ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜାତୀୟ ପ୍ରେସ ଦିବସରେ ‘ଉତ୍କଳ ସାମ୍ବାଦିକ ସଂଘ’, ଖୋର୍ଦ୍ଧା ଜିଲ୍ଲା ଶାଖାର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଯୁବ ସାମ୍ବାଦିକ ଅଜିତ କୁମାର ସାହୁ । ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କ ଅନୁମୋଦନ ଏବଂ ଜିଲ୍ଲା ସଭାପତି ପ୍ରଭାତ ମିଶ୍ରଙ୍କ ସହମତି କ୍ରମେ ଶ୍ରୀ ସାହୁଙ୍କୁ ଉକ୍ତ ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ସାହୁ ଦୀର୍ଘ ତିନି ବର୍ଷ ହେଲା ଉତ୍କଳ ସାମ୍ବାଦିକ ସଂଘର ଜଣେ ସକ୍ରିୟ ସଦସ୍ୟ ଥିବାବେଳେ ଏହା ସହ ସହବନ୍ଧିତ ଥିବା ବାଲୁଗାଁ ସ୍ଥିତ ‘ଶାଳିଆ ପ୍ରେସ କ୍ଲବ’ ର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି । ଜଣେ ଦକ୍ଷ, ସଚୋଟ, ପରିଶ୍ରମୀ, ଜନପ୍ରିୟ ଏବଂ ନିର୍ଭିକ ସାମ୍ବାଦିକ ଭାବେ ସମଗ୍ର ଜିଲ୍ଲାରେ ଅଜିତ ବେଶ ପରିଚିତ । ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ୨୦୦୬ ରେ ସାମ୍ବାଦିକତା ଡିଗ୍ରୀ ହାସଲ କରିଥିବା ବେଳେ ବର୍ତ୍ତମାନ ରାଜ୍ୟର ପ୍ରମୁଖ ଦୈନିକ ଖବରକାଗଜ ‘ପ୍ରମେୟ’ ରେ କାର୍ଯ୍ୟରତ ଅଛନ୍ତି । ତେବେ ବିଗତ ତିନି ବର୍ଷ ମଧ୍ୟରେ ଉତ୍କଳ ସାମ୍ବାଦିକ ସଂଘ, ଖୋର୍ଦ୍ଧା ଜିଲ୍ଲା ଶାଖାରେ ନିଜର ଦକ୍ଷତା ବଳରେ ଅଜିତ ବହୁ ନୂତନ ସଭ୍ୟଙ୍କୁ ଯୋଡିବାରେ ସଫଳ ହୋଇଥିବା ବେଳେ ସଂଘର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ବରିଷ୍ଠ ପଦାଧିକାରୀଙ୍କ ନିର୍ଦ୍ଦେଶକୁ ସଦାସର୍ବଦା ଅନୁପାଳନ କରିଆସୁଛନ୍ତି । ସଂଘର ବିଭିନ୍ନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସହଯୋଗ କରି ଆସୁଛନ୍ତି । ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଖୋର୍ଦ୍ଧା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଅଜିତଙ୍କୁ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ପରିଚୟ ପତ୍ର ପ୍ରଦାନ କରିଛନ୍ତି । ତେବେ ଯୁବପିଢ଼ିଙ୍କ ନେତୃତ୍ୱରେ ୟୁଜେଏ ଖୋର୍ଦ୍ଧା ଜିଲ୍ଲାରେ ଆହୁରି ସୁଦୃଢ ହେବ ବୋଲି ଜିଲ୍ଲା ସଭାପତି ପ୍ରଭାତ ମିଶ୍ର ଆଶା ବ୍ୟକ୍ତ କରିବା ସହ ଅଜିତଙ୍କୁ ସଂଘର ସମସ୍ତ କାର୍ଯ୍ୟରେ ସମ୍ପୂର୍ଣ ସହଯୋଗ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି । ସେହିପରି ଭାବେ ସାମ୍ବାଦିକ ମାନଙ୍କ ପେନସନ ଲାଗୁ ଦାବି ପ୍ରାଥମିକତା ରହିବା ସହ ଆଗାମୀ ଦିନରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସାମ୍ବାଦିକ ଭାଇ ମାନଙ୍କ ହକ ପାଇଁ ୟୁଜେଏ ଲଢେଇ ଜାରି ରଖିବ ବୋଲି ନୂତନ କାର୍ଯ୍ୟକାରୀ ସଭାପତି ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।
ସାମ୍ବାଦିକ ଅଜିତ କୁମାର ସାହୁ , ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖାର କାର୍ଯ୍ୟକାରୀ ସଭାପତି ମନୋନୀତ !!!

