ଶୃଙ୍ଖଳା ସହିତ ଭଷାଣି ସହ ମେଢ଼ ମାନଙ୍କୁ ସମ୍ବର୍ଦ୍ଧନା !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଆଉଥରେ ଗୋଟିଏ ବର୍ଷକୁ ଅପେକ୍ଷା କରି,ଚଳିତ ବର୍ଷର ମା ଦୁର୍ଗାଙ୍କ ବିଦାୟୀ ଉତ୍ସବ ଅଗଣିତ ଭକ୍ତମାନଙ୍କ ଉପସ୍ଥିତିରେ ମହା ସମାରୋହରେ ଆଜି ସମାପ୍ତି ହୋଇଅଛି | ତାଳବସ୍ତ ଅଞ୍ଚଳରେ ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ, ଶୃଙ୍ଖଳିତ ଓ ସ୍ୱଚ୍ଛ କରିବା ସହିତ ପୂଜା କମିଟିଗୁଡ଼ିକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭଷାଣି ପୂର୍ବରୁ କରା ଯାଇଥିଲା |ଏଥିରେ ଶ୍ରେଷ୍ଠ ମଣ୍ଡପ ସାଜସଜ୍ଜା, ଶ୍ରେଷ୍ଠ ଆଲୋକ ସଜ୍ଜା, ଶ୍ରେଷ୍ଠ ସ୍ୱଚ୍ଛତା ଓ ଶୃଙ୍ଖଳା ଏବଂ ଶ୍ରେଷ୍ଠ ଥିମ୍ ଆଧାରରେ ବିଭିନ୍ନ ପୂଜା କମିଟିକୁ ପୁରସ୍କୃତ କରାଯାଇଥିଲା |ଶ୍ରେଷ୍ଠ ମଣ୍ଡପ ସାଜସଜ୍ଜା ମଣ୍ଡପ ଭାବେ ୟୁଥ୍ କ୍ଲବ୍ ପୂଜା କମିଟି,ଢଂସର ସାହି, ଶ୍ରେଷ୍ଠ ଆଲୋକ ସଜ୍ଜା ମା’ ମଙ୍ଗଳା ପୂଜା କମିଟି, ପାଟଣା ସାହି,ଶ୍ରେଷ୍ଠ ସ୍ୱଚ୍ଛତା ଓ ଶୃଙ୍ଖଳା ମା’ ଜେନା ଠାକୁରାଣୀ ପୂଜା କମିଟି, ବଡ଼ ସାହି ଏବଂ ଶ୍ରେଷ୍ଠ ଥିମ୍ ମହାବୀର କ୍ଲବକୁ ପ୍ରଦାନ କରାଯାଇଥିଲା | ସ୍ଥାନୀୟ ଅଂଚଳ ର ଶିଶୁ ନୃତ୍ୟ ଶିଳ୍ପୀମାନଙ୍କ ଭିତରେ ଆଧ୍ୟାତ୍ମିକ ଭଜନ ଓ ଗୀତ ପ୍ରତିଯୋଗିତା କରାଯାଇ ତିନିଜଣ ବିଜେତାଙ୍କୁ ଦୁର୍ଗା ପୂଜା ମଣ୍ଡପରେ ପୁରସ୍କୃତ କରାଯାଇଥିଲା | ଉକ୍ତ ପୁରସ୍କାର ଓ ସମ୍ବର୍ଦ୍ଧିତ ଉତ୍ସବରେ ବାଙ୍କୀ ସ୍ୱୟଂ ଶାସିତ ମହା ବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ମନୋଜ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ |ତାଳବସ୍ତ ଦୁର୍ଗା ପୂଜା କମିଟି ସଭାପତି କୃଷ୍ଣଚନ୍ଦ୍ର ବେଉରା, ଉପଦେଷ୍ଟା ବଂଶୀଧର ସ୍ୱାଇଁ, ବରିଷ୍ଠ ସଦସ୍ୟ ବିଜୟ କୁମାର ସାହୁ, ସମ୍ପାଦକ ରବୀନ୍ଦ୍ର ପାଣିଗ୍ରାହୀ ମଞ୍ଚରେ ଉପସ୍ଥିତ ରହି କମିଟି ମାନଙ୍କୁ ଉତ୍ସାହିତ କରିଥିଲେ |ନୂତନ ଭାବେ ଗଠିତ ହୋଇଥିବା ପାର୍ବଣ ଶାନ୍ତି କମିଟି ସଭାପତି ସିଂଘନାଥ ବସ୍ତି, ଉପ-ସଭାପତି ଅମର ଧଳ ସାମନ୍ତ , ତାଳବସ୍ତ ଦୁର୍ଗା ପୂଜା କମିଟି ସମ୍ପାଦକ ଗୋପବନ୍ଧୁ ସାହୁ ଏବଂ ପଣ୍ଡିତ ରାଧାନାଥ ଦାଶଙ୍କୁ ସ୍ୱତନ୍ତ୍ର ଭାବେ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ପ୍ରକୃତିବନ୍ଧୁ ବିଶ୍ଵରଞ୍ଜନ ସ୍ୱାଇଁ, ସାମାଜିକ କର୍ମୀ ସୁଶାନ୍ତ କୁମାର ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ତାଳବସ୍ତ ସେବା ସମବାୟ ସମିତିର ସଭାପତି ଅକ୍ଷୟ କୁମାର ବେହେରା ଯୋଗ ଦେଇ ପାର୍ବଣ ଶାନ୍ତି କମିଟିର ଶୁଭ ଉନ୍ମୋଚନର ଛୋଟ ପ୍ରୟାସ ସମସ୍ତଙ୍କ ମଧ୍ୟରେ ଭାଇଚାରା, ସ୍ୱଚ୍ଛତା, ଶୃଙ୍ଖଳା ଓ ସୁସ୍ଥ ପ୍ରତିଯୋଗିତା ମନୋଭାବ ବୃଦ୍ଧି କରିବ ବୋଲି କହିଥିଲେ |ସମସ୍ତ ମେଢ଼ ଗୁଡିକ ଶାନ୍ତି ଶୃଙ୍ଖଳା ସହ ପାରମ୍ପରିକ ବାଦ୍ୟଯନ୍ତ, ଆଲୋକ ରୋଷଣୀରେ କ୍ରମାନୁୟରେ ଯାଇ ବାଟବନ୍ଧ, ମହାନଦୀ ରଣଶଙ୍ଖରେ ବିସର୍ଜନ ହୋଇଥିଲେ | ସେହିପରି ଦୁଲଣାପୁର ଗ୍ରାମ ପଂଚାୟତରେ ମଧ୍ୟ ତ୍ରିଶକ୍ତି, ମିଲ ଛକ, ରଘୁନାଥ, ଦୋଳ ମଣ୍ଡପ, ଚଉରା ସାହି ପୂଜା କମିଟି ଏବଂ ଅରପୁର ଗ୍ରାମର ମହାବୀର ପୂଜା କମିଟିର ମେଢ଼ ଗୁଡିକ ଶାନ୍ତି ଶୃଙ୍ଖଳା ସହ ଗ୍ରାମ୍ୟ ଭ୍ରମଣ ସହ ମହାନଦୀରେ ବିଦାୟ ନେଇଥିଲେ | ଭଷାଣି ଉତ୍ସବରେ କୌଣସି ଦୁର୍ଘଟଣା କିମ୍ବା ଅପ୍ରୀତକର ପରିସ୍ଥିତି ହୋଇ ନ ଥିବାର ତାଳବସ୍ତ ଫାଣ୍ଡୀ ଅଧିକାରୀ ଏସ କେ ସାହାବଜାନ କହିଛନ୍ତି | ସୁରକ୍ଷା ପାଇଁ ଗୋଟେ ପ୍ଲାଟୁନ ପୋଲିସ ରହିଥିଲେ |

Leave a Reply

Your email address will not be published. Required fields are marked *