ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଜନ୍ମ ଦିନରେ ବୟସ କମିଲା ଏକ ବର୍ଷ ! ଖବର ର ଶିରୋନାମା ଦେଖି ଅନେକ ପାଠକ ଆଶ୍ଚର୍ଯ୍ୟ ହେଉଥିବେ , ରାଜଧାନୀ ଆସୁ ଆସୁ ପ୍ରଭାତ ତ୍ରିପାଠୀ ଙ୍କ ବୟସ ବର୍ଷେ କମିଗଲା – ଏମିତି ଶିରୋନାମାରେ ଖବର କାହିଁକି ? ହଁ ଆଜ୍ଞା ଦୁଇଟି କାର୍ଯ୍ୟକ୍ରମରେ ବ୍ୟାନର ରେ ଯାହା ଲେଖା ତାକୁ ହିଁ ଦେଖି ଆମେ ଏପରି ଖବର କରିଛୁ ! ବ୍ୟକ୍ତି ଜଣେ , କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଥିଲା ଗୋଟିଏ ! ହେଲେ ଜାଗା ଥିଲା ଭିନ୍ନ ! ଆଉ ଦୁଇ କାର୍ଯ୍ୟକ୍ରମରେ ଜନ୍ମଦିନ ପାଳନ ହେଉଥିବା ବ୍ୟକ୍ତିଙ୍କର ପରିଚୟ ସଂଜ୍ଞା ଥିଲା ମଧ୍ୟ ଅଲଗା ! ଡିସେମ୍ବର ୨୫ ତାରିଖରେ ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଙ୍କ ଜନ୍ମଦିନକୁ ଧୁମ ଧାମରେ ପାଳନ କରାଯାଇଛି ! ତେବେ କେତେ ତମ ଜନ୍ମଦିନ ଆମେ ଏବେ ସୁଦ୍ଧା ସନ୍ଦେହରେ ! ତେଣୁ କେବଳ ଜନ୍ମଦିନ ବୋଲି ଲେଖିଛୁ ! ବାଙ୍କୀ ରେ ବିଜେଡି କର୍ମୀ ଏବଂ ନିର୍ବାଚିତ ପ୍ରତିନିଧି ମାନେ ଦଳୀୟ କାର୍ଯ୍ୟାଳୟରେ ଆନନ୍ଦ ଉଲ୍ଲାସର ସହ କେକ କାଟି ଜନ୍ମଦିନ ପାଳନ କରିଥିଲେ ! ପଛପଟେ ଥିବା ବ୍ୟାନର ରେ ଆଲେଖ୍ୟ ଥିଲା ବାଙ୍କୀ ର ସର୍ବମାନ୍ୟ ଲୋକପ୍ରିୟ ନେତା , ଆଉ ୭୨ ତମ ଜନ୍ମଦିନ ବୋଲି ସୂଚନା ଥିଲା ! ବ୍ୟାନର ର ଗେଟଅପ ପୁରା ସବୁଜ ଥିଲା ! ହେଲେ ସନ୍ଧ୍ୟା ସମୟରେ ରାଜଧାନୀ ରେଡ଼କ୍ରସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମାହୋଲ ଥିଲା ଅଲଗା ! ହାଲୁକା ଗେରୁଆ ରଙ୍ଗର ବ୍ୟାନର ରେ ଆଲେଖ୍ୟ ଥିଲା ସମବାୟ ବିତ ଏବଂ ଶ୍ରମିକ ସଂଗଠକ , ଆଉ ୭୧ ତମ ଜନ୍ମଦିନ ପାଳନ ! ବାଙ୍କୀ ଏବଂ ଭୁବନେଶ୍ୱର ରେ ଲାଗିଥିବା ସମସ୍ତ ପରିଚୟ ଠିକ , ଆମ ଭାଷାରେ ସେ ଜଣେ ବରିଷ୍ଠ ଜନନେତା ! କିନ୍ତୁ ବୟସରେ ତାରତମ୍ୟ ସୃଷ୍ଟି କରୁଛି ଦ୍ଵନ୍ଦ ! ପ୍ରଭାତ ବାବୁ ଙ୍କୁ ଏତେ ଭଲ ପାଉଥିବା ଆଉ ଭକ୍ତି କରୁଥିବା ଅନୁଗତ ଙ୍କ ପାଖରେ ଖବର ନାହିଁ , ତାଙ୍କ ବାବୁ ଙ୍କୁ କେତେ ପୁରି କେତେ ଚାଲିଲା ! ଆମେ ଆଶା କରିବୁ – ୨୫ ଡିସେମ୍ବର ୨୦୨୫ ରେ ଯେମିତି ଆଉ ଏହାର ପୁନରାବୃତ୍ତି ନହୁଏ !