” ଗୁରୁ ଦିବସ ” ରେ ଗୁରୁଙ୍କୁ ଚାରା ବାଣ୍ଟିଲେ ଗୁରୁ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପ୍ରକୃତିର ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ” ପ୍ରକୃତି ବନ୍ଧୁ ” ଆଦର୍ଶ ଶିକ୍ଷକ ଦମ୍ଫତ୍ତି । ବର୍ତ୍ତମାନ ଉଭୟ ଶିକ୍ଷକ ଦମ୍ଫତ୍ତି କଟକ ଜିଲ୍ଲାର ଡମପଡା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ନରଗାଙ୍ଗରେ ଶିକ୍ଷକତା କରୁଛନ୍ତି । ନିଜର ଘର ହେଉଛି ଉକ୍ତ ବ୍ଲକର ପ୍ରାକୃତିକ ପରିବେଶ ପୂର୍ଣ୍ଣ ପାହାଡ ପର୍ବତ ଘେରା ଢ଼ଂସର ଗ୍ରାମ ପଞ୍ଚାୟତରେ । ପେଶା ସିନା ଶିକ୍ଷକତା । ହେଲେ ନିଶା ହେଉଛି ପ୍ରକୃତିର ସଂରକ୍ଷଣ ଓ ପରିବେଶ ସୁରକ୍ଷା । ଏହି ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ୨୦୨୦ ମସିହାରେ ଶ୍ରୀଯୁକ୍ତ ପାଇକରାୟଙ୍କୁ ଓ ୨୦୨୫ ମସିହାରେ ଶ୍ରୀମତୀ ପାଇକରାୟଙ୍କୁ ରାଜ୍ୟ ସ୍ତରୀୟ ସମ୍ମାନ ଜନକ ” ପ୍ରକୃତି ବନ୍ଧୁ ” ପୁରଷ୍କାର ପ୍ରଦାନ କରାଯାଇଛି । ଉଭୟ ଦମ୍ଫତ୍ତି ପ୍ରକୃତିକୁ ଏତେ ଭଲ ପାଉଛନ୍ତି ଯେ ପବିତ୍ର ” ଗୁରୁ ଦିବସ ” ପାଳନ ଅବସରରେ ନିଜ ବାଡ଼ିରେ ନିଜେ ସଯତ୍ନରେ ବଢାଇଥିବା ଚାରାକୁ ବିନା ମୂଲ୍ଯରେ ନିଜ ଗାଡିରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ, କାର୍ଯ୍ଯାଳୟ ଇତ୍ୟାଦିରେ ବଣ୍ଟନ କରିବା ସହିତ ସବୁ ବର୍ଗର ବ୍ଯକ୍ତି ବିଶେଷଙ୍କୁ ସାମିଲ କରାଇ ବୃକ୍ଷ ରୋପଣ କରି ପରିବେଶ ପ୍ରତି ଆଗ୍ରହ ସୃଷ୍ଟି କରାଉଛନ୍ତି । ସେମାନଙ୍କ ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ପରିବେଶ ସହିତ ଜଡିତ କରାଇ , ପରିବେଶ ପ୍ରତି ଆଗ୍ରହ ସୃଷ୍ଟି କରାଇଲେ , ନିଶ୍ଚୟ ଭାବେ ସବୁଜ ବନାନୀ ଭରା ସୁନ୍ଦର ପରିବେଶ ଟିଏ ଗଠନ ହୋଇପାରିବ । ଯାହା ଫଳରେ ପରିବେଶ ସନ୍ତୁଳନ ହେବା ସହିତ ପୃଥିବୀ ପୃଷ୍ଠରେ ସମସ୍ତ ଜୀବ ଜଗତ ଶାନ୍ତିରେ ଜୀବନ ଯାପନ କରି ପାରିବ । ନିଶ୍ଚୟ ଭାବେ ଜୀବ ଜଗତ ବିଭିନ୍ନ ପ୍ରାକୃତିକ ଦୁର୍ବିପାକରୁ ନିଜକୁ ରକ୍ଷା କରି ପାରିବ । ତାଙ୍କର ଏହି ମହତ ଉଦ୍ୟମ ପାଇଁ ସ୍ଥାନୀୟ ଜନସାଧାରଣ ,ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ପରିବେଶବିତ୍ ମାନେ ଉଚ୍ଚ ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *