୪୦୭ ଧକ୍କାରେ ଚାଲିଗଲା ବାଇକ ଚାଳକଙ୍କ ଜୀବନ ।

Spread the love

ବୁଗୁଡ଼ା ( ଆୱାଜ ମିଡ଼ିଆ ) – ତ୍ରିଲୋଚନ ପଣ୍ଡା : ଗଞ୍ଜାମ ଜିଲ୍ଲା ବୁଗୁଡା ସହର ଉପକଣ୍ଠ ସନ୍ତୋଷୀ ମା’ ଙ୍କ ମନ୍ଦିର ବୁଲାଣିରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଖବର ନେବାରେ ଜଣା ପଡିଛି ଯେ ବୁଗୁଡା ବ୍ଳକ ଅନ୍ତର୍ଗତ ଶ୍ରୀରାମନଗର ଗ୍ରାମର ରାକେଶ ସେଠୀ ନାମକ ଯୁବକ ବାଇକ୍ (ଫ୍ୟାସନ ନଂ ଓ ଆର୦୭ ପି ୩୩୫୭) ଯୋଗେ ବୁଗୁଡା ସହର ଅତିକ୍ରମ କରି ଚଢିଆପଲ୍ଲୀ ଗ୍ୟାରେଜରେ କାମ କରିବା ପାଇଁ ଯାଉଥିଲେ । ପଛପଟୁ ଏକ ୪୦୭ (ନଂ ଓଆର୦୭ ଏନ୫୧୮୦) ଭାରସାମ୍ୟ ହରାଇ ରାକେଶଙ୍କ ବାଇକ୍ କୁ ଧକ୍କା ଦେଇ ପଳାଇଥିଲା । ସ୍ଥାନୀୟ ଲୋକେ ଦମକଳ ବିଭାଗକୁ ଖବର ଦେବା ପରେ ଦମକଳ ବାହିନୀ ଆସି ଯୁବକକୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ , ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଗତ ପନ୍ଦର ଦିନ ପୂର୍ବରୁ ସେହି ସ୍ଥାନରେ ହିଁ ରାତ୍ରି ସମୟରେ ବାଇକରେ ପୋଲସରା ଯାଉଥିବା ବେଳେ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଗାଡିଚାଳକ ଙ୍କ ମନମୁଖୀ ଚାଳନା ଯୋଗୁଁ ଏପରି ଘଟୁଥିବା କହି ସ୍ଥାନୀୟ ଲୋକେ ରାସ୍ତାରେ କାଠଗଣ୍ଡି ଓ ପଥର ରଖି ରାସ୍ତାରୋକ କରି ହମ୍ପ କରି କିଛି ପ୍ରତିକାର କରିବା ପାଇଁ ଅଡି ବସିଥିଲେ । ଖବର ପାଇ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିବା ଫଳରେ ରାସ୍ତାରୋକ ହଟିଥିଲା । ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଶବକୁ ଜବତ କରିବା ସହ ବାଇକ୍ ଟିକୁ ଜବତ କରିଥିଲେ । ତେବେ ପରେ ଦୁର୍ଘଟଣା ଘଟାଇଥିବା ୪୦୭ ଗାଡିଟିକୁ ମଧ୍ୟ ଜବତ କରାଯାଇଛି ବୋଲି ପୋଲିସ ବିଭାଗରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *