ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ସଦର ପୁଲିସ ରବିବାର ବିଳମ୍ବିତ ରାତିରେ ରନ୍ତଲୋଇ ମା’ ସାତଭଉଣୀ ମନ୍ଦିର ନିକଟରୁ ଡ଼କାୟତି ଯୋଜନା କରୁଥିବା ୩ ଜଣଙ୍କୁ ଗିରଫ କରିଛି । ସୂଚନା ଯେ, ସଦର ଥାନା ଅନ୍ତର୍ଗତ ପରତରା ଗାଁର ଗୋପି ଓରଫ ଗୋପିନାଥ ନାଏକ (୩୭), କୁଶାସିଂହା ଗାଁର ତପ ଓରଫ ପୁରୁଷୋତ୍ତମ ଭୁତିଆ (୩୦), ତଳଗଡ଼ ଗାଁର ସୁରେନ୍ଦ୍ର ନାଏକ (୨୩), ଜରାସିଂହା ଗାଁର କାଳିଆ ବେହେରା (୨୯) ଓ ଛେଳିଆପଡ଼ା ଗାଁର ବୁବୁ ଓରଫ ଭବାନୀ ଶଙ୍କର ଭଞ୍ଜ ଏକ ସ୍କର୍ପିଓ , ୨ଟି ବାଇକ୍ରେ ଆସି ବିଳମ୍ବିତ ରାତିରେ ମା’ ସାତଭଉଣୀ ମନ୍ଦିର ବେଢ଼ାରେ ବସି ଡ଼କାୟତି ପାଇଁ ଯୋଜନା କରୁଥିଲେ । ରାତି ପେଟ୍ରୋଲିଂ କରୁଥିବା ପୁଲିସ ସେମାନଙ୍କ ମଧ୍ୟରୁ ଗୋପି, ତପ ଓ ସୁରେନ୍ଦ୍ରଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ଅନ୍ୟ ଅଭିଯୁକ୍ତ ମାନେ ସେଠାରୁ ଫେରାର ହୋଇ ଯାଇଥିଲେ । ପୁଲିସ ଅଭିଯୁକ୍ତ ମାନଙ୍କଠାରୁ ଗୋଟିଏ ଏୟାରଗନ୍, ୪ଟି ମୋବାଇଲ ଫୋନ୍, ୨ଟି ବାଇକ୍ ଜବତ କରି ଏକ ମାମଲା ରୁଜୁକରି ୩ ଜଣ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରିଛି ।
ଡକାୟତି ଯୋଜନା କରୁଥିବା ବେଳେ ୩ ଗିରଫ !!!

