ବାଣପୁର ସବ ଜେଲରେ ଅସୁସ୍ଥ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ : ଭୁବନେଶ୍ୱର ସ୍ଥାନାନ୍ତରିତ !!!

0
826

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜେଲରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇ ପଡିଛନ୍ତି । ରାତାରାତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି । ଏ ନେଇ ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି । ଏସପିଙ୍କ ସୂଚନା ମୁତାବକ ବିଧାୟକ ଜଗଦ୍ଦେବ ଗତକାଲି ମଧ୍ୟରାତ୍ରିରେ ଅସୁସ୍ଥତା ଅନୁଭବ କରିଥିଲେ । ତୁରନ୍ତ ବାଣପୁର ମେଡିକାଲ ଅଧିକାରୀ ସବ ଜେଲ କୁ ଯାଇ ବିଧାୟକଙ୍କ ଚିକିତ୍ସା କରିବାରୁ ତାଙ୍କର ଏକାଧିକ ରୋଗ ଥିବାର ଜାଣିବାକୁ ପାଇଥିଲେ । ବିଧାୟକଙ୍କ ଉଚ୍ଚ ରକ୍ତଚାପ, ମଧୁମେହ, ମୁଣ୍ଡ ବୁଲାଇ ହେବା, ଛାତି ଯନ୍ତ୍ରଣା ଆଦି ଥିବାର ମେଡିକାଲ ଅଧିକାରୀ ଯାଞ୍ଚ ପରେ ଜାଣିବାକୁ ପାଇଥିଲେ । ମେଡିକାଲ ଅଧିକାରୀଙ୍କ ପରାମର୍ଶ କ୍ରମେ ବିଧାୟକଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଥିଲା ।

ବର୍ତ୍ତମାନ ବିଧାୟକ ଜେଲ ଏବଂ ପୋଲିସ କର୍ମଚାରୀଙ୍କ କଡ଼ା ପ୍ରହରାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ଖୋର୍ଦ୍ଧା ଏସପି କହିଛନ୍ତି । ଅନୁରୂପ ଭାବେ ବିଧାୟକ ସୁସ୍ଥ ହେବା ପରେ ପୁଣି ବାଣପୁର ସବ ଜେଲ ଆସିବେ ବୋଲି କହିଛନ୍ତି ଏସପି । ତେବେ ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗତକାଲି ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୯ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ମଧ୍ୟ ସଂନ୍ଧ୍ୟାରେ ବାଣପୁର ସବ ଜେଲକୁ ପଠାଇ ଦିଆଯାଇଥିଲା । ତେଣୁ ଜେଲ ଭିତରେ ଉଭୟ ବିଧାୟକ ଓ ଆକ୍ରମଣକାରୀ ମୁହାଁମୁହିଁ ହେବା ଆଶଙ୍କାରେ ଉଭୟ ଜେଲ ଓ ପୋଲିସ ପ୍ରଶାସନ ପକ୍ଷରୁ ଏପରି ଆଗୁଆ ପଦକ୍ଷେପ ନିଆଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

 

LEAVE A REPLY

Please enter your comment!
Please enter your name here