ଦଶପଲ୍ଲା କୁ କେବେ ଗଡିବ ରେଳ ???

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଠାରେ ନିର୍ମିତ ନୂତନ ରେଳ ଷ୍ଟେସନର ସମସ୍ତ କାର୍ଯ୍ୟ ଗତ ଏକମାସ ପୂର୍ବରୁ ସମ୍ପୁର୍ଣ୍ଣ ହୋଇ ସାରିଥିବା ବେଳେ ଏଠାକୁ ରେଳ ଚଳାଚଳ ନେଇ ବିଭାଗ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ । ପୂର୍ବତଟ ରେଳ ବିଭାଗର ମୁଖ୍ୟ ସୁରକ୍ଷା ଅଧିକାରୀ ଟ୍ରେନ ଚଳାଚଳର ସମସ୍ତ ଯାଞ୍ଚ କାର୍ଯ୍ୟ ଶେଷ କରି ଗତ ଦୁଇମାସ ତଳୁ ଟ୍ରେନ ଚଳାଚଳ ପାଇଁ ଆବଶ୍ୟକ ନିରାପତ୍ତା ପ୍ରମାଣପତ୍ର ପ୍ରଦାନ କରି ସାରିଛନ୍ତି । ଷ୍ଟେସନର ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ଶେଷ ହୋଇ ସାରିଥିବା ବେଳେ ବିଭାଗ ଟ୍ରେନ ଚଳାଚଳର ନାମଗନ୍ଧ ଧରୁନାହିଁ । ଏପରିକି କେବେ ଠାରୁ ରେଳଗାଡ଼ି ଚାଲିବ ଏ ଉତ୍ତର ମଧ୍ୟ କାହା ପାଖରେ ନାହିଁ । ଟ୍ରେନ ଚଳାଚଳ ପାଇଁ ଅଞ୍ଚଳବାସୀ ଉତ୍ସୁକତା ର ସହିତ ଚାହିଁ ବସିଥିବା ବେଳେ ରେଳ ବିଭାଗ ନିଦା ବିଷ୍ଣୁ ସାଜିଛି । ଏହାକୁ ନେଇ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଥିବା ବେଳେ ଦଶହରା ପୂର୍ବରୁ ଟ୍ରେନ ଚଳାଚଳ ନକଲେ ଏକ ବଡ଼ଧରଣର ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ମର୍ମରେ ଏକ ଦାବିପତ୍ର ଖୋର୍ଦ୍ଧା ମଣ୍ଡଳ ରେଳ ଅଧିକାରୀଙ୍କୁ ନୟାଗଡ଼ ଟାଉନ ଭାରପ୍ରାପ୍ତ ଷ୍ଟେସନ ମ୍ୟାନେଜର ଶାନ୍ତନୁ ଦାସଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ଦଶପଲ୍ଲାକୁ ଅବିଳମ୍ବେ ଟ୍ରେନ ଚଳାଚଳ ସହିତ ନୟାଗଡ଼ ଟାଉନ ଷ୍ଟେସନରେ ଅପେକ୍ଷାରତ ଯାତ୍ରୀଙ୍କ ପାଇଁ ବିଶ୍ରାମସ୍ଥଳୀର ସଂପ୍ରସାରଣ, ଯାତ୍ରୀମାନଙ୍କ ପାଇଁ ଥଣ୍ଡାପାନୀୟ ଜଳର ବ୍ୟବସ୍ଥା, ନୟାଗଡ଼ରୁ କଲିକତା ଏବଂ ବିଶାଖାପାଟଣାକୁ ଟ୍ରେନ ଚଳାଚଳ ଆରମ୍ଭ କରିବା, ନିର୍ମାଣଧିନ ଓଭରବ୍ରିଜ ଏବଂ ଦ୍ୱିତୀୟ ପ୍ଲାଟଫର୍ମ କାର୍ଯ୍ୟ ତୁରନ୍ତ ଶେଷ କରିବା ,ରାଜ୍ୟ ରାଜପଥରୁ ଷ୍ଟେସନକୁ ସଂଯୋଗ କରୁଥିବା ରାସ୍ତାର ମରାମତି ତଥା ଭୁବନେଶ୍ୱର ଠାରେ ନୂଆଗାଁ ରୋଡ଼ ଏବଂ ଭଦ୍ରକ ଟ୍ରେନ ମଧ୍ୟରେ ରହୁଥିବା ୧୦ ମିନିଟ ବ୍ୟବଧାନକୁ ଏକଘଣ୍ଟା ବୃଦ୍ଧି କରିବା ଆଦି ରହିଛି । ଦାବିପତ୍ର ପ୍ରଦାନ ସମୟରେ ନୟାଗଡ଼ ନାଗରିକ ମଞ୍ଚ ସଭାପତି ପ୍ରମୋଦ ପଟ୍ଟନାୟକ, ଉପସଭାପତି ପ୍ରଦୀପ କୁମାର ସାହୁ, ସମ୍ପାଦକ ଲକ୍ଷ୍ମୀଧର ସାହୁ, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ, ସଦସ୍ୟ ଲକ୍ଷ୍ମୀଧର ମହାପାତ୍ର, ଗୋକୁଳ ଷଡ଼ଙ୍ଗୀ, ପ୍ରଦୀପ୍ତ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ । ଦଶହରା ପୂର୍ବରୁ ଦଶପଲ୍ଲାକୁ ଟ୍ରେନ ଚଳାଚଳ ଆରମ୍ଭ ନ ହେଲେ ଏକ ବଡ଼ ଧରଣର ଆନ୍ଦୋଳନ କରାଯିବ ଏପରିକି ରେଳ ରୋକ କରାଯିବ ବୋଲି ନାଗରିକ ମଞ୍ଚ ପକ୍ଷରୁ ରେଳ ବିଭାଗ ନିକଟରେ ଦୃଢ଼ ଚେତାବନୀ ଦିଆଯାଇଛି ।

 

 

 

Leave a Reply

Your email address will not be published. Required fields are marked *