ଗାଁ ଠୁ ସହର ସବୁଠି ଲାଗିଲା ହୋଲିର ରଙ୍ଗ: ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ହୋଲି ପର୍ବ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ରଙ୍ଗର ପର୍ବ ହୋଲି । ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସନ୍ତି । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ଗାଁଠୁ ସହର ସବୁଠି ଚାଲିଥିଲା ରଙ୍ଗର ଖେଳ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଗୀତ ନାଚର ଆସର ବି ଜମିଥିଲା । ଗାଁକୁ ଗାଁ ବୁଲି ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହୋଇଥିଲେ । ରଙ୍ଗ ଓ ରଙ୍ଗ ପିଚକାରୀର ଆଜି ଦିନରେ ଦବଦବା ରହିଥିଲା । ହୋଲି ଖେଳ ପଛରେ ପୌରାଣିକ ତତ୍ୱ ବି ରହିଛି ।ସମସ୍ତଙ୍କୁ ଭାବର ରଙ୍ଗରେ ରଙ୍ଗୀନ କରିବାକୁ ବର୍ଷକ ପରେ ଆସିଛି ଭାଇଚାରାର ମହାନ ପର୍ବ ହୋଲି। ଅବିର ମାଧ୍ୟମରେ ଶାନ୍ତି, ପ୍ରୀତି, ମୈତ୍ରି, ସଦଭାବନାର ବାର୍ତ୍ତା ବିଞ୍ଛି ଚାଲିଛି ଏହି ମହାନ ପର୍ବ। ଏ ନେଇ କନ୍ଧମାଳ ଜିଲ୍ଲାର ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଛି ହୋଲି ପର୍ବ। ପରସ୍ପରକୁ ଅବିର ଓ ରଙ୍ଗ ଲଗାଇ ଅଭିବାଦନ ଜଣାଇଛନ୍ତି ଆବାଳ ବୃଦ୍ଧ ବନିତା । କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୁଲି ଯାଇଛନ୍ତି ଜୀବନର ସବୁ ଦୁଃଖ, କଷ୍ଟ । ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଇଥିଲେ ନାଚ, ଗୀତରେ । ଏହି ହୋଲି ପର୍ବସହ ଯୋଡି ହୋଇଛି ଅନେକ ପୌରାଣିକ ଆଖ୍ୟାନ । ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଅଂଶବିଶେଷ ହେଉଛି ଏହି ହୋଲି ଉତ୍ସବ । ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ଧୂମଧାମରେ ପାଳିତ ହୋଇଥାଏ । ଏ ନେଇ ପ୍ରତ୍ୟୁଷରୁ ଅଞ୍ଚଳର ସମସ୍ତ ମନ୍ଦିର ସମେତ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା । ନିଜ ପ୍ରିୟଜନ ଓ ସାଙ୍ଗସାଥୀଙ୍କ ସହ ସମସ୍ତେ ଏହି ରଙ୍ଗର ପର୍ବକୁ ଧୁମଧାମରେ ପାଳନ କରିଛନ୍ତି ।

Leave a Reply

Your email address will not be published. Required fields are marked *