ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ୱଭୂଷଣ ମହାପାତ୍ର : ନୟାଗଡ଼ ରାଜରାସ୍ତାରେ ପୁଣି ଗର୍ଜିଲା ଆର୍ଥିକ ସସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ଥ ଜମାକାରୀ ମିଳିତ ମଞ୍ଚ । ସହର ଉପକଣ୍ଠ ଦୁର୍ଗାପ୍ରସାଦ ଗାଁ ଠାରୁ ମଞ୍ଚର ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାଯ୍ୟାଳୟ ଆଗରେ କରିଥିଲା ଗଣ ସତ୍ୟାଗ୍ରହ। ଚିଟଫଣ୍ଡ ଜମାକାରୀଙ୍କ ଜମା ଟଙ୍କା ଫେରସ୍ତ, ତହସିଲ ମାଧ୍ୟମରେ ଜମାକାରୀ ଚିହ୍ନଟ, ଚିଟଫଣ୍ଡ ଲିଙ୍କରେ ରହି ଠକେଇରେ ଭାଗିଦାର ଥିବା ରାଜନେତା ଓ ଅନ୍ୟାନ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ସିବିଆଇ ତଦନ୍ତ ସହ ବିଭିନ୍ନ ଦାବୀ ନେଇ ଦୀର୍ଘଦିନ ପରେ ରାଜରାସ୍ତାକୁ ଓହ୍ଲାଇଥିଲା ଏହି ମଞ୍ଚ । ଏନେଇ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଚିଟଫଣ୍ଡ କ୍ଷତିଗ୍ରସ୍ଥ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆର୍ଥିକ ଜମାକାରୀ କ୍ଷତିଗ୍ରସ୍ଥ ମଞ୍ଚ ପକ୍ଷରୁ ଆର୍ଥିକ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରି ପାଇବା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦାସିନତାକୁ ନେଇ ତିବ୍ର ସମାଲୋଚନା କରିଥିଲେ । ଏହି ସତ୍ୟାଗ୍ରହ କାଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର କର୍ମକର୍ତା ଉପସ୍ଥିତ ରହି କ୍ଷତିଗ୍ରସ୍ଥଙ୍କୁ ସମର୍ଥନ ଜଣାଇଥିବା ଦେଖାଯାଇଥିଲା । କାଯ୍ୟକ୍ରମରେ ମଞ୍ଚପକ୍ଷରୁ ଶତାଧିକ କ୍ଷତିଗ୍ରସ୍ଥ ଜମାକାରୀ ଯୋଗଦେଇ ସରକାରଙ୍କ ଉଦାସିନତାକୁ ସମାଲୋଚନା କରିବା ସହ ଜମାକାରୀ ଟଙ୍କା ଫେରି ନପାଇବା ପଯ୍ୟନ୍ତ ଆନ୍ଦୋଳନ ଚାଲୁରଖିବାକୁ ସରକାରଙ୍କୁ ଚେତାବନୀ ଦେଇଥିଲେ ।

