ବୟସ ଟପିଲାଣି ୮୦ : ହେଲେ ଏବେବି ପୁରା ଫିଟ୍ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ବୟସ ୮୦ ଟପିଲାଣି , କିନ୍ତୁ ଏବେ ବି ସେ ପୁରା ଫିଟ୍ । ଯେଉଁ ସମୟରେ ଘରେ ମହିଳା ମାନେ ଚାରି କାନ୍ଥ ଭିତରେ ରହି ରୋଷେଇ କାମ କରନ୍ତି, ସେହି ସମୟରେ ଏ ମହିଳା ଜଣଙ୍କ କିନ୍ତୁ ଘରୁ ବାହାରି ସାଇକେଲ ଚଳାଇ ବାରି ବଗିଚା କାମ ଦେଖିବାକୁ ଯାଆନ୍ତି । ସେଭଳି ଜଣେ ନିଆରା ମହିଳା ହେଉଛନ୍ତି ଅନୁଗୁଳ ଛେଣ୍ଡିପଦା ଅଞ୍ଚଳର ପ୍ରମିଳା ସାହୁ । ଏଠାକାର ଲୋକଙ୍କ ପାଖରେ ସେ ଧୋବଣୀ ଅପା ଭାବେ ଜଣାଶୁଣା । ଧୋବଣୀ ଅପା ପ୍ରତିଦିନ ଛତା ଓ ପାଣି ବୋତଲ ଧରି ୧୬ କିଲୋମିଟର ସାଇକେଲ ଚଲାଇ ନିଜ ବଗିଚାକୁ ଯାଆନ୍ତି । ସେଠାରେ କାମ ତଦାରଖ କରନ୍ତି । ଅନ୍ୟ ସମୟରେ ସେ ଲୋକଙ୍କ ସୁଖ ଦୁଃଖ ବୁଝନ୍ତି । ତାଙ୍କୁ ଦେଖିଲେ ଲାଗେ ଯେମିତି ତାଙ୍କ ଚଳଚଞ୍ଚଳ ଜୀବନ ଆଗରେ ବୟସ ବି ହାର ମାନିଛି । ପ୍ରମିଳାଙ୍କ କହିବାନୁଯାୟୀ, ତାଙ୍କୁ ଯେତେବେଳେ ୭ ବର୍ଷ ହୋଇଥିଲା ତାଙ୍କ ଗାଁରେ ସେତେଟା ସାଇକେଲ ନଥିଲା । ସେତେବେଳେ ତାଙ୍କ ବାପାଙ୍କର ଏକ ସାଇକେଲ ଥିଲା । ସେ କେହି ନ ଥିବା ବେଳେ ସାଇକେଲ ଚଲାଇ ଚଳାଇ ଶିଖି ଯାଇଥିଲେ । ଏଥିପାଇଁ ଗାଁ ଲୋକଙ୍କ ଠାରୁ ବି ତାଙ୍କୁ ଅନେକ କଥା ଶୁଣିବାକୁ ପଡ଼ିଥିଲା । କିନ୍ତୁ ତାଙ୍କ ବାପା ଜଣେ ସ୍ୱାଧୀନତା ସଂଗ୍ରାମୀ ହୋଇଥିବାରୁ ଏହାକୁ ଖାତିର ନକରି ଝିଅକୁ ପ୍ରେରଣା ଯୋଗାଇ ଥିଲେ । ସେବେ ଠୁ ସେ ସାଇକେଲ ଚଲାଉଛନ୍ତି । ସବୁଠୁ ବଡ଼ କଥା ହେଲା ୮୦ ଟପିଥିଲେ ବି ପ୍ରମିଳାଙ୍କୁ ଏବେ ଯାଏଁ କୌଣସି ଔଷଧର ଆବଶ୍ୟକତା ପଡ଼ିନାହିଁ । ସେ ରାଜନୀତିରେ ମଧ୍ୟ ଜଣେ ଦକ୍ଷ ନେତ୍ରୀ । ୨୦ ବର୍ଷ ପୂର୍ବରୁ ସେ ଶିମିଳିପାଳ ପଞ୍ଚାୟତରେ ସରପଞ୍ଚ ରହି ଲୋକଙ୍କ ସେବା କରୁଥିଲେ । ଏବେ ପଦରେ ନ ଥିଲେ ବି ସେବା ଛାଡ଼ି ନାହାନ୍ତି ପ୍ରମିଳା ଅପା । ମନୋବଳ ଦୃଢ଼ କଲେ ଜଣେ ଆଗକୁ ବଢ଼ି ପାରିବ ବୋଲି କହିଛନ୍ତି ଧୋବଣୀ ଅପା ।

 

Leave a Reply

Your email address will not be published. Required fields are marked *