ଆସୁଛି ପାର୍ବଣ : ହସୁଛି କାଶତଣ୍ଡି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶରତର ଆଗମନରେ ପାର୍ବଣର ବାର୍ତ୍ତା ନେଇ ଧରା ପୃଷ୍ଠରେ ତା’ର ପସରା ମେଲିଥାଏ କାଶତଣ୍ଡି । ପ୍ରକୃତିର ଏଇ ଅମୂଲ୍ୟ ଉପହାର ଦେଖାଦିଏ ବିଲମାଳ, ରାସ୍ତାକଡ, ନଈପଠା ଓ ଖାଲୁଅ ଜମିରେ । ନୀଳ ଆକାଶର ତଳେ ହସୁଥାଏ ଶୁଭ୍ର ରେଶମୀ କାଶତଣ୍ଡି । ସତେ ଯେପରି ଧରଣୀ ରାଣୀ ଶୁଭ୍ର ବସ୍ତ୍ର ପରିଧାନ କରିଛନ୍ତି । ଦୋଳାୟିତ କାଶତଣ୍ଡି ଚାମର ସଦୃଶ ଦେଖାଯାଏ । ଏଇ ଚାମର ହଲାଇ ସେ ଆଦିଶକ୍ତିଙ୍କୁ ସ୍ଵାଗତ କରିଥାଏ । କାରଣ ମାଆକୁ ସ୍ଵାଗତ ଜଣାଇବା ପାଇଁ ସେ ବରଦାନ ପାଇଛି । କାଶତଣ୍ଡି ଫୁଲର ସମ୍ଭାର ପ୍ରକୃତି ପ୍ରେମୀକୁ ଆକୃଷ୍ଟ କରେ । ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯାଏ ଏହାର କମନୀୟ ସୁଷମା ଭିତରେ ହଜିଯାଏ କବି।ଏହି ଶୁଭ୍ର ରେଶମୀ କାଶତଣ୍ଡିକୁ ନେଇ ରହିଛି ଏକ ସୁନ୍ଦର କାହାଣୀ । ଏକଦା ଏକ ରାଜ୍ୟରେ, ଗରୀବ ଘରର କାଶତଣ୍ଡି ନାମକ ଏକ ସୁନ୍ଦର ଝିଅଟିଏ ସବୁବେଳେ ନଦୀ ପଠା ରେ ବୁଲୁଥାଏ । ଯାହାର ସୌନ୍ଦର୍ଯ୍ୟରେ ବଶୀଭୂତ ହୋଇ ତାକୁ ପ୍ରେମ କରି ବସିଥିଲେ ସେଇ ରାଜ୍ୟର ରାଜକୁମାର। ଦୁହିଁଙ୍କ ମଧ୍ୟରେ ଧୀରେ ଧୀରେ ନିବିଡ଼ ହେଉଥିଲା ଏହି ପ୍ରେମ । ସବୁଦିନ ନଦୀ ପଠାରେ ସେ ଦୁହେଁ ଦେଖାହୁଅନ୍ତି । ଥରେ ଏହି ଖବର ପହଞ୍ଚିଲା ସେହି ରାଜ୍ୟର ରାଜାଙ୍କ ପାଖରେ । କାଶତଣ୍ଡି ପରି ଗରିବ ଘରର ଝିଅ ଟିକୁ ନିଜର ବୋହୁ ଭାବେ ଗ୍ରହଣ କରିବା ପାଇଁ ରାଜି ନଥାନ୍ତି ରାଜା । ହଠାତ୍ ଦିନେ ରାଜକୁମାର ଓ କାଶ ତଣ୍ଡିଙ୍କ ପ୍ରେମରେ ମାଡ଼ି ଆସିଲା କଳାବାଦଲ । ରାଜାଙ୍କ ଆଦେଶରେ ନଦୀ ପଠା ରେ ପହଞ୍ଚିଲେ ସୈନ୍ୟ ସାମନ୍ତ । ଦୁହିଁଙ୍କୁ ଅଲଗା କରିବା ସହ ରାଜକୁମାରଙ୍କ ଆଖି ଆଗରେ କାଶତଣ୍ଡିକୁ ଜିଅନ୍ତା ପୋତି ଦେଲେ ସୈନ୍ୟ । ଛାତି ଫଟାଇ ଚିତ୍କାର କରି କାନ୍ଦୁଥିବା ରାଜକୁମାରଙ୍କୁ ଶେଷ ସମୟରେ କଥା ଦେଇଥିଲା କାସତଣ୍ଡି “ହେ ରାଜନ ଆମର ଏଇ ଶାଶ୍ଵତ ପ୍ରେମକୁ ଉଦ୍ଜୀବିତ ରଖିବା ପାଇଁ ତୁମକୁ ବଞ୍ଚି ବାକୁ ପଡ଼ିବ । ମୁଁ ପ୍ରତିବର୍ଷ ଶରତ ଋତୁରେ କାଶତାଣ୍ଡି ଫୁଲ ରୂପରେ ଏ ଧରା ପୃଷ୍ଠରେ ଜନ୍ମ ନେବି । ମୋର ଗନ୍ଧ ହିନ ସୌନ୍ଦର୍ଯ୍ୟ ସମସ୍ତଙ୍କ ମନରୁ କ୍ରୋଧ, ହିଂସାକୁ ଦୂରେଇ ଦେଇ ପ୍ରେମର ରଙ୍ଗ ଭରିଦେବ । ପ୍ରତିଟି ଶରତ ଆମ ପାଇଁ ମିଳନ ର ଋତୁ ହେବ । ଏହାପରେ ରାଜକୁମାର ମଧ୍ୟ ଚିର କୁମାର ହୋଇ ରହିଗଲେ।କିମ୍ବଦନ୍ତୀ ଯାହା ବି ହଉନା ନା କାହିଁକି ନିଜର ସୁନ୍ଦର ରୂପ ରେ ସମସ୍ତ ଙ୍କୁ ବିମୋହିତ କରୁଥିବା ଏଇ ଘାସ ଫୁଲ ଟି ଯେବେ ଶୀତଳ ପବନର ଛୁଆଁ ରେ ଦୋଳାୟମାନ ହେଉଥାଏ ଲାଗେ ସତେ ଯେମିତି ପ୍ରେମିକା ଟିଏ ଧଳା ଓଢ଼ଣି ଉଡାଇ ଧାଇଁ ଯାଉଛି ତାର ପ୍ରେମିକ ପାଖକୁ । କବି ଟିଏ ତାର କବିତା ମାଧ୍ୟମରେ ହେଉ ବା ଲେଖକଟିଏ ତାର ଲେଖନୀ ମାଧ୍ୟମରେ କାସତଣ୍ଡି ର ସୁନ୍ଦରତାକୁ ଭିନ୍ନ ଭିନ୍ନ ଢଙ୍ଗରେ ପରିପ୍ରକାଶ କରିଥାନ୍ତି।

Leave a Reply

Your email address will not be published. Required fields are marked *