ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ‘ମାଇଁ ଭାରତ’, ନୟାଗଡ଼ ଶାଖା ଏବଂ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ସ୍ଥାନୀୟ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ – ୨୦୨୭’ ଏବଂ ଦେଶର ସଂସଦ ପାଇଁ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି l ଦେଶ ଗଠନରେ ଯୁବଶକ୍ତିର ଦାୟିତ୍ୱ, ସଂଳାପ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୁବ ନେତୃତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ” ଏକ ଦେଶ ଏକ ନିର୍ବାଚନ “ଉପରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ନୟାଗଡ଼ ମାଇଁ ଭାରତ କେନ୍ଦ୍ରର ଯୁବ ଅଧିକାରୀ ସାହିଲ କୁମାର କୁଣ୍ଡୁଙ୍କ ପୌରୋହିତ୍ୟରେ ଏବଂ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ସମାବେଶରେ ବିଶିଷ୍ଠ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ଯୋଗଦେଇ ଯୁବପିଢ଼ି ନିଜ ବିଚାର ଓ ଦୃଷ୍ଟିକୋଣ ମାଧ୍ୟମରେ ରାଷ୍ଟ୍ରର ପ୍ରଗତିରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାମାଜିକ କର୍ମୀ ଅଭିଳାଷ ପଣ୍ଡା ଯୁବ ନେତୃତ୍ୱର ମହତ୍ତ୍ୱ ଓ ବିକଶିତ ଭାରତ ଗଠନରେ ସକ୍ରିୟ ନାଗରିକ ଭାବେ ଛାତ୍ରଛାତ୍ରୀଙ୍କ ଦାୟିତ୍ୱବୋଧ ଉପରେ ଆଲୋକପାତ କରିଥିଲେ l ଅନ୍ୟତମ ଅତିଥି ଭାବେ ଗୋପାଳପୁର ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରାଇ ଏବଂ ନୟାଗଡ଼ ସ୍ୱୟଂଶାସିତ କଲେଜ ଅଧକ୍ଷ ପ୍ରକାଶ ରାଉତ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ l ନୟାଗଡ଼ ମାଇଁ ଭାରତର ଜିଲ୍ଲା ଯୁବ ଅଧିକାରୀ ସାହିଲ କୁମାର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ l ଏହି ଅବସରରେ କାର୍ଯ୍ୟକ୍ରମ ଅଧିକାରୀ ଅଶୋକ କୁମାର ବେହେରା ଉପସ୍ଥିତ ସମସ୍ତ ଅତିଥି ତଥା ଛାତ୍ରଛାତ୍ରୀମାନଙ୍କୁ ‘ନିଶାମୁକ୍ତ ଭାରତ’ ପାଇଁ ସାମୂହିକ ଶପଥ ପାଠ କରାଇଥିଲେ l ​ଦେଶର ସଂସଦରେ ଅଂଶଗ୍ରହଣ ଲକ୍ଷ୍ୟରେ ଆୟୋଜିତ ଏହି ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ଆଦ୍ୟାଶକ୍ତି ମହାରଣା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅସୀମ ରଞ୍ଜନ ପଟ୍ଟନାୟକ ଦ୍ୱିତୀୟ ଏବଂ ରିପସା ତ୍ରିପାଠୀ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଏହି ତିନି କୃତୀ ପ୍ରତିଯୋଗୀ ପରବର୍ତ୍ତୀ ପର୍ଯ୍ୟାୟ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ନୟାଗଡ଼ ଜିଲ୍ଲାକୁ ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଛନ୍ତି l ରାଜ୍ୟସ୍ତରରେ ବିଜୟୀ ହେବା ପରେ ଏମାନେ ନୂଆଦିଲ୍ଲୀସ୍ଥିତ ସଂସଦରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରୀୟ ସଂଳାପରେ ଅଂଶଗ୍ରହଣ କରିବାର ସୁଯୋଗ ଲାଭ କରିବେ l ​ପ୍ରତିଯୋଗିତାରେ ବିଚାରକ ଭାବେ ଗବେଷକ ଚନ୍ଦ୍ରବିଜୟୀ ମିଶ୍ର, ମହାବିଦ୍ୟାଳୟର ଅଧ୍ୟାପିକା ଦୀପନିତା କର,ଆଇନଜୀବୀ ସାସ୍ୱତୀ ମୋନାଲି, ମାଇଁ ଭାରତର ନିମନ୍ତ୍ରୀତ ସଦସ୍ୟ କୁଶ ଡାକୁଆ ଏବଂ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ଦାୟିତ୍ୱ ନିର୍ବାହ କରିଥିଲେ। ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ମଞ୍ଚ ପରିଚାଳନା ସୁଚାରୁ ରୂପେ ସମ୍ପାଦନ କରିଥିଲେ l କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ l

Leave a Reply

Your email address will not be published. Required fields are marked *