ବାଲିଘାଟ ନିଲାମ ନେଇ ଲୋକେ ଅସନ୍ତୁଷ୍ଟ : ଥାନାର ଦ୍ୱାରସ୍ଥ !!!

Spread the love

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସିରାମ ଛତ୍ରୀଆ : କଳାହାଣ୍ଡି ଜିଲ୍ଲା କଲମପୁର ତହସିଲ ଅନ୍ତର୍ଗତ ଖଣ୍ଡିଡଙ୍ଗରିଗୁଡା ହାତୀନଦୀ ଘାଟ ନିଲାମ ହେବା ପ୍ରସଙ୍ଗ ଏବେ ବିବାଦ ଘେରକୁ ଟାଣି ହୋଇ ଆସୁଛି । ବାଲିଘାଟ ନିଲାମ ହେବାପରେ ଖଣ୍ଡିଡଙ୍ଗରିଗୁଡା ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରି ଆସୁଛନ୍ତି । ତଥାପି ତହସିଲ କାର୍ଯ୍ୟାଳୟ ନିଜ ଜିଦରେ ଅଟଳ ରହି ନିଲାମ ପ୍ରଦାନ କରିଛନ୍ତି । ନିଲାମଧାରୀ ଲୋକଙ୍କ ବିରୋଧର ଶିକାରହେଲା ପରେ ଗ୍ରାମବାସୀଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ନାମରେ ଜୟପାଟଣା ଥାନାରେ ମାମଲା ଦାୟର କରିଥିଲେ । ଏଥିରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ବଡ଼କୂଟରୁ ଫାଣ୍ଡି ଘେରାଉ କରିଥିବା ବେଳେ , ଫାଣ୍ଡି ଅଧିକାରୀ ନିଜର ଅସହାୟତା ପ୍ରକାଶ କରିବା ପରେ ଗ୍ରାମବାସୀ ମାନେ ଜୟପାଟଣା ଥାନା କୁ ଯାଇ ଅଭିଯୋଗ କରିଥିଲେ । ଲିଜଧାରୀ ଭଗବାନ ବିହାରୀ ଥାନାରେ ପହଞ୍ଚି ସମସ୍ତ କାଗଜପତ୍ର ଦାଖଲକରି ନିଜ ପକ୍ଷ ରଖିଥିବା ବେଳେ , ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ଏହା ପୋଲିସ ମାମଲା ନୁହେଁ ରାଜସ୍ୱ ବିଭାଗର ମାମଲା ଓ ଏହା ତହସିଲ କାର୍ଯ୍ୟାଳୟରେ ହିଁ ନିଷ୍ପତି ନିଆଯିବ ବୋଲି ଗ୍ରାମବାସୀ ଙ୍କୁ କହିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ଯେ ତହସିଲଦାରଙ୍କ ଭୂମିକାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । କଲମପୁର ଅଂଚଳର ବାଲି ଘାଟ ପଛରେ ତହସିଲଦାରଙ୍କ ଭୂମିକା ସନ୍ଦେହଜନକ ବୋଲି ଜନସାଧାରଣ ଅନୁମାନ କରୁଥିବା ଦେଖିବାକୁ ମିଳିଛି । ପାରିପାର୍ଶକ ପରିସ୍ଥିତିକୁ ଅଣଦେଖା କରି ତହସିଲଦାର ନିଜ ଜିଦରେ ଅଟଳ ରହି କୌଣସି ପ୍ରକାରେ ନିଲାମ ପ୍ରକ୍ରିୟା ଶେଷ କରିଦେଲେ । ପଲ୍ଲୀସଭା ଏବଂ ଗ୍ରାମ ସଭାରେ ଗ୍ରାମବାସୀ ନଦୀ ଖଣ୍ଡି ଲିଜକୁ ପ୍ରତ୍ୟାଖ୍ୟାନ ସ୍ୱରୂପ ଦସ୍ତଖତ କଲା ପରେ ମଧ୍ୟ ଏହା ଉପରେ କୌଣସି ବିଚାର ବିମର୍ଷ ନ କରିବା ସହ ସରପଞ୍ଚଙ୍କ ଏନଓସି ମିଳି ନଥିବା ଜଣାପଡିଛି । ତଥାପି ଲିଜ ପ୍ରଦାନ ପଛରେ ଯେଉଁ ଉଦ୍ଦେଶ୍ୟ ରହିଛି ତାହାହିଁ ବିବାଦୀୟ ରୂପ ନେଇଥିବା ଗ୍ରାମବାସୀ କହିଛନ୍ତି । ପ୍ରକାଶ ଯେ କେଉଁ ଆବାହାନ କାଳରୁ କଲମପୁର ବ୍ଲକର ମଧ୍ୟସ୍ଥଳରେ ହାତୀନଦୀ ପ୍ରବାହିତ ହେଉଛି , ସେଠାରୁ ରାଜସ୍ୱ ଉପାର୍ଜନ ନିମନ୍ତେ ତହସିଲ ପକ୍ଷରୁ ବାରମ୍ବାର ଉଦ୍ୟମ କରି ବିଫଳ ହେଲା ପରେ କାର୍ଯ୍ୟରତ ଅଧିକାରୀ ତହସିଲଦାର କରିସ୍ମା ବେଶ୍ରା ଉଦ୍ୟମ କରି ମଧ୍ୟ ଵିଫଳ ହୋଇଥିଲେ ହେଁ ତାହାକୁ ସଫଳ କରିବାକୁ ଶେଷ ପର୍ଯ୍ୟାୟରେ ରେ ପହଞ୍ଚିଛନ୍ତି । ଖଣ୍ଡିଡଙ୍ଗରିଗୁଡା ଗ୍ରାମବାସୀ ଯେକୌଣସି ପରିସ୍ଥିତିରେ ମଧ୍ୟ ବାଲି ଉଠାଣ ନିମନ୍ତେ ସୁଯୋଗ ଦିଆଯିବ ନାହିଁ ବୋଲି ନିଜ ଜିଦରେ ଅଟଳ ଅଛନ୍ତି । ଜୟପାଟଣା ଥାନାରୁ ଫେରି ଗ୍ରାମବାସୀ ମାନେ ନିଜ ଗ୍ରାମରେ ସଭା କରି ନିଷ୍ପତି ନେବେ ବୋଲି ଜଣା ପଡିଥିବା ବେଳେ, ଲିଜଧାରୀ ନିଲାମ ରଦ୍ଧ କରିଦେଲେ ମଧ୍ୟ ମୁଁ ତାହାକୁ ମାନି ନେବି ବୋଲି କହିଛନ୍ତି । ତେବେ ମାମଲା କେଉଁ ରୂପନେବ ତାହା ପ୍ରଶାସନିକ କାର୍ଯ୍ୟ ଉପରେ ନିର୍ଭର କରୁଛି ।

Leave a Reply

Your email address will not be published. Required fields are marked *