ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଘରୋଇ ଟିଭି ଚ୍ୟାନେଲ ବଡ଼ ଖବର ର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ନିକଟରେ ଇଓଡବ୍ଲୁ ଗିରଫ କରିଛି । କିନ୍ତୁ ଏହି ଗିରଫଦାରୀକୁ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ଶାଳିଆ ପ୍ରେସ କ୍ଲବ ନିନ୍ଦା କରିଛି । ଅର୍ଦ୍ଧେନ୍ଦୁଙ୍କୁ ଜାଣିଶୁଣି ଷଡଯନ୍ତ୍ର କରି ଗିରଫ କରାଯାଇଛି ବୋଲି ପ୍ରେସ କ୍ଲବର କର୍ମକର୍ତ୍ତା ମାନେ କହିଛନ୍ତି । ଏକ ଚୁକ୍ତିଭିତିକ ଟଙ୍କା ନେଣ ଦେଣ ବ୍ୟବସାୟକୁ ଅପରାଧର ରଙ୍ଗ ଦିଆଯାଇ ଜାଣିଶୁଣି ଜନୈକ ବ୍ୟବସାୟୀ ଇଓଡବ୍ଲୁ ରେ ଏତଲା ଦେବା ସନ୍ଦେହଜନକ ଏବଂ ଏହା ପଛରେ ଏକ ବଡ଼ ଚକ୍ରାନ୍ତ ହୋଇଥିବାର ସାମ୍ବାଦିକ ମାନେ ଅଭିଯୋଗ କରିଛନ୍ତି । ରାଜ୍ୟର କୋଣ ଅନୁକୋଣରୁ ଏହା ବିରୁଦ୍ଧରେ ଜନସାଧାରଣଙ୍କ ସ୍ୱର ଶାଣିତ ହେବାରେ ଲାଗିଥିବା ବେଳେ ଜଣେ ବରିଷ୍ଠ ସଚ୍ଚୋଟ ସାମ୍ବାଦିକଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଫସାଯାଇ ଏହିପରି ରାତିଅଧିଆ ଗିରଫ କରିବା ଏବଂ ଗଳାକୁ ଧରି ଭିଡି ଭିଡି ନେବା ଘଟଣାକୁ ସବୁ ମହଲରୁ ନିନ୍ଦା କରାଯାଇଛି । ଗଣତନ୍ତ୍ର ପାଇଁ ଏହି କଳା ଦିବସ ବୋଲି ସାମ୍ବାଦିକ ମାନେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଶାଳିଆ ପ୍ରେସ କ୍ଲବର ସଭାପତି ଅଜିତ ସାହୁଙ୍କ ନେତୃତ୍ୱରେ ବହୁ ସଦସ୍ୟ କଳା ବ୍ୟାଜ ପରିଧାନ କରି ଅର୍ଦ୍ଧେନ୍ଦୁ ଦାସଙ୍କୁ ନ୍ୟାୟ ପ୍ରଦାନ ଏବଂ ଉକ୍ତ ଷଡଯନ୍ତ୍ରର ତଦନ୍ତ ଦାବିରେ ବାଣପୁର ଅତିରିକ୍ତ ତହସିଲଦାର ସାହୀନ ନାଜ ଓ ଅତିରିକ୍ତ ଚିଲିକା ତହସିଲଦାର ଅର୍ପନା ଡାଙ୍ଗୁଆଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫକୁ ନିନ୍ଦା : ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେଲା ଶାଳିଆ ପ୍ରେସ କ୍ଲବ !!!

