ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧାରେ ବ୍ୟାପିବାରେ ଲାଗିଛି ବାର୍ଡ-ଫ୍ଳୁ . କୁକୁଡା ଫାର୍ମରେ ଶହଶହ କୁକୁଡା ଫ୍ଲୁ ପ୍ରଭାବରେ ମୃତ୍ୟୁବରଣ କରୁଛନ୍ତି . ବାର୍ଡ-ଫ୍ଲୁ ଯୋଗୁଁ ରାଜ୍ୟ ବାହାରେ ପକ୍ଷୀ ମଡ଼କ ଦେଖିବାକୁ ମିଳୁଥିବା ବେଳେ ଏବେ ରାଜ୍ୟରେ ସେଭଳି କିଛି ଘଟଣା ସାମ୍ନାକୁ ଆସିଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବଡବେରଣା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର କୁକୁଡା ଚାଷୀ ବିରଞ୍ଚି ମହାନ୍ତିଙ୍କ କୁକୁଡା ଫାର୍ମରେ ଶହ ଶହ ସଂଖ୍ୟାରେ କୁକୁଡା ମରିଯାଉଥିବା ଦେଖିବାକୁ ମିଳିଛି । ସଂପୃକ୍ତ ଚାଷୀ ଜଣକ ଡିସେମ୍ବର ମାସରେ ୩ହଜାର ଦୁଇ ଶହ କୁକୁଡ଼ା ପାଳନ କରିଥିଲେ । ଗତ ୫ ତାରିଖ ସନ୍ଧ୍ୟାରୁ କୁକୁଡା ଗୁଡିକ ମରିବା ଆରମ୍ଭ ହୋଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ବେଗୁନିଆ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ବିଶ୍ୱରଞ୍ଜନ ରାଉତ ଘଟଣାସ୍ଥଳରେ ପହଞ୍ଚି ୧୦ଟି ମୃତ କୁକୁଡାକୁ ସଂଗ୍ରହ କରି ଭୋପାଳ ସ୍ଥିତ ପରୀକ୍ଷାଗାରକୁ ପଠାଇଥିଲେ । ପରେ ବେଗୁନିଆ ବିଡିଓ ରତିକାନ୍ତ ମିଶ୍ର ,ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ଡାକ୍ତର ବିଷ୍ଣୁ ଚରଣ ସାହୁ ଓ କଟକ ଜିଲ୍ଲାର ଫୁଲନଖରା ସ୍ଥିତ ପ୍ରାଣୀ ଗବେଷଣା କେନ୍ଦ୍ରର ଡେପୁଟି ଡ଼ାଇରେକ୍ଟର ଡାକ୍ତର ବିଭୁ ରଞ୍ଜନ ଦାଶ ପ୍ରମୁଖ ପହଞ୍ଚି ଫାର୍ମର ସବିଶେଷ ବିବରଣୀ ନେବା ସହ କୁକୁଡା ମରିବାର କାରଣ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଏଠାରେ ମରିଥିବା କୁକୁଡା ଗୁଡ଼ିକ କାରଣ ଅସ୍ପଷ୍ଟ ଥିବା ସମୟରେ ପରୀକ୍ଷାର ରିପୋର୍ଟ ଚାରି ଦିନ ପରେ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଥିଲେ । ମୃତ୍ୟୁବରଣ କରିଥିବା କୁକୁଡା ଗୁଡିକୁ ଜେସିବି ସାହାଯ୍ୟରେ ଏକ ଖାତ ଖୋଳି ପୋତି ଦିଆଯାଇଛି । ତେବେ ଫ୍ଲୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି .