ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ ଅବସରରେ ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଡଃ ଲଷ୍ମୀଧର ସୁବୁଦ୍ଧିଙ୍କ ପରାମର୍ଶ ଓ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ପ୍ରାରମ୍ଭିକ ଅଭିଭାଷଣ ମାଧ୍ୟମରେ ଭାରତର ଲୌହ ମାନବ ପଟେଲଙ୍କ ଜୀବନାଦର୍ଶ ଓ ବହୁମୁଖୀ ପ୍ରତିଭା ସମ୍ପର୍କରେ କହିଲେ ଯେ ପଟେଲ ଥିଲେ ଭାରତର ଅନ୍ୟତମ ନିର୍ମାତା ଓ ରାଷ୍ଟ୍ରୀୟ ଏକତାର ମୂର୍ତ୍ତିମନ୍ତ ପ୍ରତୀକ l ତାଙ୍କ ଉଚ୍ଚାରଣ ଓ ଆଚରଣ ମଧ୍ୟରେ ଥିଲା ଯଥାର୍ଥ ସମନ୍ୱୟ l ତାଙ୍କ ବଳିଷ୍ଠ ନେତୃତ୍ୱ ମାଧ୍ୟମରେ ଯଦି ରାଜା ରାଜୁଡା ଅଞ୍ଚଳ ଗୁଡିକ ଯଦି ତତ୍କାଳୀନ ଭାରତବର୍ଷରେ ମିଶ୍ରଣ ହୋଇନଥାନ୍ତେ ତେବେ ବର୍ତ୍ତମାନର ଭାରତ ବର୍ଷର ପରିକଳ୍ପନା କେବେ ସମ୍ଭବ ହୋଇପାରି ନଥାନ୍ତା l ସ୍ବେଛାସେବୀ ପ୍ରଜ୍ଞା ସ୍ମିତା ସାହୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ରାଷ୍ଟ୍ର ନୀତିଜ୍ଞ ଓ ବାସ୍ତବବାଦୀ ଜନନାୟକ ଭାବେ ଚିତ୍ରଣ କରି କହିଲେ ଯେ ଭାରତର ଏକତା ଓ ଅଖଣ୍ଡତା ନିମିତ୍ତ ୫୬୦ ଗଡଜାତ ରାଜ୍ୟକୁ ମିଶ୍ରଣ କରିବା ରେ ଯେଉଁ ଅଦମ୍ୟ ସାହସ ପ୍ରଦର୍ଶନ କରିଛନ୍ତି ତାହା ଇତିହାସରେ ଅବିସ୍ମରଣୀୟ ହୋଇ ରହିବ l ରୁପାଲୀ ବିଶ୍ୱାଳ ଓ ରବୀନା ଦାସ ମଧ୍ୟ କହିଲେ ଯେ ପଟେଲ ଜଣେ କମ୍ରେଡ ଭଳି ନିର୍ଭୀକ ଭାବେ ବିଚକ୍ଷଣ ଯୁକ୍ତି, ବାକ ଚାତୁରୀ ଦ୍ୱାରା ସମସ୍ତଙ୍କର ପ୍ରିୟ ପାତ୍ର ହୋଇ ପାରିଥିଲେ l ଅଧ୍ୟାପିକା ରୀନା ରାଉତ ଓ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ମଧ୍ୟ ପଟେଲଙ୍କ ସନ୍ତୁଳିତ ବିଚାରଶୀଳତା ଉପରେ ବକ୍ତବ୍ୟ ପ୍ରଦାନ କରି ତାଙ୍କୁ ଭାରତବର୍ଷର ଉତ୍ତୁଙ୍ଗ ଜନନାୟକ ଭାବେ ଚିତ୍ରଣ କରିଥିଲେ l ଏହି ଅବସରରେ ଜିଲ୍ଲlସ୍ତରରେ ପ୍ରବନ୍ଧ ଓ ସର୍ଜନଶୀଳ ଗଳ୍ପ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ସୁଶ୍ରୀ ଦିବ୍ୟାନୀ ପରିଡା ଓ ବିକାଶ କହଲ ସିଂ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକ୍ରମ ଅଧିକାରୀ ରୀନା ରାଉତ l