ଜାରି ରହିବ କରୋନା ସଚେତନତା ଓ କିଟ୍ ବିତରଣ କାର୍ଯ୍ୟକ୍ରମ : ଚିନ୍ମୟ ଫାଉଣ୍ଡେସନର ୩୨ ତମ ସମୀକ୍ଷା ବୈଠକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ଵରୁ ମହାମାରୀ କରୋନାର ବିନାଶ ହେବା ପର୍ଯ୍ୟନ୍ତ କରୋନା ସଚେତନତା ଓ କିଟ୍ ବିତରଣ କାର୍ଯ୍ୟକ୍ରମ ଜାରି ରହିବ , ଚିନ୍ମୟ ଫାଉଣ୍ଡେସନର ୩୨ ତମ ସମୀକ୍ଷା ବୈଠକରେ ସମୀକ୍ଷକ ମାନଙ୍କର ମତ । ଆଜି ସମଗ୍ର ବିଶ୍ୱ କରୋନାର କରାଳ ଗ୍ରାସ ଭିତରେ ନିଜର ସତ୍ତାକୁ ହରାଇ ବସିଛି । ଶିକ୍ଷା, ଅର୍ଥନୀତି, ସାମାଜିକ ବିକାଶ ତଥା ସାଂସ୍କୃତିକ ଜାଗରଣ କ୍ଷେତ୍ରରେ କେଇପାଦ ପଛକୁ ଫେରି ଯାଇଛୁ ଆମେମାନେ । ଏବେ ବି କମିନାହିଁ କରୋନାର ଭୟ । ଦେଶର ବିଭିନ୍ନ ସ୍ଥାନରେ ପୁଣି ମୁଣ୍ଡ ଟେକିବାର ଦେଖିବାକୁ ମିଳୁଛି । ଏଣୁ ଅମାନିଆ ନ ହୋଇ ସଚେତନ ହେବାର ଆବଶ୍ୟକତା ରହିଛି । ଏତଦ୍ଭିନ୍ନ ଆର୍ଥିକ ତଥା ସାମାଜିକ ସ୍ତରରେ ପଛୁଆ ଭାବରେ ରହି ଯାଇଥିବା ବ୍ୟକ୍ତି ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ଆବଶ୍ୟକତା ମଧ୍ୟ ରହିଛି । ଏ ସବୁକୁ ଆଖି ଆଗରେ ରଖି ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ଅଦ୍ୟାବଧି ୮୦୦ ଦିନ ଧରି ନିରବଚ୍ଛିନ୍ନ ଭାବରେ ସଚେତନତା, କରୋନା କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଜାରି ରଖିଛି ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ । ନିରବଛିନ୍ନ ଭାବରେ ଚାଲୁ ରହିଥିବା କରୋନା ସଚେତନତା, କରୋନା କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ପ୍ରତି ୨୫ ଦିନରେ ସମୀକ୍ଷା ବୈଠକ ବସୁଥିବା ବେଳେ ୮୦୦ ତମ ଦିବସର ୩୨ ତମ ସମୀକ୍ଷା ବୈଠକ ସ୍ଥାନୀୟ ଦଶରଥପୁର ବ୍ଲକ ମଙ୍ଗଳପୁରସ୍ଥିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ପରିସରରେ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସମୀକ୍ଷା ବୈଠକରେ ସମୀକ୍ଷକ ଭାବରେ କଳାକାର ଶଶିକାନ୍ତ ପଣ୍ଡା, କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର, ସମାଜସେବୀ ସୁରେଶ ଚନ୍ଦ୍ର ଦାସ, ଯୁବ ସମାଜସେବୀ ପାର୍ଥିବ ନାୟକ ଆଦି ଯୋଗ ଦେଇ ସମଗ୍ର ବିଶ୍ଵରୁ ମହାମାରୀ କରୋନାର ଭୟ ହଟିବା ପର୍ଯ୍ୟନ୍ତ ଫାଉଣ୍ଡେସନର ନିରବଚ୍ଛିନ୍ନ ସଂଗ୍ରାମ ଜାରି ରହିବା ସହ ଗରିବ ଓ ଅସହାୟ ମାନଙ୍କୁ ସେବା ଯୋଗାଇଦେବା ନିମନ୍ତେ ସମାଜରେ ସୈନ୍ୟ ସୃଷ୍ଟି କରିବାର ପ୍ରକ୍ରିୟା ଜାରି ରହିବ ବୋଲି ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *