ଚିଲିକାରେ ନୌବିହାର ସାରି ମନ୍ଦିରକୁ ଲେଉଟିଲେ ମା ଭଗବତୀ : ସାମନ୍ତରାୟଙ୍କ ଦୁଆରେ ଲାଗି ହେଲା ଏକ ହଜାର ସରା ଖିରି କାକରା ଭୋଗ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଲଳିତା ସପ୍ତମୀରେ ପୂର୍ବଦିଗକୁ ଯାତ୍ରା କରି ନୀଳାମ୍ବୁ ଚିଲିକାରେ ନୌବିହାର ସହିତ ପୂର୍ବ ଦିଗ ରକ୍ଷା କାରିଣୀ ଉଉଣୀ ମା’ କାଳିଜାଇ ଙ୍କୁ ଶାରଦୀୟ ପର୍ବରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରି ତାଙ୍କରି ଆଜ୍ଞାମାଳ ନେଇ ଫେରିଲେ ମା’ ଭଗବତୀ । ମନ୍ଦିର ର ପରମ୍ପରା ଅନୁସାରେ ଶାରଦୀୟ ଦୁର୍ଗୋତ୍ସବରେ ସପ୍ତମାତୃକା ରୂପରେ ସପ୍ତମାତୃ ଶକ୍ତି ମା’ ଭଗବତୀ ଙ୍କ ସହିତ ମା’ନାରାୟଣୀ , ମା’ସିଦ୍ଧେଶ୍ୱରୀ, ମା’ ବିରିଜାଇ, ମା’କାଳିଜାଇ , ମା’ କନକ ଦୁର୍ଗା, ମା’ ବୁଢି ଠାକୁରାଣୀ ସାତଭଉଣୀ ଭାବରେ ଭିତର ପର୍ବଗୃହ ସାତବଖରା ଘରେ ତନ୍ତ୍ର ବିଧି ଅନୁସାରେ ଏକତ୍ର ପୂଜା ପାଇବାର ବିଧି ବିଧାନ ପ୍ରାଚୀନ କାଳରୁ ଚଳି ଆସୁଛି । ବିଭିନ୍ନ ଋତୁରେ ବିଭିନ୍ନ ଦିଗକୁ ଯାତ୍ରା କରି ମା ଭଗବତୀ ଭଉଣୀମାନଙ୍କୁ ନିମନ୍ତ୍ରଣ କରୁଥିବାବେଳେ ଶରତ ଋତୁର ଭାଦ୍ରବ ଶୁକ୍ଳ ସପ୍ତମୀରେ ମା କାଳିଜାଇ ଙ୍କୁ ନିମନ୍ତ୍ରଣ କରିବାକୁ ଯାଇ ପ୍ରଥମେ ଉଲ୍ଲସିତ ଚିଲିକା ଜଳରେ ନୌବିହାର କରନ୍ତି। ମା’ ଭଗବତୀଙ୍କୁ କୋଳରେ ଧାରଣ କରି ନୀଳାମ୍ବୁ ଚିଲିକା ଆନନ୍ଦରେ ଦୋଳାୟମାନ ହୋଇ ସତେ ଯେପରି ପାଣି ଦୋଳିରେ ଝୁଲାଇ ଝୁଲାଇ ନେଉଥିବାର ଦୃଶ୍ୟ ଅତ୍ୟନ୍ତ ଚିତାକର୍ଷକ । ସୁସଜ୍ଜିତ ନୌକାରେ ନିଯୋଗୀ ସେବାୟତଙ୍କ ସହିତ ଘଣ୍ଟା ଘଣ୍ଟ କାହାଳୀ ହରିବୋଲଶବ୍ଦରେ ମା’ଙ୍କର ଜୟ ଜୟକାର ଧ୍ଵନୀ .ପୁଣି ଅଗଣିତ ଶ୍ରଦ୍ଧାଳୁଙ୍କ ହୁଳହୁଳି ଶବ୍ଦ , ଚିଲିକା ତରଙ୍ଗର କଳକଳନିନାଦରାତ୍ରିର ଅନ୍ଧକାରକୁ ଝଙ୍କୃତ କରୁଥିଲା । ତେଣେ ପରିଛା ସାଆନ୍ତ ନିରଞ୍ଜନ ମହାପାତ୍ର, ପାଳିଆ ମାଳି ବସନ୍ତ ନା Iୟକ,କାଠି ନାହାକଗଣେଶ ନାୟକଙ୍କ ସହଯୋଗରେ ନୈକା ଉପରେ କଳସ ,ଦୀପ ,ଧୂପ ,ପୁଷ୍ପ ।ନୈବେଦ୍ୟ ସ୍ଥାପନ କରି ପଞ୍ଚ ପୋଚାରରେ ପୂଜା ଆଳତି ବଢାଇ ମା’ କାଳିଜାଇ ଙ୍କୁ ଆବାହନ କରି ସାଥିରେ ନେଇଥିବା ମା’ ଭଗବତୀଙ୍କ ନିମନ୍ତ୍ରଣ ଆଜ୍ଞାମାଳକୁ ଚିଲିକା ଜଳରେ ଭସାଇ ମା’ କାଳିଜାଇ ଙ୍କ ଆଜ୍ଞାମାଳକୁ ଖୋଜିବୁଲୁଥିଲେ । ମା’କାଳିଜାଇ ଙ୍କ ମନ୍ଦିରରେ ପୂଜକ ମା’ଙ୍କ ସଂଧ୍ୟା ଆଳତୀ ଶେଷ କରି ମା’ଙ୍କ ଆଜ୍ଞାମାଳକୁ ଗୋଟିଏ ସୁସଜ୍ଜିତ ହାଣ୍ଡିରେ ଭର୍ତ୍ତି କରି ଦୀପଜାଳି ଚିଲିକା ବକ୍ଷରେ ଭସାଇ ଦେଇଥିଲେ। ଭାସି ଆସୁଥିବା ଆଜ୍ଞାମାଳକୁ ପାଣିରୁ 6 ତାଳି ଦଣ୍ଡସେନା ସେବାୟତମାନେ କଳା ଶାଢି ଦେହରେ ତାକୁ ଗଣ୍ଠିଲି କରି ଠେଙ୍ଗାରେ ବାନ୍ଧି ଆଣିବା ପରେ ମା’ଙ୍କର ନୌବିହାର ପାଣି ତୋଳା ନୀତି ଶେଷ କରି ମା’ ସାମନ୍ତରାପୁରର ବିଭୂତି ଭୂଷଣ ସାମନ୍ତରାୟଙ୍କ ଦୁଆରେ ବିଜେ କରିଥିଲେ । ସେଠାରେ ଦୁଇ ମା’ଙ୍କୁଏକ ହଜାର ସରାରେ ଖିରି କାକରା, ଖେଚଡ଼ି ବଳି ପୋଡ଼ା ପରସାଯାଇ ଷୋଡ଼ଷ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା । ଫେରିବା ବାଟରେ ପତିତ ପାବନ ମନ୍ଦିର, ଗୁଣ୍ଡରୁ ପୁର , ମୋହନ ଗୋସ୍ୱାମୀ ମଠ, ଅନ୍ତରକିଆରୀ ଗ୍ରାମ ସହିତ ଜଗନ୍ନାଥ ପୁର, ପରିଛା ସାହିରେ ଶ୍ରଦ୍ଧାଳୁ ଓ ସେବାୟତଙ୍କ ଦ୍ଵାର ମାନଙ୍କରେ ପଂକ୍ତି ଭୋଗ ଖାଇ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ଫେରିଥିଲେ । ଶେଷରେ ଦୁର୍ଗାଶୟନଷ୍ଟମୀରେ ମା’ଙ୍କ ଶୟନ ନୀତିକାନ୍ତି ଶେଷ ହୋଇଥିଲା । ପୁଣି ଆଶ୍ଵିନ କୃଷ୍ଣ ସପ୍ତମୀ ପର୍ଯ୍ୟନ୍ତ ମା ଶୟନ କାଳରେ ଘଣ୍ଟା ଘଣ୍ଟକାହାଳୀ ବା ଜିବ ନାହିଁ।ମୂଳାଷ୍ଟମୀ ରେ ସହସ୍ର କୁମ୍ଭାଭିଷେକ ଦିନ ମା’ଙ୍କୁ ଉତ୍ ଥାପନ କରାଯାଇ ମା’ଙ୍କ ଶାରଦୀୟ ଦୁର୍ଗୋତ୍ସବ ଆରମ୍ଭ ହେବ।ମା’ଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବାଲୁଗାଁ ଏସ୍‌. ଡ଼ି.ପି.ଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତା, ବାଲୁଗାଁ ଥାନା ଅଧିକାରୀ ଜୟ ପ୍ରକାଶ ପରୀଡ଼ା ଓ ଆରକ୍ଷୀ ବାହିନୀ, ବାଣପୁର ଏନ୍‌ଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନ୍‌.ଏ .ସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ , ସଂଗଠକ ବିକ୍ରମ କେଶରୀ ଜେନା ଓ ମନ୍ଦିର କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ମନ୍ଦିର ସେବାୟତ ଓ କର୍ମଚାରୀ ମାନେ ସମସ୍ତ ପ୍ରକାର ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *