ବର୍ଷକୁ କେବଳ ଦଶ ଦିନ ଖୋଲା ହୂବ ଦାଣ୍ଡୁମାରାମ୍ମା ମାଆଙ୍କ ମନ୍ଦିର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଦାଣ୍ଡୁମାଲା ସାହିରେ ଭିନ୍ନ ପରମ୍ପରାର ଏକ ଦୁର୍ଗା ମନ୍ଦିର ରହିଛି। ମନ୍ଦିରଟି ବର୍ଷକୁ ମାତ୍ର ୧୦ଦିନ ପାଇଁ ଖୋଲା ଯାଇ ରୀତିନୀତିରେ ପୂଜାର୍ଚ୍ଚନା କରାଯାଏ। ବହୁ ପୁରାତନ ଏହି ମନ୍ଦିରଟି ପାରଳା ରାଜ ରାଜୁଡା ସମୟର ବୋଲି ଜଣା ପଡ଼ିଛି।ମା’ ଦୁର୍ଗା ଏଠାରେ ମା’ ଦାଣ୍ଡୁମାରାମ୍ମା ନାମରେ ପୂଜା ପାଇ ଆସୁଛନ୍ତି। ବର୍ଷକୁ ଥରେ କେବଳ ନବରାତ୍ର ୯ ଦିନ ମାଆଙ୍କ ପୂଜାର୍ଚ୍ଚନା ପରେ ବିଜୟା ଦଶମୀ ବିଳମ୍ବିତ ରାତିରେ ମନ୍ଦିରକୁ ବନ୍ଦ କରି ଦିଆଯାଏ। ରାଜାଙ୍କ ସମୟରେ ମହାଷ୍ଟମୀ ରାତିରେ ମାଆଙ୍କ ନିକଟରେ ବଳି ଦେବା ପ୍ରଥା ରହିଥିଲା। କାଳକ୍ରମେ ଏହି ପ୍ରଥା ବନ୍ଦ ହୋଇଯାଇଛି ମନ୍ଦିର ନିକଟରେ ଥିବା ଦଣ୍ଡୁମାଲାସାହି ବାସିନ୍ଦାଙ୍କ ଦ୍ବାରା ବର୍ତ୍ତମାନ ମନ୍ଦିରଟିର ପରିଚାଳନା କରାଯାଉଛି। ପାରଳା ସହରବାସୀଙ୍କ ଆର୍ଥିକ ସହାୟତାରେ ବର୍ତ୍ତମାନ ଜାକଜକମରେ ମାଆଙ୍କ ନବରାତ୍ର ପାଳନ ଚାଲିଛି। ଦାଣ୍ଡୁମାଲାସାହି ବାସିନ୍ଦା ମା’ଙ୍କୁ ଏହି ୯ ଦିନ ନିଜ ଘରେ ଖିରି, ଖେଚେଡି ଆଦି ପ୍ରସ୍ତୁତ କରି ଆଣି ଭୋଗ ଲଗାଇଥାନ୍ତି। ବିଶ୍ୱାସ ରହିଛି, ମା’ ଦାଣ୍ଡୁମାରାମ୍ମାଙ୍କୁ ଦର୍ଶନ କଲେ ସର୍ବମଙ୍ଗଳ ପ୍ରାପ୍ତି ହେବା ସହ ଦୂରାରୋଗ୍ୟ ଓ ସମସ୍ତ ଦୁଃଖ କଷ୍ଟ ଦୂର ହୁଏ।ମନରେ ଯାହା ମାନସିକ କଲେ ପୂର୍ଣ୍ଣ ହୁଏ ବୋଲି ବିଶ୍ଵାସ ରହିଛି ମାଅଙ୍କ ପ୍ରତିମୂର୍ତ୍ତି ପଛରେ ଏକ ସାପବିଳା ରହିଛି। ଏଥିରେ ବହୁ କାଳରୁ ଗୋଟିଏ ନାଗସାପ ରହିଥାଏ।ନବ ରାତ୍ରି ସରିଲେ ମନ୍ଦିର ବନ୍ଦ ହେବା ପରେ ନାଗ ସାପ ଟି ମାଆଙ୍କୁ ଜଗି ରହିଥାଏ ବୋଲି ବିଶ୍ୱାସ ରହିଛି।ପୂଜା ଉପଲକ୍ଷେ ମନ୍ଦିର ଜନଗହଳି ଥିବା ସମୟରେ ମାଆଙ୍କ ପ୍ରତିମୂର୍ତ୍ତି ଦେଖିବା ପାଇଁ ସହରର ଓ ଆଖପାଖ ଅଞ୍ଚଳର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।ଏଭଳି ଅନେକ କିମ୍ବଦନ୍ତୀ ଥିବା ଏହି ମନ୍ଦିରକୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନବରାତ୍ରରେ ବହୁ ଭକ୍ତ ଆସି ପୂଜାର୍ଚ୍ଚନା କରୁଛନ୍ତି।ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *