କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଜବରଦଖଲରେ ସରକାରୀ ରାସ୍ତା : କମିଶନରଙ୍କୁ ଫେରାଦ ହେଲେ ଅଞ୍ଚଳବାସୀ ! ଚର୍ଚ୍ଚା ହେଉଛି ଯେ ଦୋଷୀଙ୍କ ପାଇଁ ଆଇନକାନୁନ ଦିନକୁ ଦିନ କଠୋର ହେଉଛି। ମାତ୍ର ବାସ୍ତବରେ ଆଇନକାନୁନ କେତେଦୂର କଠୋର ହେଉଛି ସେକଥା ବର୍ତ୍ତମାନ ସିଏମସି 47 ନଂ ୱାର୍ଡରେ ପ୍ରଶ୍ନ ସୃଷ୍ଟି ହୋଇଛି। ସମ୍ପୃକ୍ତ ୱାର୍ଡରେ ଏଭଳି କିଛି ଘଟଣା ଘଟିଛି ଯେଉଁଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ପ୍ରଶାସନର ସବୁ ନୀତିନିୟମ କେବଳ ଗରିବ ଗୁରୁବାଙ୍କ ପାଇଁ ଲାଗୁ । ବଡବଡ଼ିଆଙ୍କର ପ୍ରଶାସନର ନୀତି ନିୟମକୁ ଆଦୌ ଭୟ ନାହିଁ। ଏପରିକି ସରକାରୀ ରାସ୍ତାକୁ ମଧ୍ୟ ପ୍ରଭାବଶାଳୀ ବ୍ୟକ୍ତି ନିଜ ଅକ୍ତିଆରରେ ନେବାରେ ଢିଲା ଦେଉ ନାହାଁନ୍ତି । କଟକ ମହାନଗର ନିଗମ ଅନ୍ତର୍ଗତ 47ନଂ ୱାର୍ଡ ସରସ୍ୱତୀ ଶିଶୁ ମନ୍ଦିର ରାସ୍ତା ଏବେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅକ୍ତିଆରରେ। ସିଏମସି ପକ୍ଷରୁ ରାସ୍ତାକଡରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଉଥିବା ବେଳେ ଜଣେ ଜବରଦଖଲକାରୀ କିପରି ସରକାରୀ ରାସ୍ତାକୁ ଏକ ଲୁହା ଗେଟ ଲଗାଇ ଅବରୋଧ କଲେ ଏବଂ ନିଜ ଅକ୍ତିଆରରେ ନେଲେ ବର୍ତ୍ତମାନ ତାକୁ ନେଇ ପ୍ରଶ୍ନ ଉଠିଛି । ଆଉ ଏଭଳି ଘଟଣାରେ ସ୍ଥାନୀୟ ପ୍ରଶାସନ ଓ ସିଏମସି କିପରି ନିରବ ସାଜିଛି ତାହା ମଧ୍ୟ ଚର୍ଚ୍ଚା ପରିସରକୁ ଆସିଛି । ପ୍ରଶାସନ ଓ ସିଏମସିର ଏଭଳି ନୀରବତା ପରେ ପ୍ରାୟ ୮ ରୁ 10ଜଣ ସ୍ଥାନୀୟ ଅଞ୍ଚଳବାସୀ ବର୍ତ୍ତମାନ ସିଏମସିର ଦ୍ୱାରସ୍ଥ ହେବା ସହ ସରକାରୀ ରାସ୍ତାକୁ ଜବରଦଖଲକାରୀଙ୍କ ଅକ୍ତିଆରରୁ ମୁକ୍ତ କରିବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ ସିଏମସି ଏହାକୁ ନେଇ କି ପ୍ରକାର ପଦକ୍ଷେପ ଗ୍ରହଣ କରିଛି ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଉପରେ ପ୍ରଶାସନର ଆଇନକାନୁନ କେତେଦୂର କାର୍ଯ୍ୟକ୍ଷମ ହେଉଛି ତା ଉପରେ ସମସ୍ତସଙ୍କ ନଜର !
ଜବରଦଖଲରେ ସରକାରୀ ରାସ୍ତା : କମିଶନରଙ୍କୁ ଫେରାଦ ହେଲେ ଅଞ୍ଚଳବାସୀ !!!

