ଭୁବନେଶ୍ବର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଓଡ଼ିଆ ସାହିତ୍ୟର ପ୍ରଖର କାବ୍ୟସ୍ବର ଥିବା କବି ସୁନୀଲ କୁମାର ପୃଷ୍ଟିଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। କବି ସୁନୀଲ ୮୦ ଦଶକରେ କବିତା ଲେଖା ଆରମ୍ଭ କରି ୨୦୨୦ ଯାଏଁ ସକ୍ରିୟ ଥିଲେ । ୨୦୦୫ ବେଳକୁ ସେ ରୋମାଣ୍ଟିକ କାବ୍ୟଚେତନାର ଏକ ପ୍ରମୁଖ ସ୍ବର ପାଲଟିଥିଲେ । କବିତା ସଂକଳନ ‘ଚିହ୍ନା ଚିହ୍ନା ନିର୍ଜନତା’, ‘ଦେହ ଦେଉଳ’ ପରେ ‘ତନୁଲତାର କବିତା’ ଲେଖି ଓଡ଼ିଆ ଯୁବ ମାନସରେ ପ୍ରେମ-କବିତାର ଉଦାତ୍ତ ରେଖାପାତ କରିଥିଲେ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ଅତ୍ୟନ୍ତ ସଫଳ କବିତାକୁ ନେଇ ‘ଅସଫଳ କବିତା’ ସଂକଳନ ପ୍ରକାଶିତ ହୋଇଥିଲା ।୧୯୬୩, ମେ ୧୩ ତାରିଖରେ ବରଗଡ଼ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ସୁନୀଲ ଏବଂ ତାଙ୍କର ବାଲ୍ୟକାଳ, ସ୍କୁଲ-କଲେଜ ଶିକ୍ଷା ରାୟଗଡ଼ା ଜିଲ୍ଲାରେ ଘଟିଥିଲା। ଚାରି ଭାଇ ଓ ଦୁଇ ଭଉଣୀଙ୍କ ମଧ୍ୟରେ ସେ ଥିଲେ ଜ୍ୟେଷ୍ଠ । ଉତ୍ତୀର୍ଣ୍ଣ କୈଶୋର ବେଳକୁ ରାୟଗଡ଼ା ଜିଲ୍ଲାର ନାଗାବଳୀ ନଦୀ ସୁନୀଲଙ୍କୁ ଜଣେ ନାନ୍ଦନିକ କବି ଭାବେ ଗଢ଼ି ତୋଳିଥିଲା । ନବେ ଦଶକର ଆଦ୍ୟଲଗ୍ନରେ ସେ ଜେକେ ପେପର୍ମିଲ୍ ମହାବିଦ୍ୟାଳୟରେ କିଛି କାଳ ଅଧ୍ୟାପନା କରିଥିଲେ। ଅଧ୍ୟାପନା ଛାଡ଼ି କିଛି ସମୟ ‘ନବଲିପି’ ପତ୍ରିକା ସଂପାଦନା, କିଛି ମାସ ‘ସମ୍ବାଦ’ ଏବଂ ‘ସମାଜ’ ସଂପାଦନା ବିଭାଗରେ କାର୍ଯ୍ୟ କରିଥିଲେ। ୧୯୯୬ ଅକ୍ଟୋବରରୁ ୨୦୦୯ ଶେଷ ଯାଏଁ ‘ସଚିତ୍ର ବିଜୟା’ର ସଂପାଦକ, ୨୦୧୦ରୁ ୨୦୧୨ ଯାଏଁ ‘ସାହିତ୍ୟ ପୃଥିବୀ’ର ସଂପାଦକ ଏବଂ ୨୦୧୩ରୁ ୨୦୧୭ ଯାଏଁ ‘ଶିଶିର’ର ସଂପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ। ପତ୍ରିକା ସଂପାଦନା କ୍ଷେତ୍ରରେ ସେ ଉଚ୍ଚକୋଟୀର ସ୍ବାକ୍ଷର ଛାଡ଼ିଥିବା ବେଳେ, କବିତାର ଶାଣିତ ସ୍ବର ପାଲଟି ଅନେକ ଯୁବ ସାହିତ୍ୟିକଙ୍କ ଭାବାଦର୍ଶର କବି ଭାବେ ଈର୍ଷଣୀୟ ସଫଳତା ହାସଲ କରିଥିଲେ। ଜଣେ ରୋମାଣ୍ଟିକ ଓ ପ୍ରେମିକ କବିଙ୍କର ଏପରି ଆକସ୍ମିକ ମୃତ୍ୟୁ ଓଡ଼ିଆ ସାହିତ୍ୟ ଜଗତକୁ ସ୍ତବ୍ଧ କରିଦେଇଛି। ଶେଷ ସମୟରେ ତାଙ୍କ ନିକଟରେ ଅବସରପ୍ରାପ୍ତ ଅଧ୍ୟାପିକା ପତ୍ନୀ ଗୀତା ଦୀକ୍ଷିତ ଏବଂ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ, କଟକଠାରେ ସହସଚିବ ଭାବେ କାର୍ଯ୍ୟରତ ପୁତ୍ର ସୃଜନ ସାରସ୍ବତ ଉପସ୍ଥିତ ଥିଲେ। ଏକମାତ୍ର ପୁତ୍ର ସୃଜନ ମୁଖାଗ୍ନି ଦେଇଥିଲେ । ଅନେକ କବି, କଥାକାର ଓ ସାମ୍ବାଦିକ ତାଙ୍କର ଶେଷ ଦର୍ଶନ କରିଥିଲେ ।
କବି ସୁନୀଲ ପୃଷ୍ଟିଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ବାତରବରଣ !!!

