ପ୍ଲାଷ୍ଟିକ୍ ମୁକ୍ତ ବାଲିଯାତ୍ରା ପାଇଁ କାର୍ଯ୍ୟକାରୀ ହେବ “ଡିଜିଟାଲ ଡିପୋଜିଟ୍ ରିଫଣ୍ଡ୍ ସିଷ୍ଟମ୍‌” !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ପ୍ଲାଷ୍ଟିକ୍ ମୁକ୍ତ ବାଲିଯାତ୍ରା ପାଇଁ କାର୍ଯ୍ୟକାରୀ ହେବ ” ଡିଜିଟାଲ ଡିପୋଜିଟ୍ ରିଫଣ୍ଡ୍ ସିଷ୍ଟମ୍‌ ” ! ଖୋଲାଯିବ ୨୧ ଟି ପ୍ଲାଷ୍ଟିକ୍ ବୋତଲ ଓ ଜରି ସଂଗ୍ରହ କେନ୍ଦ୍ର ! କାର୍ଯ୍ୟକ୍ଷମ ହେବ ‘ଫୁଡ୍ ଟେଷ୍ଟିଂ ଲାବୋରେଟୋରୀ ଅନ୍ ହ୍ୱିଲ ’ ! ଦିନକୁ ତିନି ଥର ଯାଞ୍ଚ ସହ ହେବ ସଚେତନତା କାର୍ଯ୍ୟକ୍ରମ ! କଟକ ବାଲିଯାତ୍ରାକୁ ସଂପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ମୁକ୍ତ କରାଯିବ । ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ୟବହାରକୁ ଏକ ସଂଗଠିତ ବ୍ୟବସ୍ଥା ମାଧ୍ୟମରେ ନିୟନ୍ତ୍ରଣ କରାଯିବା ପାଇଁ କଟକ ମହାନଗର ନିଗମ ପକ୍ଷରୁ ଏକ ଅଭିନବ ଯୋଜନା କରାଯାଇଛି । ‘ଡିଜିଟାଲ ଡିପୋଜିଟ୍ ରିଫଣ୍ଡ୍ ସିଷ୍ଟମ୍‌’ ଜରିଆରେ ଏହି କାର୍ଯ୍ୟ କରାଯିବ । ବିଶେଷକରି ବାଲିଯାତ୍ରା ପଡିଆରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବୋତଲ ଓ ଜରି ବ୍ୟବହାରକୁ ଉପରୋକ୍ତ ବ୍ୟବସ୍ଥା ମାଧ୍ୟରେ ନିୟନ୍ତ୍ରଣ କରାଯିବ । ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବା ପାଇଁ ଆଜି ଅପରାହ୍ନରେ ନିଗମ ସମ୍ମିଳନୀ କକ୍ଷରେ ବ୍ୟବସାୟୀ (ଡିଲର / ଡିଷ୍ଟ୍ରବ୍ୟୁଟର ) ମାନଙ୍କ ସହ ସିଏମସି କର୍ତୃପକ୍ଷଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବାଲିଯାତ୍ର ପଡିଆରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ବୋତଲ ଓ ଜରିକୁ ନିୟନ୍ତ୍ରଣ କରିବା ସକାଶେ ନିଆଯିବାକୁ ଥିବା ପଦକ୍ଷେପ ଉପରେ ସେମାନଙ୍କୁ ଅବଗତ କରାଯାଇ ସଂପୂର୍ଣ୍ଣ ସହଯୋଗ କାମନା କରାଯାଇଥିଲା । ଯୋଜନା ମୁତାବକ ବ୍ୟବସାୟୀ ମାନେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକରେ ବିକ୍ରି ପାଇଁ ଥିବା ସାମଗ୍ରୀ ଉପରେ କ୍ୟୁଆର୍ କୋଡ୍ ବ୍ୟବହାର କରିବେ । ବାଲିଯାତ୍ରା ପଡିଆରେ ଯେଉଁ ସାମଗ୍ରୀ ବିକ୍ରି କରାଯିବ ସେଥିରେ ସିଏମସି ପକ୍ଷରୁ ଏହି ସ୍ୱତନ୍ତ୍ର କ୍ୟୁଆର୍ କୋଡ୍ ଲଗାଯିବ । ପାଣି ବୋତଲ ହେଉ କି କୈାଣସି ଜରି ପ୍ୟାକେଟରେ ଥିବା ଖାଦ୍ୟ ସବୁଥିରେ କ୍ୟୁଆର କୋଡ୍ ଲଗାଯିବ । ଏହି କ୍ୟୁଆର କୋଡ୍ ଲଗାଇବା ପରେ ଦୋକାନୀ ସାମଗ୍ରୀ ବିକ୍ରି କରିପାରିବେ । କିଣିଲା ବେଳେ ଗ୍ରାହକଙ୍କୁ ଧାର୍ଯ୍ୟ ଦର ଉପରେ ୫ ଟଙ୍କା ଅଧିକ ଦେବାକୁ ପଡିବ । ସାମଗ୍ରୀ ବ୍ୟବହାର କରିସାରିବା ପରେ ଗ୍ରାହକ ନିଗମ ପକ୍ଷରୁ ଖୋଲା ଯାଇଥିବା କଲେକ୍ସନ ସେଣ୍ଟରରେ ପ୍ଲାଷ୍ଟିକ ବୋତଲ କିମ୍ବା ଜରି ପ୍ୟାକେଟ୍ ଫେରାଇ ପୁର୍ବରୁ ଦାଖଲ କରିଥିବା ଅଧିକ ୫ ଟଙ୍କାକୁ ଫେରସ୍ତ ନେଇପାରିବେ । ଭିଡକୁ ଆଖିରେ ରଖାଯାଇ ବାଲିଯାତ୍ରା ପଡିଆର ବିଭିନ୍ନ ସ୍ଥାନରେ ମୋଟ ୨୧ଟି କଲେକ୍ସନ ସେଣ୍ଟର ଖୋଲିବ ବୋଲି ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ଆଜି ବୈଠକରେ ସୂଚନା ଦେଇଛନ୍ତି । ଏତଦ୍ ବ୍ୟତୀତ ବାଲିଯାତ୍ରାରେ ବର୍ଜ୍ୟବସ୍ତୁ ପରିଚାଳନା ଓ ଖାଦ୍ୟ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ବାସୀ ଖାଦ୍ୟ କିମ୍ବା ଅପମିଶ୍ରିତ ଖାଦ୍ୟ ବିକ୍ରି କରାଗଲେ ସଂପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ର କହିଛନ୍ତି । ବିଶେଷକରି ବାଲିଯାତ୍ରା ପଡିଆରେ ଏଥିନେଇ ଦିନକୁ ତିନି ଥର ସଚେତନତା କାର୍ଯ୍ୟକ୍ରମ କରାଯିବ । ଏହାଛଡା ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି ୫ ଟି ଖାଦ୍ୟ ଯାଞ୍ଚ ଟିମ୍ ୫ ଜଣ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଗଠନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଚଳିତବର୍ଷ ବାଲିଯାତ୍ରାରେ ତତ୍‌କ୍ଷଣାତ୍ ଖାଦ୍ୟର ମାନ ନିର୍ଣ୍ଣୟ ପାଇଁ ପ୍ରଥମ କରି ‘ଫୁଡ୍ ଟେଷ୍ଟିଂ ଲାବୋରେଟୋରୀ ଅନ୍ ହ୍ୱିଲ’ କାର୍ୟ୍ୟକ୍ରମ ହାତକୁ ନିଆଯାଇଛି । ଏଥିରେ ତୁରନ୍ତ ଖାଦ୍ୟ ନମୁନା ପରୀକ୍ଷା କରାଯାଇ ନିମ୍ନମାନର ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ତତ୍‌କ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନୁଷ୍ଠିତ ବୈଠକରେ କମିଶନର ଶ୍ରୀ କଲ୍ୟାଣଙ୍କ ସମେତ ଡେପୁଟି କମିଶନର ସଂଜିବୀତା ରାୟ, ଖାଦ୍ୟ ସୁରକ୍ଷା ଅଧିକାରୀ ଓ ବିଭିନ୍ନ ବ୍ୟବସାୟୀ ସଂସ୍ଥାର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *