ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାରେ ଗୋଟିଏ ରାତିରେ ପାଞ୍ଚଟି ଦୋକାନରୁ ଲୁଟ୍ , ଦାୟିତ୍ୱ ଗ୍ରହଣ ର ପ୍ରଥମ ଦିନରେ ନୂତନ ଥାନାଧିକାରୀଙ୍କୁ ଝଟକା ! ସୁକିନ୍ଦାରେ ଗୋଟିଏ ରାତିରେ ପାଞ୍ଚଟି ଦୋକାନରୁ ଲୁଟ୍ ଘଟଣା ବ୍ୟବସାୟୀଙ୍କ ଚିନ୍ତାର କାରଣ ହୋଇଛି । ରବିବାର ଦିନ ସୁକିନ୍ଦା ଥାନାଧିକାରୀ ଭାବେ ବିଲ୍ଵମଙ୍ଗଳ ସେଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାର କିଛି ଘଣ୍ଟା ମଧ୍ୟରେ ଅର୍ଥାତ୍ ରବିବାର ରାତିରେ ସୁକିନ୍ଦା ଛକରେ ଥିବା ପାଞ୍ଚଟି ଦୋକାନରୁ ଲୁଟେରା ମାନେ ଲୁଟ୍ କରି ନିଜର ପାରିବାପଣିଆ ଦେଖାଇଛନ୍ତି । ସୁକିନ୍ଦା ଜଗନ୍ନାଥ ହାଇସ୍କୁଲ ଗେଟ୍ ସମ୍ମୁଖରେ ଥିବା ପ୍ରଭାତ ବେହେରା, ଅଭିଷେକ ମହାନ୍ତି ଓ ମେଡ଼ିକାଲ ଗେଟ ପାଖରେ ଥିବା ଅମିୟ ବାରିକ, ସୁନିଲ ବାରିକ ଓ ସିରାଜ୍ ଖାଁଙ୍କ ଦୋକାନରୁ ଲୁଟ୍ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ସୁକିନ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତ କିଛି ମାସ ଧରି ସୁକିନ୍ଦା ଅଞ୍ଚଳରେ ଚୋରୀ, ଲୁଟ୍ ଭଳି ବିଭିନ୍ନ ଘଟଣା ଘଟିଥିଲେ ମଧ୍ୟ କୌଣସି ଘଟଣାରେ ପୋଲିସକୁ ସଫଳତା ମିଳିନଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସାଧାରଣ ଜନତା ପୋଲିସ ଉପରେ ଆସ୍ଥା ପ୍ରକଟ କରୁନଥିବା ଅଭିଯୋଗ ହୋଇଛି । ଗତ କିଛି ଦିନ ତଳେ ସଂସାଇଲୋ ଅଞ୍ଚଳରେ କିଛି ଅସାମାଜିକ ଯୁବକଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ସେହି ଘଟଣାରେ ପୋଲିସ କାହାରିକୁ ଗିରଫ କରିପାରିନାହିଁ । ବିଶେଷ କରି ସୁକିନ୍ଦା ଅଞ୍ଚଳରେ ଧଳା ଜହର କାରବାର ଏବେ ସାଧାରଣ ଲୋକଙ୍କ ଚିନ୍ତାର କାରଣ ହୋଇଛି । ଅଧିକାଂଶ ଯୁବ ପିଢି ଏବେ ନିଶା କବଳିତ । ଏହି ନିଶା କବଳିତ ଯୁବକ ଯେକୌଣସି କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିବା ଦେଖିବାକୁ ମିଳୁଛି । ସୁକିନ୍ଦା ଅଞ୍ଚଳରେ ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ସୁଧାର ଆଣିବା ସହ ପରିସ୍ଥିତି ନିୟନ୍ତ୍ରଣରେ ରଖିବାକୁ ସାଧାରଣରେ ଦାବୀ ହେଉଛି ।
ସୁକିନ୍ଦାରେ ଗୋଟିଏ ରାତିରେ ପାଞ୍ଚଟି ଦୋକାନରୁ ଲୁଟ୍ !!!

