କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନାର ମହିଳା ସବ୍ ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ମୃତ୍ୟୁ ମାମଲାରେ ଜି.ଉଦୟଗିରି ଥାନା ଆଇଆଇସି ରେବତୀ ଶବରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ସ୍ୱାଗତିକାଙ୍କ ପରିବାର ପକ୍ଷରୁ କରାଯାଇଥିବା ସବୁ ଅଭିଯୋଗର ତଦନ୍ତ ଜଣେ ଡିଏସପି ପାହ୍ୟାର ଅଧିକାରୀ କରିବେ। ଏନେଇ କନ୍ଧମାଳ ଏସ୍ପି ଭିନିତ୍ ଅଗ୍ରୱାଲ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ପରିବାରର ଅଭିଯୋଗ ପରେ ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଅଭିଯୋଗର ତଦନ୍ତ ସରିବା ପର୍ଯ୍ୟନ୍ତ ଜି.ଉଦୟଗିରି ଥାନା ଆଇଆଇସି ରେବତୀ ଶବରଙ୍କ ବଦଳି କରାଯିବ । ରେବତୀ ଶବରଙ୍କୁ ପୁଲିସ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯିବ । ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନା ଥାଇକି, ସ୍ୱାଗତିକାଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ କ୍ୱାର୍ଟର୍ସରୁ ମିଳିଥିଲା । ଯାହାପରେ ତାଙ୍କ ପରିବାର ଲୋକେ ଏହି ମୃତ୍ୟୁ ପଛରେ ଆଇଆଇସି ରେବତୀ ଶବର ପକାଉଥିବା ଚାପ ଓ ହାରାସ୍ମେଣ୍ଟ ବୋଲି ଅଭିଯୋଗ କରିଥିଲେ । ପରିବାର ଲୋକେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ, ସ୍ୱାଗତିକା ୨୦୧୯ ରୁ ଜି. ଉଦୟଗିରି ଥାନାରେ ଏସ୍ଆଇ ଭାବେ କାର୍ଯ୍ୟରତ ଥିଲେ । ସେ ଏଠାରେ କାର୍ଯ୍ୟରେ ଯୋଗଦେବା ଦିନ ଠାରୁ ମାନସିକ ନିର୍ଯାତନା ପାଉଥିଲେ । ଆଇଆଇସି ରେବତୀ ଶବର ସବୁବେଳେ ତାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିଲେ । ସ୍ୱାଗତିକା ଯେତେବେଳେ ବି ଘରକୁ ଫୋନ୍ କରୁଥିଲେ ସବୁବେଳେ ଆଇଆଇସିଙ୍କ ଅତ୍ୟାଚାର କଥା କହୁଥିଲେ । ଆଇଆଇସିଙ୍କ ନିର୍ଯାତନା ସହି ହେଉ ନଥିବାରୁ ସେ ଚାକିରି ଛାଡ଼ି ଦେବେ ବୋଲି ମଧ୍ୟ କହୁଥିଲେ । ସେପଟେ ଏତଲା ଉପରେ ପଦକ୍ଷେପ ନିଆଯାଉ ନ ଥିବା ପ୍ରତିବାଦରୁ ଆଜି ଜି. ଉଦୟଗିରି ଥାନା ଆଗରେ ପରିବାର ଲୋକେ ପ୍ରବଳ ବିରୋଧ ସତ୍ୱେ ଧାରଣା ଦେଇଥିଲେ ।
ଏସ୍ଆଇ ସ୍ୱାଗତିକା ମୃତ୍ୟୁ ମାମଲା : ଡିଏସ୍ପି ଙ୍କୁ ଦିଆଗଲା ତଦନ୍ତ ଭାର !!!

