କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ବଡ ଡାକ୍ତରଖାନା କାଜୁଆଲିଟିରୁ ଅସହାୟ ରୋଗୀ ନିଖୋଜ ଏବଂ ଅନ୍ୟ ଅସହାୟ ରୋଗୀ ଙ୍କ ସୁରକ୍ଷା ପାଇଁ ଏସସିବି ମେଡିକାଲ ଅଧିକ୍ଷକଙ୍କ ଦ୍ବାରସ୍ଥ ହେଲେ ଏଇତ ଜୀବନ ସାମାଜିକ ଗଣମାଧ୍ୟମ ଓ ସଙ୍ଗଠନର ସଦସ୍ୟ । ଗତ ଦୁଇ ତିନି ଦିନ ହେବ ଜଣେ ବ୍ୟକ୍ତି ଅସହାୟ ଅବସ୍ଥାରେ ପଡ଼ି ରହିଥିଲେ । ଏହକୁ ଦେଖି ଶଙ୍କରପୁର ଅଞ୍ଚଳର ଜଣେ ଯୁବ ବ୍ୟବସାୟୀ ଏଇତ ଜୀବନ ସାମାଜିକ ସଙ୍ଗଠନର ସଦସ୍ୟ ମାନଙ୍କୁ ଜଣାଇଥିଲେ। ଖବର ପାଇ ଏଇତ ଜୀବନ ପରିବାରର ପ୍ରିୟବ୍ରତ ପଟ୍ଟନାୟକ, ପ୍ରହଲ୍ଲାଦ ମହାରଣା, ଅଭିଜିତ ଦାସ, ଦେବ ପ୍ରସାଦ ବାରିକ, ଚନ୍ଦ୍ରଶେଖର ବିଶ୍ଵାଳ, ଶକ୍ତି ପ୍ରସାଦ ବେହେରା ଓ ଅମ୍ବିକା ପ୍ରସାଦ ବେହେରା ପହଞ୍ଚି ଅସହାୟ ବ୍ୟକ୍ତି ଟିକୁ ଦାଢ଼ି ଚୁଟି କାଟିବା ସହିତ ପ୍ରାଥମିକ ଚିକିତ୍ସା ଯୋଗାଇ, ଆମ୍ବୁଲାନ୍ସ ଯୋଗେ ବଡ ମେଡିକାଲ ପଠାଇଥିଲେ । ଆମ୍ବୁଲାନ୍ସରେ ରୋଗୀକୁ ପଠାଇବା ପରେ, ଦୁଇ ଜଣ ସାମାଜିକ କର୍ମୀ ପଛେ ପଛେ ମଧ୍ୟ ଯାଇଥିଲେ। ଆମ୍ବୁଲାନ୍ସ କର୍ମଚାରୀ ଅସହାୟ ରୋଗୀକୁ ଆଣି ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଦୁଃଖର ବିଷୟ , ମେଡିକାଲରେ ଭର୍ତ୍ତି କରିବାର କିଛି ସମୟ ପରେ ସାମାଜିକ କର୍ମୀମାନେ ସେହି ଅସହାୟ ରୋଗୀକୁ ପାଇ ନଥିଲେ । ରୋଗୀ ମାନଙ୍କ ସେବା ପାଇଁ ନିଯୁକ୍ତ କର୍ମଚାରୀ ମାନଙ୍କୁ ପଚାରିବାରୁ, ସେମାନେ ଉତ୍ତର ଦେଲେ ଯେ – ରୋଗୀଟି ଶୌଚ କରିବାକୁ ଯାଇ ଆଉ ଫେରି ନାହିଁ ! ତେବେ ଅସହାୟ ରୋଗୀଙ୍କ ପାଇଁ ନିୟୋଜିତ କର୍ମଚାରୀ ମାନେ କରୁଥିଲେ କଣ ? ଏହି ବାବଦରେ ଏଇତ ଜୀବନ ସାମାଜିକ ଗଣମାଧ୍ୟମ ଓ ଫାଉଣ୍ଡେସନର ଏକ ଦଳ ବଡ ମେଡିକାଲ ଅଧିକ୍ଷକଙ୍କ ସହିତ ସାକ୍ଷାତ କରି, ଘଟଣାର ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସଙ୍ଗଠନର ପ୍ରତଷ୍ଠାତା ପ୍ରିୟବ୍ରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା ସଂଜିତ ସାମଲ, ରଞ୍ଜନ ବେହେରା, ପ୍ରହଲ୍ଲାଦ ମହାରଣା, ବାବୁ ନାୟକ, ଅଭିଜିତ ଦାସ, ଚନ୍ଦ୍ର ଶେଖର ବିଶ୍ଵାଳ ଓ ଅନ୍ୟ ସଦସ୍ୟ ମାନେ ବଡ ମେଡିକାଲ ସ୍ଥିତ ଅଧିକ୍ଷକଙ୍କ ଅଫିସ ଯାଇ ଦାବିପତ୍ର ପ୍ରଦାନ କରିଥଲେ ।
ବଡ ମେଡିକାଲ ରେ ଅସହାୟ ରୋଗୀଙ୍କ ସୁରକ୍ଷା ନେଇ ମେଡିକାଲ ଅଧିକ୍ଷକ ଙ୍କୁ ଦାବୀ ଜଣାଇଲା ଏଇତ ଜୀବନ !!!

