ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟ ଓ କେନ୍ଦ୍ର ସରକାର ଛାତ୍ର ଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟରେ ପଢ଼ାଇବା ନିମନ୍ତେ ପ୍ରୋତ୍ସାହନ ଦେବା ସହ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି । ଏପରିକି ବର୍ତ୍ତମାନ ରାଜ୍ୟର ଶତାଧିକ ବିଦ୍ୟାଳୟ ଗୁଡିକ ୫-ଟି ରୂପାନ୍ତରିକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ରୂପାନ୍ତରିତ ହୋଇଛି । ତେବେ ଏହାର ସୁଫଳ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳିରେ । ବାଣପୁର ଓ ଏବଂ ଚିଲିକା ବ୍ଲକରେ ସରକାରୀ ବିଦ୍ୟାଳୟ ଯଥା ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳରେ ପାଠ ପଢିବା ଲାଗି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ିବାରେ ଲାଗିଛି । ଚଳିତ ଶିକ୍ଷାବର୍ଷରେ ବାଣପୁର ବ୍ଲକ ଓ ଏନଏସି ରେ ସର୍ବମୋଟ ୧୨୭ ଗୋଟି ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ସମୁଦାୟ ୧୬ ହଜାର ୯ ଶହ ୬୯ ଜଣ ଛାତ୍ରଛାତ୍ରୀ ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ନାମ ଲେଖାଇଛନ୍ତି । କିନ୍ତୁ ଗତ ବର୍ଷ ଏହାର ସଂଖ୍ୟା ଥିଲା ୧୬ ହଜାର ୩ ଶହ ୮୭ । ସେହିପରି ଭାବେ ଚଳିତ ଶିକ୍ଷାବର୍ଷରେ ଚିଲିକା ବ୍ଲକ ଓ ବାଲୁଗାଁ ଏନଏସି ରେ ସର୍ବମୋଟ ୯୮ ଗୋଟି ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ସମୁଦାୟ ୧୫ ହଜାର ୯ ଶହ ୮୪ ଜଣ ଛାତ୍ରଛାତ୍ରୀ ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ନାମ ଲେଖାଇଛନ୍ତି । କିନ୍ତୁ ଗତ ବର୍ଷ ଏହାର ସଂଖ୍ୟା ଥିଲା ୧୪ ହଜାର ୭ ଶହ ୮୯ । ତେବେ ମୋଟାମୋଟି ଦେଖିବାକୁ ଗଲେ ଉଭୟ ବ୍ଲକ ଓ ଏନଏସିରେ ଗତବର୍ଷ ଠାରୁ ଚଳିତ ବର୍ଷ ୧ ହଜାର ୭ ଶହ ୭୭ ଜଣ ଅଧିକ ଛାତ୍ରଛାତ୍ରୀ ମାନେ ନାମ ଲେଖାଇଛନ୍ତି । ଏପରିକି ଅଦ୍ୟାବଧି ପ୍ରତିଦିନ ଏକାଧିକ ଛାତ୍ରଛାତ୍ରୀ ବିଭିନ୍ନ ଘରୋଇ ବିଦ୍ୟାଳୟରୁ ସାର୍ଟିଫିକେଟ ଆଣି ସରକାରୀ ବିଦ୍ୟାଳୟ ରେ ନାମ ଲେଖାଉଥିବାର ଦେଖିବାକୁ ମିଳିଛି । ପୂର୍ବରୁ ସରକାରୀ ବିଦ୍ୟାଳୟ ଅପେକ୍ଷା ଘରୋଇ ବିଦ୍ୟାଳୟକୁ ଅଭିଭାବକ ମାନେ ପ୍ରାଥମିକତା ଦେଉଥିବା ବେଳେ ଏବେ ପୁଣି ସେମାନଙ୍କ ପିଲାମାନଙ୍କୁ ସରକାରୀ ବିଦ୍ୟାଳୟରେ ନାମ ଲେଖାଉଛନ୍ତି । ତେବେ ଏହାର ଏକାଧିକ କାରଣ ରହିଛି । ସରକାରୀ ବିଦ୍ୟାଳୟରେ ପଢିଲେ ବର୍ତ୍ତମାନ ମେଡିକାଲ ଓ ଇଞ୍ଜିନିଅରିଙ୍ଗ ଆଦି ପାଠ୍ୟକ୍ରମରେ ସରଂକ୍ଷଣ ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି, ଯାହା ଏକ ପ୍ରମୁଖ କାରଣ । ସେହିପରି ଭାବେ ସରକାର ବର୍ତ୍ତମାନ ସମସ୍ତ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ସୁଦୃଢ କରିବାକୁ ଶତଚେଷ୍ଟା କରୁଛନ୍ତି ଏବଂ ସେଥି ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ୫-ଟି ରୂପାନ୍ତରିକରଣ ଯୋଜନା ଅନ୍ତର୍ଗତ ବର୍ତ୍ତମାନ ରାଜ୍ୟର ଏକାଧିକ ବିଦ୍ୟାଳୟର ନବୀକରଣ ହେବା ସହ ସେଠାରେ ସମସ୍ତ ପ୍ରକାର ଉନ୍ନତ ସୁବିଧା ଉପଲବ୍ଧ ହେଉଛି । ଯାହାକି ଅଭିଭାବକମାନଙ୍କୁ ଆକୃଷ୍ଟ କରୁଛି । ଅନୁରୂପ ଭାବେ କରୋନା କାଳରେ ଆର୍ଥିକ ଅଭାବ ଲାଗି ମଧ୍ୟ ଏକାଧିକ ଅଭିଭାବକ ସେମାନଙ୍କୁ ପିଲାଙ୍କୁ ଘରୋଇ ବିଦ୍ୟାଳୟରୁ ସରକାରୀ ତଥା ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ନାମ ଲେଖଉଥୁବା ଦେଖାଯାଇଛି । ଚିଲିକା ଓ ବାଣପୁର ଅଞ୍ଚଳରେ ମଧ୍ୟ ସରକାରୀ ବିଦ୍ୟାଳୟରେ ପିଲାଙ୍କୁ ଆକୃଷ୍ଟ ନିମନ୍ତେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଉନ୍ନତ ମଧ୍ୟାହ୍ନ ଭୋଜନ, ମାଗଣା ସାଇକେଲ, ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମାଗଣା ଟ୍ରାଇ ସାଇକେଲ, ମାଗଣା ପୁସ୍ତକ ବଣ୍ଟନ, ବିଭିନ୍ନ ମେଧାବୃତ୍ତି, ପରୀକ୍ଷା ପାଇଁ ଉନ୍ନତ ତାଲିମ, ଏକାଧିକ ବୃତ୍ତି ଯୋଜନା, ପ୍ରତ୍ୟେକ ରବିବାରରେ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ, ଖେଳକୁଦକୁ ପ୍ରୋତ୍ସାହାନ ଦେବା ଆଦି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଥିବାର ବାଣପୁର ବିଇଓ ସନାତନ ଜାଲି ଓ ଚିଲିକା ବିଇଓ ନଳିନୀକାନ୍ତ ମହାନ୍ତି ସୂଚନା ଦେଇଛନ୍ତି । ସେହିପରି ଭାବେ ଆସନ୍ତା ଶିକ୍ଷାବର୍ଷରୁ ‘ରାଷ୍ଟ୍ରୀୟ ଶିକ୍ଷା ନୀତି’ ଲାଗୁ ହେବାକୁ ଯାଉଛି ଯାହାର ଅନ୍ତର୍ଗତ ପ୍ରି ପ୍ରାଇମେରୀରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଆହୁରି ଦକ୍ଷ କରାଯିବାର ବ୍ୟବସ୍ଥା ହୋଇଥିବାର ଉଭୟ ବିଇଓ କହିଛନ୍ତି ।