ନଳିତା ଚାଷରୁ ମୁଁହ ଫେରାଉଛନ୍ତି ବିଲିପଡ଼ା ଚାଷୀ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଆଉ ଗୋଟେ ମାସପରେ ଆଲୋକର ପର୍ବ ଦୀପାବଳି ପର୍ବ | ପରିବାରର ସମସ୍ତ ଦିବଂଗତ ପୂର୍ବପୁରୁଷଙ୍କୁ କାଉଁରୀ କାଠିରେ ସେହି ଅମାବାସ୍ୟା ତିଥିରେ ସ୍ମରଣରୂପକ ଶ୍ରାଦ୍ଧ କରାଯାଏ | ବହୁ ପ୍ରାଚୀନ ପୌରାଣିକ ପରମ୍ପରା ସହିତ ଜଡିତ ନଳିତା ଚାଷରୁ ପ୍ରସ୍ତୁତ କାଉଁରୀ କାଠି | ବାଙ୍କୀ ଡମପଡା ବ୍ଲକର ବିଲିପଡା ଗ୍ରାମ ପଂଚାୟତ ନଳିତା ଚାଷରେ ସର୍ବଶ୍ରେଷ୍ଟ ସ୍ଥାନରେ ରହି ଆସିଛି | କିନ୍ତୁ କିଛି ବର୍ଷ ହେବ ଏହି ଚାଷରୁ ମୁଁହ ଫେରାଉଛନ୍ତି ଚାଷୀଭାଇମାନେ | ରବି ଫସଲ ପରେ ପାଗ ଅନୁକୂଳ ଦେଖି ନଳିତାମଞ୍ଜି ବୁଣାଯାଇଥାଏ | ବର୍ଷାଦିନେ ଗଛ କଟାଯାଇ ମାସେକାଳ ପାଣିରେ ବୁଡାଇ ଦୁର୍ଗାପୂଜା ପୂର୍ବରୁ ଝୋଟ ଏବଂ କାଉଁରୀ କାଠ ପୃଥକ କରି ବଜାରକୁ ବ୍ୟବସାୟୀ ପାଇଁ ଛଡ଼ାଯାଇଥାଏ | କେବଳ ବିଲିପଡାରେ ଶହ ଶହ ହେକ୍ଟର ବିଲରେ ଧରସ, ଜୋରକୁଳ, ଦାଙ୍ଗିପିଟା, ବିଲିମନ୍ତ୍ରୀସାହି, ପାଖରାଖାଲ, ପଦନପୁର, ଓସ୍ତପୁର, ରଙ୍ଗିପୁର ଗାଁର ଚାଷୀମାନେ ଚାଷ କରିଥାନ୍ତି | କଲିକତାରୁ ବ୍ୟବସାୟୀ ମାନେ ଆସି ଝୋଟ ନିଅଣ୍ଟି ଏବଂ ଭୁବନେଶ୍ୱର କଟକରୁ ଦୋକାନୀମାନେ ଆସି ଚାଷୀଙ୍କ ଠାରୁ ସିଧାସଳଖ କାଉଁରୀକାଠି କ୍ରୟ କରିଥାନ୍ତି | ପ୍ରତିବର୍ଷ ଥରକୁ ଥର ମହାନଦୀ ବନ୍ୟାଆସିଲେ ମଧ୍ୟ ଚାଷୀମାନେ ଭଲ ରୋଜଗାର କରିଥାନ୍ତି | ଚଳିତ ବର୍ଷ ଅଳ୍ପ କିଛି ଚାଷୀ କେବଳ ଦୀପାବଳି ପରମ୍ପରା ବଞ୍ଚାଇବାକୁ ଯାଇ କିଛି ଏକର ନଳିତା ଚାଷ କରିଛନ୍ତି | ବାଙ୍କୀ ପ୍ରଶାସନ କି ବାଙ୍କୀ ଡମପଡା ବ୍ଲକ କୃଷି ବିଭାଗ ତରଫରୁ ଏଥିପ୍ରତି କୌଣସି ଆଗ୍ରହ ରଖୁ ନାହାନ୍ତି | ଚାଷୀମାନଙ୍କୁ ମଞ୍ଜି ବହୁ ବିଳମ୍ବରେ ଦେଉଛନ୍ତି | ଚାଷ ପାଇଁ ସରକାରୀ ସହାୟତା ମିଳୁ ନାହିଁ | ଝୋଟ କ୍ରୟ କରିବା ପାଇଁ ସରକାରୀ ସ୍ତରରେ କୌଣସି ବନ୍ଦୋବସ୍ତ ନାହିଁ | ଏହି ସ୍ୱତନ୍ତ୍ର କାମ ଜାଣିଥିବା କାଉଁରିକାଠି ଏବଂ ଝୋଟକୁ ଅଲଗା କରିବା, ନଳିତା ଗଛ କାଟିବା ପାଇଁ ଦିନ ମଜୁରିଆ ମଧ୍ୟ ମିଳୁ ନାହାନ୍ତି |ବାହାର ରାଜ୍ୟର ଝୋଟ ବ୍ୟବସାୟୀ ନ ଆସିବା ଦ୍ଵାରା ଅଳ୍ପ ଦରରେ ଗ୍ରାମାଞ୍ଚଳ ଠିକା ବ୍ୟବସାୟଙ୍କୁ ବିକ୍ରି କରିବାକୁ ପଡୁଛି | ସରକାର ଆଳୁ, କପା, ମହୁଲ, କାଜୁ ପରି ଚାଷରେ ମିଶନମାନ ଗଠନ କରି ଲକ୍ଷ୍ୟାଧିକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ନଳିତା ଚାଷ ପାଇଁ ସରକାରଙ୍କ ବଜେଟରେ କିଛି ନାହିଁ | ଏମିତି କିଛି କ୍ଷୋଭ କରି ବିଲିପଡ଼ା ନଳିତା ଚାଷୀଭାଇ ମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି | ପୁଣିଥରେ କିପରି ବିଲିପଡ଼ା ଚାଷୀଙ୍କ ମନରେ ଝୋଟ ଚାଷ ପାଇଁ ଆଗ୍ରହ ବଢିବ, ବିକ୍ରୀବଟାର ସୁବିଧା ହେବ,ସେଥିପାଇଁ ବାଙ୍କୀ କୃଷି ଅଧିକାରୀମାନେ ଦୃଷ୍ଟି ଦେବାକୁ ଚାଷୀଭାଇ ମାନେ ଅନୁରୋଧ କରିଛନ୍ତି |

Leave a Reply

Your email address will not be published. Required fields are marked *