ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଅପୂର୍ବ ଜୈବ ବିଭିନ୍ନତା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପର୍ଯ୍ୟଟକଙ୍କୁ ଚିଲିକା ପ୍ରତି ଆକର୍ଷିତ କରିଥାଏ । ଏହା ସହ ପ୍ରାଣୀଜ ପୁଷ୍ଟିସାର ଖାଦ୍ୟର ଆକର୍ଷଣ ବା ମୋହ ଚିଲିକାକୁ ବିକୃତ କରିବାରେ ଲାଗିଛି। ଚିଲିକାର ସମସ୍ୟା ଗୁଡ଼ିକ ସମାଧାନ ନ ହୋଇ ହେଉଛି ଦିନକୁ ଦିନ ବିପଥ ଗାମୀ l ବିଭିନ୍ନ ନଦୀ ନାଳରୁ ଆସୁଥିବା ପାଣି ଓ ପଟୁ ଜମା ହେବା ଯୋଗୁଁ ଚିଲିକା ଧୀରେ ଧୀରେ ପୋତି ହେବାରେ ଲାଗିଛି । ଏହା ଏକ ପ୍ରାକୃତିକ ସମସ୍ୟା । ଲବଣ ମାତ୍ରା ରେ କ୍ରମାଗତ ପରିବର୍ତ୍ତନ ଓ ମଧୁରଜଳ ଅନାବନା ଗଛ ଜଳୀୟ ପ୍ରାଣୀ ସଂପଦକୁ ବେଶ ପ୍ରଭାବିତ କରିଛି !
ଚିଲିକା ସନ୍ନିକଟ ଅଧିବାସୀ ଗଣ ଚିଲିକା ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ସେମାନେ ଅବିରତ ଚିଲିକା ଗର୍ଭରୁ ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ଆଦି ମୂଲ୍ୟବାନ ପ୍ରାଣୀ ମାନଙ୍କୁ ବିଭିନ୍ନ ଚିରା ଚରିତ କୌଶଳ ମାଧ୍ୟମରେ ଧରି ବିକ୍ରୟ କରି ପେଟ ପୋଷିଥାନ୍ତି । ଫଳରେ ଏ ସବୁ ପ୍ରାଣୀଙ୍କ ସଂଖ୍ୟା ହ୍ରାସ ସହ ସେମାନଙ୍କ ଅଭିବୃଦ୍ଧି ବେଶ ବାଧାପ୍ରାପ୍ତ ହେବାରେ ଲାଗିଛି। ଏପରି ଅତ୍ୟଧିକ ଜୈବ ସଂପଦର ସଂଗ୍ରହ ଜୈବ ବିଭିନ୍ନତା କ୍ଷୟର ଏକ ମୁଖ୍ୟ କାରଣ।
ପର୍ଯ୍ୟଟନ କ୍ଷେତ୍ର ଭାବରେ ସୁନାମ ଅର୍ଜନ କରି ଥିବା ଚିଲିକାକୁ ନିରନ୍ତର ଭାବରେ ପର୍ଯ୍ୟଟକଙ୍କ ଆଗମନ , ଭ୍ରମଣ ଓ ଦର୍ଶନ ଆଦି ଡଲଫିନ ପରି ପ୍ରାଣୀମାନଙ୍କ ସୁରକ୍ଷା ପ୍ରତି ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିଛି ବର୍ଷ ପୂର୍ବେ ଡଲ ଫିନକୁ ଦେଖିବାକୁ ନ ମିଳିବାରୁ ସମସ୍ତଙ୍କ ମନରେ ସନ୍ଦେହ ଦେଖାଦେଇଛି ଏମାନଙ୍କ ସ୍ଥିତି, ଅବସ୍ଥିତି ଓ ପରିସ୍ଥିତି ଉପରେ । ପର୍ଯ୍ୟଟକଙ୍କ ଯାତ୍ରା ପାଇଁ ଯନ୍ତ୍ର ଚାଳିତ ଡ଼ଙ୍ଗା ର ବ୍ୟବହାର, ମତ୍ସ୍ୟ ସଂଗ୍ରହ ତଥା ପକ୍ଷୀ ଓ ଜଳଜୀବ ମାନଙ୍କ ଚଳ ପ୍ରଚଳରେ ବେଶ ବାଧା ସୃଷ୍ଟି କରିବା ସ୍ୱାଭାବିକ । ଏହା ଉପରେ ସେପରି କୌଣସି କଟକଣା ବା ନିୟନ୍ତ୍ରଣ ପରିଲକ୍ଷିତ ହୁଏନାହିଁ । ପର୍ଯ୍ୟଟକଙ୍କ ଅବିରତ ଯାତ୍ରା ଓ ଭ୍ରମଣ ଚିଲିକା କୂଳ ଓ ଜଳଭାଗ ପ୍ରଦୂଷଣର କାରଣ । ବିଶେଷ କରି ପଲିଥିନ, ପ୍ଲାଷ୍ଟିକ ଓ ସେହିପରି ପ୍ରଦୂଷଣ କାରୀ ପଦାର୍ଥର ବ୍ୟବହାର ଉପରେ ପ୍ରାୟତଃ କଟକଣା ନାହିଁ। ନୌବାଣିଜ୍ୟ ଯୋଗୁଁ ସ୍ଥାନର ଚିଲିକା କୂଳରେ ବନ୍ଦର ଜାଗା ମାନଙ୍କରେ ରାଜପଥ ଓ ନଦୀ ଯୋଗେ ମାଲ୍ ଆସି ମହଜୁଦ୍ ରହୁଥିଲା ବା ସେଠୁ ବିଭିନ୍ନ ସ୍ଥାନକୁ ପଠା ଯାଉଥିଲା ରାଜ୍ୟ ଭିତରକୁ । ମାଲ୍ ରହିବା ସ୍ଥାନକୁ ମାଲୁଦ ଏହି ନାମରେ ଏବେ ପାରିକୁଦ ରେ ମାଲୁଦ ଓ ଚିଲିକା ବାଲୁଗାଁ ପେଣ୍ଠ ବୋଲି ଜଣାଶୁଣା ଜାଗାଟିଏ ଅଛି। ଚିଲିକା ବକ୍ଷ ଦେଇ ମୁହାଣକୁ ଗଲାବେଳେ ଚିଲିକା ମଧ୍ୟରେ ଅନେକ କୁଦ ବା ଦୀପ ପାରି ହେବାକୁ ପଡ଼େ । ଏହା ଦୀପ ସମୂହକୁ ପାରି ହେଉଥିବାରୁ ସେମାନଙ୍କର ନାମ ରଖାଯାଇଛି ପାରିକୁଦ। ରାତିରେ ବୋଇତ ମାନଙ୍କୁ ଦିଗ୍ଦର୍ଶନ ପାଇଁ ସେମାନେ ମୁଣ୍ଡିଆ ଉପରେ ପଥରରେ ଖାଲ କରି ସେଥିରେ ଘିଅ ଢ଼ାଳି ବତୀରେ ଅଗ୍ନି ସଂଯୋଗ କରି ଜାଳି ରଖୁଥିଲେ । ଏହିପରି ଏକ ମୁଣ୍ଡିଆର ନାମ ଦୀପ ମୁଣ୍ଡିଆ ଏବଂ ‘ଖଳା’ର ନାମ ଘିଅଖଳା। ସେହିପରି ବୋଇତ ପାଖକୁ ଯିବା ରାସ୍ତାକୁ ବୋଇତହୁଡ଼ା, ପାହାଡ଼ ତଳ ବନ୍ଦରକୁ ବୋଇତ ପାହାଡ଼। ଏମିତିକି ମାଣିକ ପାଟଣୀ ଅତୀତ ନୌବାଣିଜ୍ୟର ମୁକସାକ୍ଷୀ ସ୍ୱରୂପ ଏବେ ନାମ ବହନ କରି ବିଦ୍ୟମାନ । ଚିଲିକା ଉପରେ ପେଟପାଟଣା ପାଇଁ ନିର୍ଭରଶୀଳ ୨ ଲକ୍ଷ ମତ୍ସ୍ୟଜୀବୀ ଏବେ ଚିନ୍ତାରେ ପଡିଛନ୍ତି । ଚିଲିକାକୁ ଭାତହାଣ୍ଡି ମନେକରି କୌଳିକ ବୃତ୍ତି ଭାବେ ମାଛ ଧରି ମତ୍ସ୍ୟଜୀବୀ ପରିବାର ପ୍ରତିପୋଷଣ କରି ଆସୁଥିଲେ । ଏବେ ଚିଲିକା ମାଛ ଚାହିଦା ମେଣ୍ଟାଇ ପାରୁ ନ ଥିବାରୁ ସେମାନେ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟ ମୁହାଁ ହେଲେଣି । କେତେଜଣ ମତ୍ସ୍ୟଜୀବୀ ପ୍ରତ୍ୟହ ଟ୍ରେନ୍ ଯୋଗେ ଭୁବନେଶ୍ୱର, କଟକ ଦିନମଜୁରିଆ କାମ କରିବାକୁ ଯାଉଛନ୍ତି। ଅନ୍ୟପକ୍ଷେ ଯାହା କିଛି ମାଛ ଧରା ହେଉଛି, ତାହା ସ୍ଥାନୀୟ ଚାହିଦା ମେଣ୍ଟାଇ ପାରୁନାହିଁ। ଫଳରେ ଗଁ।କୁ ଗଁ। ବୁଲି ଖୁଚୁରା ମାଛ ବିକୁଥିବା କୈବର୍ତ୍ତ ମହିଳାମାନେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ମତ୍ସ୍ୟଜୀବୀ ସଂଘ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଚିଲିକା ଏକଦା ୩୨୦ ପ୍ରକାର ମାଛ, ୨୮ ପ୍ରଜାତିର ଚିଙ୍ଗୁଡ଼ି ଓ ୩୫ ପ୍ରକାର କଙ୍କଡ଼ାର ଚାରଣଭୂମି ଥିଲା। ମାତ୍ର ୧୯୮୦ ମସିହାଠାରୁ ପରିବେଶ ଅବକ୍ଷୟ ଆଦି କାରଣରୁ ଏହା ଦ୍ରୁତଗତିରେ ହ୍ରାସ ପାଉଛି। ୨୦୦୦ରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଚିଲିକାର ନୂଆ ମୁହାଣ ଖନନ ପରେ ଆଶାନୁରୂପ ଭାବେ ଏହି ସାମୁଦ୍ରିକ ମାଛ ସଂଖ୍ୟା ବୃଦ୍ଧି ପାଇଥିବା ରାଜ୍ୟ ସରକାର ଦାବି କରିଥିଲେ। ସର୍ବେକ୍ଷଣ ମୁତାବକ ୧୯୯୫-୯୬ ଆର୍ଥିକ ବର୍ଷରେ ଚିଲିକାର ୨୫ଟି ମତ୍ସ୍ୟ ଅବତରଣ କେନ୍ଦ୍ରରୁ ୧୨୭୪ ମେଟ୍ରିକ୍ ଟନ୍ ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ସଂଗୃହୀତ ହୋଇଥିବା ବେଳେ ୧୯୯୯-୨୦୦୦ ଆର୍ଥିକ ବର୍ଷରେ ତାହା ୧୭୪୫ ମେଟ୍ରିକ୍ ଟନ୍ ହୋଇଥିଲା। ମାତ୍ର ମୁହାଣ ଖନନ ପରେ ୨୦୦୧-୨୦୦୨ ବର୍ଷ ବେଳକୁ ତାହା ୭ ଗୁଣା ବୃଦ୍ଧି ପାଇ ୧୧,୯୮୯ ଟନ୍ରେ ପହଞ୍ଚତ୍ଥିଲା। ସର୍ବେକ୍ଷଣ ମୁତାବକ ପ୍ରତି ମତ୍ସ୍ୟଜୀବୀ ପରିବାର ବାର୍ଷିକ ୩୫ ହଜାର ଟଙ୍କାର ମାଛ ଧରି ରୋଜଗାର କରିପାରୁଥିଲେ। ମାସିକ ହାରାହାରି ୩ ହଜାର ଟଙ୍କାରେ ସେ ପରିବାର ପ୍ରତିପୋଷଣ କରୁଥିଲେ। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ପଚଶି ବର୍ଷ ମଧ୍ୟରେ ଚିଲିକାର ଜୈବିକ ଅବକ୍ଷୟ ଆରମ୍ଭ ହୋଇଥିବାରୁ ମତ୍ସ୍ୟଜୀବୀମାନେ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି।ଆନ୍ଦ୍ର ଯୋଗାଉଛି ମଧୁର ମାଛ ତଥାପି ଖାଉଟି ଅସନ୍ତୋଷ ଦେଖିବାକୁ ମିଳୁଛି, କାହିଁକିନା ଚିଲିକା ଜୀବର ସ୍ୱାଦ ପୃଥିବୀରେ କେଉଁଠି ଦେଖିବାକୁ ମିଳେନାହିଁ l ରାଜ୍ୟର ଗୋଟିଏ ହେଲେ ମଧୁରଜଳ ପ୍ରଦୂଷଣମୁକ୍ତ ନଥିବାବେଳେ ଏସିଆର ସର୍ବବୃହତ୍ ଲବଣାକ୍ତ ହ୍ରଦ ଚିଲିକା ଯେଭଳି ପ୍ରଦୂଷିତ ହେଉଛି ତାହାର ତୁରନ୍ତ ନିରାକରଣ କରାନଗଲେ ଖୁବ୍ କମ୍ ବର୍ଷ ମଧ୍ୟରେ ଏହି ହ୍ରଦରୁ ମାଛ, କଙ୍କଡା ଓ ଅନ୍ୟାନ୍ୟ ଜଳବୀବ ଲୋପ ପାଇବା ସହିତ ଏଠାକୁ ଆଉ ବିଦେଶୀ ପକ୍ଷୀ କିମ୍ବା ପର୍ଯ୍ୟଟକ ଆସିବେ ନାହିଁ ବୋଲି ପରିବେଶପ୍ରେମୀମାନେ ଉଦ୍ବେଗର ସହ କହୁଛନ୍ତି । ଚିଲିକାକୁ ପ୍ରଦୂଷଣମୁକ୍ତ କରିବା ସହ ଏହା ଉପରେ ନିର୍ଭରକରି ଜୀବିକାର୍ଜନ କରୁଥିବା ଲୋକମାନଙ୍କ ଆର୍ଥିକ ବିକାଶପାଇଁ ରାଜ୍ୟ ସରକାର ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଗଠନ କରିବା ସହିତ ଏହି ସଂସ୍ଥା ମାଧ୍ୟମରେ ଚିଲିକାରୁ ଗୁଳ୍ମ ସଫା କରିବା ସଂଗେ ସଂଗେ ପୋତିହୋଇ ପଡିଥିବା ଏହାର ସାମୁଦ୍ରିକ ମୁହାଣ ଖନନ କରିଛନ୍ତି । ଏହା ସହିତ ଚିଲିକା ମଧ୍ୟରୁ ବି ବ୍ୟାପକ ପରିମାଣର ପଙ୍କ ଉଦ୍ଧାର କରାଯାଇଥିଲା । କେବଳ ସେତିକି ନୁହେଁ, ଚାରିପଟେ ଓ ଏହାକୁ ସଂଯୋଗ କରୁଥିବା ନଦୀନାଳଗୁଡିକର ଉପରମୁଣ୍ଡରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବ୍ୟାପକ ବୃକ୍ଷରୋପଣ କରାଯିବା ସହ ଲୋକଙ୍କ ଜୀବିକାର୍ଜନର ମାଧ୍ୟମ ବଢାଯାଇଥିଲା । ଚିଲିକା ଉପରେ ଠିକଣା ଭାବେ ଧ୍ୟାନ କେନ୍ଦ୍ରୀୟ କରାଯାଉନଥିବାରୁ ଏହାର ପାଣି ବି କେବଳ ପ୍ରଦୂଷିତ ନୁହେଁ, କ୍ରମଶଃ ବିଷାକ୍ତ ହୋଇ ଚାଲିଛି । ପୁରାଣ ବର୍ଣ୍ଣିତ ଗନ୍ଧବତୀ ନଦୀକୁ ଏବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ନର୍ଦ୍ଦମାବାହୀ ଗଙ୍ଗୁଆ ନାଳରେ ପରିଣତ କରାଯାଇଛି । ଗଙ୍ଗୁଆର ପାଣି ଦୟାରେ ମିଶିବା ସହ ଦୟାର ଶାଖାନଦୀଗୁଡିକ ବି ନର୍ଦ୍ଦମାଜଳ ଯୋଗୁଁ ଅତି ମାତ୍ରାରେ ପ୍ରଦୂଷିତ ହେଉଛନ୍ତି ଏବଂ ସର୍ବଶେଷରେ ଏହି ନଦୀନାଳଗୁଡିକ ଚିଲିକାରେ ସହରାଞ୍ଚଳର ବର୍ଜ୍ୟବସ୍ତୁକୁ ନିଷ୍କାସିତ କରିବାରେ ନିୟୋଜିତ ହେଉଛନ୍ତି । ଏଥିଯୋଗୁଁ ଏହି ନଦୀନାଳଗୁଡିକରେ ମାଛ ବଂଶ ଲୋପପାଇ ଆସୁଥିବାବେଳେ ତାହାର ପ୍ରଭାବ ମଧ୍ୟ ଚିଲିକା ଉପରେ ପଡୁଛି ଏବଂ ଚିଲିକା ବି ପୋତିହୋଇ ଯାଉଛି । ଗଙ୍ଗୁଆ ଭଳି ଖୁବ୍ ଅଳ୍ପବର୍ଷ ମଧ୍ୟରେ ଚିଲିକାର ଜଳରାଶି ଦୁର୍ଗନ୍ଧଯୁକ୍ତ ହୋଇପାରେ ବୋଲି ପରିବେଶ ବିଶେଷଜ୍ଞଙ୍କ ଠାରୁ ଆରମ୍ଭକରି ଚିଲିକା ଉପକୂଳର ଅଧିବାସୀ ବିଶେଷକରି ମତ୍ସ୍ୟଜୀବୀମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି । ଆର୍ନ୍ତଜାତିକ ସ୍ତରରେ ପ୍ରସିଦ୍ଧିଲାଭ କରିଥିବା ଚିଲିକା ଓଡିଆ ଅସ୍ମିତାର ପ୍ରାଚୀନତମ ପରିଚୟ । କେବଳ ସେତିକି ନୁହେଁ, ଏହି ହ୍ରଦ ବି ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ । କିନ୍ତୁ ଯେଭଳି ଲଗାମଛଡା ଭାବେ ଚିଲିକାକୁ ପ୍ରଦୂଷିତ କରାଯାଉଛି ତାହା ଆଗାମୀ ଦିନଗରେ ପର୍ଯ୍ୟଟନ ଶିଳ୍ପ ସହ ଅନ୍ୟାନ୍ୟ ଅର୍ଥକରୀ ବ୍ୟବସ୍ଥାକୁ ବି ପ୍ରଭାବିତ କରିବ । ଏ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଂଗେ ସଂଗେ ରାମ୍ସର ସମ୍ମିଳନୀରେ ଭାରତ ପାଇଁ ଯେଉଁ ଚିଲିକା ଆର୍ନ୍ତଜାତିକ ସମ୍ମାନ ଆଣିଥିଲା ତାହାର ସୁରକ୍ଷା ଲାଗି ପୂର୍ବଭଳି ବ୍ୟାପକ ବୈଦେଶିକ ସହାୟତା ସହିତ ସ୍ଥାନୀୟ ଲୋକଙ୍କ ସମର୍ଥନନେବା ଏବଂ ଚିଲିକାରେ ମିଶିଥିବା ନଦୀନାଳଗୁଡିକୁ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ କରିବାକୁ ଦାବି ଉଠୁଛି । ଦେଖିବାକୁ ବାକି ରହିଲା ନୂତନ ସରକାର ଏଥିପ୍ରତି କେତେ ଧ୍ୟାନ ଦେଉଛନ୍ତି କି ନାହିଁ, ତାହା ଆଗାମୀ ଦିନମାନଙ୍କରେ ଜଣା ପଡିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ଜଣା ପଡିଛି l
ଚିଲିକା ରାଣୀ : କାନ୍ଦି କାନ୍ଦି କହେ ତା ଦୁଃଖ କାହାଣୀ !!!

