ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଉପଖଣ୍ଡ ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ଚଳିତ ବର୍ଷ ଯଥାରୀତି ଆଡମ୍ବର ଭାବେ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଶ୍ରୀ ଦେବୀ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଉପଜିଲ୍ଲାପାଳ ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଜାକଜମକରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ଦିନ ଭୋର ୪.୩୦ ରୁ ୫.୩୦ ମିନିଟ ସମୟ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଡ଼ାକବାଜି ଯନ୍ତ୍ର ଦ୍ୱାରା ସହର ମଧ୍ୟରେ ‘ରାମଧୁନ’ ପ୍ରଚାର କରାଯିବ। ପ୍ରତ୍ୟୁଷରୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଭାତଫେରୀ ଓ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ , ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନରେ ସକାଳ ୭.୩୦ ମିନିଟ ସୁଦ୍ଧା ଜାତୀୟ ପତାକା ଉତ୍ତୋଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ପୂର୍ବାହ୍ନ ଘ ୮.୪୫ ମିନିଟ ସମୟରେ ସ୍ଥାନୀୟ କଚେରୀ ପଡ଼ିଆରେ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏହି ଉତ୍ସବରେ ଉପଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିବେ। ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ। ଉପକରାଗାରର କଏଦୀ ଓ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ମିଷ୍ଠାନ ଓ ଫଳ ବଣ୍ଟନ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି। ଏହି ବୈଠକରେ ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଶ୍ରୀ ବନବାସୀ ବେହେରା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବିଜୟ କୃଷ୍ଣ ମହାପାତ୍ର, ବାଙ୍କୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ମର୍ଦରାଜ ଭୂୟାଁ, ତହସିଲଦାର ବାଙ୍କୀ ଓ ଡମପଡା ଶ୍ରୀ ଅଶେଷ କୁମାର ନାୟକ, ସୁଚିସ୍ମିତା ଦାଶ, ଏନ.ଏ.ସି ନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ୱାଇଁ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ସମସ୍ତ ଶିକ୍ଷା ଅନୁଷ୍ଠାନର ମୁଖ୍ୟ, ଶିକ୍ଷକ, ଶିକ୍ଷୟିତ୍ରୀ,ଗଣମାଧ୍ୟମର ପ୍ରତିନିଧି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାଳି ଚରଣ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।
ବାଙ୍କୀରେ ୭୬ ତମ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ !!!

