ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ 2023 ମସିହା ଶେଷ ସୁଦ୍ଧା ୩ଶହଟି ମୋବାଇଲ୍ ଟାୱାର ନିର୍ମ।ଣ ହେବ । ଫଳରେ ଜିଲ୍ଲାର ଅଧିକାଂଶ ଅଞ୍ଚଳର ଲୋକେ ଯୋଗାଯୋଗ ଜନିତ ସମସ୍ୟାରେ ପଡୁଛନ୍ତି ତାହା ଆଉ ରହିବ ନାହିଁ । ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକ ପରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏହି ସୂଚନା ଦେଇଛନ୍ତି । ଏହି ମୋବାଇଲ୍ ଟାୱାର ନିର୍ମ।ଣ ପାଇଁ ବିଏସଏନଏଲ, ରିଲାଏନ୍ସ,, ଭୋଡାଫୋନ୍ ଏବଂ ଏୟାରଟେଲ୍ ସହ ଚୁକ୍ତି ହୋଇଥିବା ବେଳେ ସଂପୃକ୍ତ କମ୍ପାନୀ ମାନେ ସେମାନଙ୍କ ସର୍ଭେ କାମ ଆରମ୍ଭ କରି ସାରିଛନ୍ତି ବୋଲି ସେ କହିଛନ୍ତି । କେବଳ ସେତିକି ନୁହେଁ, ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି। ଯାହାର ବିକାଶ ଦ୍ବାରା ଜିଲ୍ଲାର ଅର୍ଥନୈତିକ ଓ ସାମାଜିକ ଉନ୍ନତି ହୋଇପାରିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେଗୁଡିକର ବିକାଶ ପାଇଁ ଯୋଜନା କରିଛନ୍ତି । କିଛି ସ୍ଥାନର ଉନ୍ନତି ଆରମ୍ଭ ହୋଇଥିବା ବେଳେ ଆଉ କିଛି ସ୍ଥାନର ଉନ୍ନତି ଅତିଶୀଘ୍ର ହେବ । ଏହି ପର୍ଯ୍ୟଟନସ୍ଥଳୀକୁ ଲୋକଙ୍କୁ ଆକୃଷ୍ଟ କରିବା ପାଇ ଦୁଇଟି ପର୍ଯ୍ୟଟନସ୍ଥଳୀରେ ମାଗଣା ୱାଇ ଫାଇ ସେବା ଯୋଗାଇ ଦେବାକୁ ସ୍ଥିର କରାଯାଇଛି । ତେବେ ଏହି ଦୁଇଟି ସ୍ଥାନର ତାଲିକା ଜିଲ୍ଲା ପ୍ରଶାସନ ସ୍ଥିର କରି ଦେବା ପରେ ସେହି ସ୍ଥାନରେ ଏହି ସୁବିଧା ପ୍ରଦାନ କରାଯିବ ବୋଲି ସାଂସଦ କହିଛନ୍ତି । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସମସ୍ତ ବ୍ଲକ ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ ।

