ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକର ରାଉତାଡି ଗ୍ରାମରେ ଅତି ଦୁର୍ବିସହ ଜୀବନଯାପନ କରୁଥିବା ୬୦ ପରିବାରକୁ ସହାୟତାର ହାତ ବଢାଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ଏହି ବ୍ଲକ ଅନ୍ତର୍ଗତ ପିଙ୍ଗଲ ପଞ୍ଚାୟତ ଅଧିନସ୍ଥ ରାଉତାଡି ଗ୍ରାମରେ ବସବାସ କରୁଥିବା ୬୦ ରୁ ଉର୍ଦ୍ଧ ପରିବାର ଅତି ଦୁର୍ବିସହ ଜୀବନଯାପନ କରୁଥିବା ନିର୍ବାଚନ ପ୍ରଚାର ସମୟରେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଦେଖିଥିଲେ । ସମସ୍ତ ପରିବାର ଦିନ ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ ମଧ୍ୟ ସରକାରୀ ସହାୟତାରୁ ବଞ୍ଚିତ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଘରେ ଛପର ନାହିଁ । ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ସଂପୃକ୍ତ ଘର ଗୁଡ଼ିକର କାନ୍ଥ ଭାଙ୍ଗି ଯାଇଥିଲା । ସୂଚନା ପାଇ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ନିର୍ଦ୍ଦେଶରେ ତାଙ୍କ ପ୍ରତିନିଧି ଶେଖର ମହାନ୍ତି, ବିଜେପି ନେତା ରମଣୀରଞ୍ଜନ ବଳସାମନ୍ତ, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ରାଜେଶ ନାଏକ ସମସ୍ତ ପରିବାର ପାଇଁ ତହସିଲ ପକ୍ଷରୁ ଜରି ପାଲ ଯୋଗାଇ ଦେଇଥିଲେ । ସମସ୍ତ ପରିବାର ଭୂମିହୀନ ହୋଇଥିବାରୁ ସରକାରୀ ପଟ୍ଟା ସହ ପ୍ରଧାନମନ୍ତ୍ରୀ ଆବାସ ଓ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ।