ଫଗୁ ଦଶମୀରୁ ଆରମ୍ଭ ହେଲା ଦୋଳଯାତ୍ରା : ଅବିର ଲାଗି ପରେ ମା’ ଭଗବତୀଙ୍କ ପୀଠ ଚ଼ଳଚ଼ଞ୍ଚଳ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବସନ୍ତ ଋତୁର ବଡ଼ ପର୍ବ ଦୋଳଯାତ୍ରା । ବସନ୍ତ ରାସ ସହିତ ଫଗୁ ବା ଅବୀର ଖେଳର ଯାତ୍ରା ଭାବରେ ଉତ୍କଳର ପୁରପଲ୍ଲୀ ଚ଼ଳଚ଼ଞ୍ଚଳ ହୋଇଉଠେ। ଦୋଳଗୋବିନ୍ଦ ଶ୍ରୀଦେବୀ ଭୂଦେବୀଙ୍କ ସହିତ ସମସ୍ତ ଦେବାଦେବୀ ଦୋଳ ବିମାନ ରେ ବସି ଦ୍ଵାରା ଦ୍ଵାର ବୁଲି ଚ଼ାଚ଼େରୀ ଭୋଗ ଖାଇବା ସହିତ ଦୋଳିରେ ବସି ଝୁଲିବା ର ଏହି ଆଧ୍ୟାତ୍ମିକ ଉତ୍ସବ ପ୍ରାଚୀନ କାଳରୁ ଉତ୍କଳରେ ପାଳିତ ହୋଇ ଆସୁଥିବା ବେଳେ ମା’ଭଗବତୀଙ୍କ ପୀଠ ବାଣପୁରରେ ଏହି ଯାତ୍ରା ନିଆରା ଢଙ୍ଗରେ ପାଳିତ ହୁଏ। ଫାଲ୍ଗୁନ ଶୁକ୍ଳ ଦଶମୀ ଭିତର ଫଗୁ ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା, ବେଶ, ମହାପ୍ରସାଦ ଲାଗି ପରେ ବଲ୍ଲଭ ଆଳତୀ, ହୋଇ ଅବୀର ସହିତ ଚ଼ଣା ଶାକର ଲାଗିପରେ ମଧ୍ୟାହ୍ନ ଧୂପ ହୋଇ ପହୁଡ଼ । ସଂଧ୍ୟାରେ ନିଶଙ୍କୁଡ଼ି ଧୂପ,ଆଳତି, ବଡ଼ସିଂହାର ଧୂପ ପରେ ପହୁଢା ଶୁକ୍ଳ ଏକାଦଶୀରେ ରାତ୍ର ବଡ଼ସିଂହାର ପରେ ମା’ଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ, ଶ୍ରୀ ଶ୍ରୀଦକ୍ଷେଶ୍ଵରଦେବ, ଶ୍ରୀ ଶ୍ରୀ ରଙ୍କନାଥ ଦେବ ଶ୍ରୀଶ୍ରୀ ରଘୁନାଥ ଦେବଙ୍କ ସହିତ ଦକ୍ଷେଶ୍ଵର ମନ୍ଦିର ଠାରୁ ସମ୍ମିଳିତ ଭାବରେ ସିଧାସିଧା ବାଜା ରୋଷଣି ସହିତ ପୂର୍ବ ଦିଗରେ ଅବସ୍ଥିତ ବିଷରପାଟଣା ପର୍ଯନ୍ତ ଯାତ୍ରାକରି ଫେରିବା ବାଟରେ ପରିଛା ସାହି ର ପିତ୍ରାଳୟ ପରିଛା ସାଆନ୍ତଙ୍କ ଦୁଆରେ ମାନଙ୍କରେ ଚ଼ାଚ଼େରୀ ଭୋଗସାରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି I ସେହିପରି ଶୁକ୍ଳ ଦ୍ଵାଦଶୀ ତିଥିର ରାତ୍ରବଡ଼ସିଂହାରପରେ ମା’ଭଗବତୀ ଶ୍ରୀଦକ୍ଷେଶ୍ଵର , ଶ୍ରୀ ରଙ୍କନାଥ,ଶ୍ରୀ ରଘୁନାଥ ଦେବଙ୍କ ସହିତ ଦକ୍ଷେଶ୍ଵର ମନ୍ଦିରରୁ ବିଜେ କରି ପଶ୍ଚିମଦିଗରେ ଅବସ୍ଥିତ ମା’ଭଗବତୀ ମନ୍ଦିର ପର୍ଯ୍ୟନ୍ତ ଥାଟ ପଟୁଆରରେ ଯାତ୍ରା କରି ସେଠାରୁ ଦକ୍ଷେଶ୍ଵର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି। ଶୁକ୍ଳ ତ୍ରୟୋଦିଶି ତିଥିରେ ପୁଣି ମା’କାଠି ଠାକୁରାଣୀ ପୂର୍ବ ଦିନ ପରି ବିଷର ପାଟଣା ପର୍ଯ୍ୟନ୍ତ ଯାତ୍ରାକରି ଫେରିବା ବାଟରେ ପରିଛା ସାଆନ୍ତଙ୍କ ଦୁଆରେ ଚାଚେରୀ ଭୋଗ ସାରି ଫେରିଆସିବା ସମୟରେ ବାଣପୁର ନିକଟସ୍ଥ ଅଚ୍ୟୁତରାଜପୁର, ଶ୍ରୀନିବାସପୁର, ତୁଳସୀ ଦେଇ ପୁର, ପାଟପୁର, କୋଟ ବିଦ୍ୟାଧରପୁର, ଗୋପାଳପୁର ଇତ୍ୟାଦି ଶାସନବାଡ଼ି ସହିତ ଖୁଣ୍ଟପଲ୍ଲୀର ଠାକୁର ମାନେ ଥାଟ ପଟୁଆର ବାଣରୋଶଣୀ ସହିତ ମଧ୍ୟରାତ୍ର ପରେ ମିଳିତ ହୋଇ ମା’ଭଗବତୀଙ୍କୁ ଚତୁର୍ଦ୍ଦଶୀ ଯାତ୍ରା ନିମନ୍ତେ ନିମନ୍ତ୍ରଣ ଧରି ବାଣପୁର ବଜାର ସାହି ଠାରେ ଆସି ଅପେକ୍ଷା କରିଥିବା ସମୟରେ ମା’ କାଠି ଠାକୁରାଣିଙ୍କୁ ସାଥିରେ ନେଇ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ଯାତ୍ରା କରି ସେଠାରେ ସମସ୍ତ ଦେବାଦେବୀଙ୍କୁ ବିଦାୟ ଦେଇ ମା’ ଦକ୍ଷେଶ୍ଵର ମନ୍ଦିରକୁ ଫେରି ଆସନ୍ତି। ଶୁକ୍ଳ ଚତୁର୍ଦ୍ଦଶୀ ତିଥି ସଂଧ୍ୟାରେ ବାଲୁଗାଁ ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବ ଦକ୍ଷେଶ୍ଵର ମନ୍ଦିର ନିକଟରେ ପହଞ୍ଚିବା ପରେ ମା’ଭଗବତୀ କାଠିଠାକୁରାଣି, ଶ୍ରୀଦକ୍ଷେଶ୍ଵରଦେବ, ଶ୍ରୀରଘୁନାଥ ଦେବ ଶ୍ରୀ ରଙ୍କନାଥ ଦେବ ଥାଟ ପଟୁଆରରେ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ଯାତ୍ରାକରି ମା’ଭଗବତୀଙ୍କୁ ଶାସନ ବାଡିର ଚ଼ାଚେରୀ ଭୋଗଖିଆ ନିମନ୍ତେ ବିଦାୟ ଦେଇ ନିଜ ନିଜ ମନ୍ଦିରକୁ ଫେରିଆସନ୍ତି। କେବଳ ଶ୍ରୀଉମାମହେଶ୍ୱର ଦେବ ଦକ୍ଷେଶ୍ଵର ମନ୍ଦିର ବାହାର ଗୁମୁଟ ପାଖରେ ମା’ଙ୍କ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି I ଚତୁର୍ଦ୍ଦଶୀ ରାତ୍ରରୁ ପୂର୍ଣ୍ଣିମା ଅପରାହ୍ନ ପର୍ଯ୍ୟନ୍ତ ମା’ଭଗବତୀ ତିନି ଶାସନ ବାଡ଼ି ସହିତ ,କାଠି ନାହାକ ଓ ପରିଚ୍ଛା ସାଆନ୍ତଙ୍କ ଦୁଆର ମାନଙ୍କ ରେ ଶଙ୍କୁଡ଼ି/ନିଶଙ୍କୁଡ଼ି ଭୋଗ ଲାଗି ହୋଇ ଉମା ମହେଶ୍ୱର ଦେବ ଦକ୍ଷେଶ୍ଵରଦେବ, ରଙ୍କନାଥ ଦେବ ଓ ରଘୁନାଥ ଦେବଙ୍କ ସହିତ ମିଶି ବିଷର ପାଟଣାର ଅଗ୍ନି ଉତ୍ସବ ପଡ଼ିଆକୁ ଯାତ୍ରା କରନ୍ତି । ସେଠାରେ ଅଗିରା ପୋଡ଼ା ରେ ପରିକ୍ରମା ପରେ ଉମାମହେଶ୍ୱର ଦେବଙ୍କୁ ବିଦାୟ ଦେଇ ଦକ୍ଷେଶ୍ଵର ମନ୍ଦିରକୁ ଫେରିଆସି ଧୂପ ବଢିବା ପରେ ଦୋଳବେଦୀକୁ ବିଜେ କରନ୍ତି । ସେଠାରେ ଦୋଳପୂର୍ଣ୍ଣିମାର ନୀତିକାନ୍ତି ସରିବା ପରେ ମା’ ମନ୍ଦିରକୁ ଫେରି ପହୁଡ଼ ଯାଆନ୍ତି । ପାଞ୍ଚଦିନ ଧରି ପାଳିତ ବାଣପୁର ଅଞ୍ଚଳର ଏହି ନିଆରା ପାରମ୍ପରିକ ଦୋଳ ଉତ୍ସବରେ ଅଗଣିତ ଶ୍ରଦ୍ଧାଳୁ ଯୋଗଦେଇ ମା’ଙ୍କ ଦର୍ଶନ ସହିତ ଆଶୀର୍ବାଦ ଲାଭ କରନ୍ତି ।।

Leave a Reply

Your email address will not be published. Required fields are marked *