୍ର ସେଠୀ, ରାଜେନ୍ଦ୍ର ପ୍ରସାଦ ରଥ ଓ ଗୀତିକାର ସୁରେଶ ଚନ୍ଦ୍ର ବିଗ୍ରହଙ୍କୁ ଉପଢ଼ୌକନ ଓ ପ୍ରଶଂସାପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଆଗାମୀ ଦିନରେ ଚ଼ିଲିକା ସାହିତ୍ୟ ସମାଜ ତରଫରୁ ଯୁବ ଲେଖକ ମାନଙ୍କୁ ଉତ୍ସାହିତ କରିବାକୁ ବାଣପୁରରେ ଏକ ପୁସ୍ତକମେଳାର ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା ।।

Leave a Reply

Your email address will not be published. Required fields are marked *