ସୌରିକ ଯୁବ ମହୋତ୍ସବ ନେଇ ଓଏମସି ସ୍ଥିତ ଶ୍ରମିକ ସଂଘ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୌରିକ ଯୁବ ମହୋତ୍ସବ ନେଇ ଓଏମସି ସ୍ଥିତ ଶ୍ରମିକ ସଂଘ କାର୍ଯ୍ୟାଳୟ ପରିସରରେ ଗୁରୁବାର ଅପରାହ୍ନ 4 ଘଟିକା ସମୟରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସୂଚନା ମୁତାବକ ନିର୍ଦ୍ଧାରିତ ଦିନରେ ପ୍ରସ୍ତାବିତ ସୌରିକ ଯୁବ ମହୋତ୍ସବ-୨୦୨୫ ଆ‌ୟୋଜନ ନେଇ ଅନିଶ୍ଚିତତା ଲାଗି ରହିବା ପ୍ରତିବାଦରେ ସୌରିକ ଯୁବ ମହୋତ୍ସବ ଆୟୋଜନ କମିଟି ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ଆଭିମୁଖ୍ୟକୁ ନେଇ ଦୃଢ଼ ପ୍ରତିବାଦ କରାଯାଇଛି । ଜାନୁଆରି ୯ ରୁ ୧୩ ତାରିଖ ୫ ଦିନିଆ ସୌରିକ ଯୁବ ମହୋତ୍ସବ ପାଇଁ ଆବେଦନ କରାଯାଇଥିବା ସ୍ଥଳେ ଏଯାବତ୍ ଏଥିପାଇଁ ଓଏମ୍‌ସି ପକ୍ଷରୁ ଅନୁମତି ନମିଳିବା ପ୍ରସଙ୍ଗକୁ ନେଇ କମିଟିର ସମ୍ପାଦକ ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି, ବରିଷ୍ଠ ସଦସ୍ୟ ଭରତ ଚନ୍ଦ୍ର ମହାନ୍ତ, ଭଗବତୀ ମହାନ୍ତ, ପ୍ରଭାତ ରଞ୍ଜନ ପ୍ରଧାନ, ଅଜୟ କୁମାର ନାୟକ, ବୈକୁଣ୍ଠ ମହାନ୍ତ, ଆଶିଷ କୁମାର ଜେନା, ବିଶ୍ବଜିତ ମହାନ୍ତି, ନୀଳେନ୍ଦ୍ର ପ୍ରଧାନ, ସୁଷମା ନାୟକ, ବଳରାମ ଦାସ, ସୁଶାନ୍ତ ପ୍ରଧାନ ପ୍ରମୁଖ ଓଏମ୍‌ସି ବିରୋଧରେ କ୍ଷୋଭ ପ୍ରକାଶ କରିଥିଲେ । ଅତୀତରେ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ୨୫ ରୁ ଅଧିକ ପଲ୍ଲୀସଭା ଓ ଜନଶୁଣାଣିରେ ଅକୁଣ୍ଠ ସମର୍ଥନ ଦେଇ ଓଏମ୍‌ସି କାର୍ଯ୍ୟଧାରାକୁ ସୁଗମ କରାଇବାରେ ସର୍ବ‌ାଧିକ ଅବଦାନ ରଖିଥିବା ସୌରିକବାସୀଙ୍କ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏତାଦୃଶ ଆଭିମୁଖ୍ୟକୁ ନାପସନ୍ଦ କରାଯାଇଥିଲା। ୧୦ ତାରିଖରୁ ୧୨ ତାରିଖ ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ପ୍ରଥମ କ୍ରୋମ୍‌ନଗର ମହୋତ୍ସବକୁ କେଉଁ ଆଧାରରେ ଆଗୁଆ ଅନୁମତି ମିଳିଲା ବୋଲି ସମ୍ମିଳନୀରେ ପ୍ରଶ୍ନ କରାଯାଇଥିଲା । ସୌରିକ ଯୁବ ମହୋତ୍ସବକୁ ଭଣ୍ଡୁର କରାଇବା ଯୋଜନାରେ ଥିବା ପ୍ରଶାସନ ଓ ଓଏମ୍‌ସିର ଏ ପ୍ରକାର ଆଭିମୁଖ୍ୟକୁ ନେଇ କମିଟି ପକ୍ଷରୁ ବିଷୋଦ୍‌ଗାର କରାଯାଇଥିଲା। ପାତରଅନ୍ତର ଓ ନ୍ୟାଯ୍ୟ ଅଧିକାର କ୍ଷୁଣ୍ଣ ହେବା ପ୍ରସଙ୍ଗକୁ ନେଇ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇବା ଓ ଭାଇଚାରା ବ୍ୟାହତ ହେବା ସହ ଉପୁଜିବାକୁ ଥିବା ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଓଏମ୍‌ସି କର୍ତ୍ତୃପକ୍ଷ ଓ ପ୍ରଶାସନ ଦ‌ାୟୀ ରହିବେ ବୋଲି ବୈଠକରେ ଚେତାବନୀ ଦିଆଯାଇଥିଲା । ପରିଶେଷରେ କର୍ମୀ ସମ୍ମିଳନୀରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ମାନେ ଏକ ପଦଯାତ୍ରାରେ ଯାଇ ଓଏସି ଗେଟ ପାଖରୁ ଏକ ପଦଯାତ୍ରାରେ ଆସି ଓଏମସି ଓ ପ୍ରଶାସନ ବିରୋଧରେ ନାରାବାଜି ଦେବା ସହିତ ବାଉଁସ ବୋଝେଇ ଗାଡି ନେଇ ମହୋତ୍ସବ ପଡିଆରେ ବାଉଁଶ ଗଦା କରିଥିବା ଦେଖିବାକୁ ମିଳିଛି । କିଛିବି ଅପ୍ରତିକରକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ପକ୍ଷରୁ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *