ବାଣପୁର ଶାନ୍ତି ନଗର ବୋମା ମାଡ ଘଟଣା : ବାପ ଓ ବଡ ପୁଅ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପାରିବାରିକ କଳହକୁ ନେଇ ବାଣପୁର ଥାନା ଭାବାନୀପୁର ପଞ୍ଚାୟତ ଅନ୍ତର୍ଗତ ଶାନ୍ତି ନଗରରେ ଶୁକ୍ରବାରେ ବୋମା ମାଡ ହୋଇଥିଲା । ଏଥିରେ ଗୋଟିଏ ପରିବାରର ବାପ ଓ ତାଙ୍କର ଦୁଇ ପୁଅଙ୍କ ମଧ୍ୟରେ ବିବାଦ ହୋଇ ବୋମାମାଡ ହେବାରୁ ସାନପୁଅ ଦିବ୍ୟସିଂହ ଓରଫ କାଳିଆ ରାଉତରାୟ ମୃତ୍ୟୁ ବରଣ କରିଥିଲେ । ପୁଲିସ ବାପା ସଠ ରଉତରାୟ ଓ ବଡପୁଅ ସୁବାଷ ରାଉତରାୟଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ଶନିବାରେ ପୁଲିସ ଅଧିକାରୀଙ୍କ ସମେତ ସାଇଣ୍ଟିଫିକ ଟିମ ଘଟଣାସ୍ଥଳ ପରିଦର୍ଶନ କରିବା ସହ ବାପ ଓ ବଡ ପୁଅକୁ ଗିରଫ କରି ଅଦାଲତ ଚାଲାଣ କରିଛି । ସଠ ରାଉତରାୟଙ୍କ ପରିବାରରେ ଜମିବାଡି ଭାଗ ବଣ୍ଟାକୁ ନେଇ ଦୀର୍ଘ ବର୍ଷ ହେବ ବିବାଦ ଲାଗି ରହିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ବାପା ଓ ସାନ ପୁଅ ଠାରୁ ବଡ ପୁଅ ଅଲଗା ରହି ଆସୁଥିଲେ । ତେବେ ଶୁକ୍ରବାରେ ଏହି କଳହ ଭୀଷଣ ରୂପ ନେଇଥିଲା । ସକାଳେ ବାପ ଓ ବଡ ପୁଅ ବୋହୂଙ୍କ ମଧ୍ୟରେ ଗାଳି ଗୁଲଜକୁ ନେଇ ଘଟଣା ଉଗ୍ର ରୂପ ଧାରଣ କରିଥିଲା । ସାନ ପୁଅ କାଳିଆ ଏକ ବନ୍ଧୁକ ଧରି ବଡ ଭାଇ ସୁବାଷକୁ ମାରିବାକୁ ଗୋଡାଇ ବାରୁ ବଡ ଭାଇ ଓ ଭାଉଜ ଘର ମଧ୍ୟକୁ ପଳାଇ ଯିବା ସହ ଘରର ଲୁହା ଗ୍ରୀଲ ବନ୍ଦ କରି ଦେଇଥିଲେ । ଏ’ ସମୟରେ ସଠ ରାଉତରାୟ ବୋମା ମାଡ କରିବାରୁ ବୋମା ବିସ୍ଫୋରଣରେ କାଳିଆର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ପୁଲିସ ମୃତ ଦେହର ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା । ଘଟଣା ସ୍ଥଳରୁ ପୁଲିସ ଏକ ଦେଶୀ ବନ୍ଧୁକ ଜବତ କରିବା ସହ ସଠ ଏବଂ ତାଙ୍କ ବଡପୁଅ ସୁବାଷଙ୍କୁ ଅଟକ ରଖି ପଚରା ଉଚରା ଚଳାଇଥିଲା । ଶନିବାରେ ମୃତ ସାନପୁଅ କାଳିଆଙ୍କ ପତ୍ନୀ ରଜନୀଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମକଦ୍ଦମା ରୁଜୁ କରି ସଠ ରାଉତରାୟ ଓ ତାଙ୍କ ପୁଅ ସୁବାଷଙ୍କୁ ଗିରଫ କରିଥିଲା । ସାଇଣ୍ଟିଫିକ ଟିମ ସହ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ବାଣପୁର ଥାନାଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଘଟଣା ସ୍ଥଳରୁ ବୋମା ବିସ୍ଫୋରଣର ବିଭିନ୍ନ ପୋଡା ଟୁକୁରା ଅଂଶ ଜବତ ହୋଇଛି । ଅନ୍ୟ ପକ୍ଷରେ ମୃତଦେହ ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର ପାଇଁ ପରିବାର ବର୍ଗଙ୍କୁ ହସ୍ଥାନ୍ତର କରାଯାଇଛି । ଗ୍ରାମରେ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ଥାନାଧିକାରୀ ରମେଶ କୁମାର ଦେବତାଙ୍କ ଠାରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *