କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କର ଆଜି ପରଲୋକ ହୋଇଯାଇଛି । ଦୀର୍ଘ ଦିନ ଧରି ସେ କ୍ୟାନସରରେ ପୀଡ଼ିତ ଥିଲେ। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ସ୍ୱରୂପ ଏକାଧାରରେ ଜଣେ ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା ଥିଲେ । ୫୦ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ। ସେ ପ୍ରାୟ ୩୦ଟି ଫିଲ୍ମ ପାଇଁ ଗୀତ ଲେଖିଥିଲେ। ୬ଟି ଫିଲ୍ମରେ ସେ ଅଭିନୟ କରିଥିଲେ। ସେହିପରି ୬ଟି ଫିଲ୍ମରେ ଗୀତ ମଧ୍ୟ ଗାଇଥିଲେ । ୧୯୬୨ ମସିହାରେ ରିଲିଜ ହୋଇଥିବା ‘ଜୟଦେବ’ ଚଳଚ୍ଚିତ୍ରରେ ସ୍ୱରୂପ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ୧୯୮୪ ମସିହାର ପ୍ରଶାନ୍ତ ନନ୍ଦଙ୍କ ଚଳଚ୍ଚିତ୍ର ‘ହୀରାନୀଳା’ରେ ସେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ସହର ଜଳୁଛି, ଲାଲ୍ ପାନ୍ ବିବି, ଉଦଣ୍ଡୀ ସୀତା, ସିନ୍ଦୂର ନୁହେଁ ଖେଳଘର, ମନ ରହିଗଲା ତୁମଠାରେ, ପୁଅ ମୋର ଭୋଳା ଶଙ୍କର, ଆଇ ଲଭ୍ ୟୁ, ଶାଶୁ ଘର ଚାଲିଯିବି, ଜୀବନ ମୃତ୍ୟୁ ଓ କଥାନ୍ତର ଭଳି ଚଳଚ୍ଚିତ୍ରରେ ସ୍ୱରୂପ ନାୟକ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସ୍ୱରୂପ ନାୟକଙ୍କ ମୃତ୍ୟୁର କେବଳ ଓଡ଼ିଆ ଫିଲ୍ମ ଜଗତ ନୂହେଁ, ବିଭିନ୍ନ କ୍ଷେତ୍ରର ଲୋକେ ଦୁଃଖ ପ୍ରକାଶ କରିଛନ୍ତି। ସ୍ୱରୂପଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ସ୍ୱରୂପ ନାୟକଙ୍କ ବିୟୋଗ ଖବର ଜାଣି ମୁଁ ଦୁଃଖିତ। ନିଆରା ସଙ୍ଗୀତ ରଚନା ପାଇଁ ସର୍ବଦା ସେ ଶ୍ରୋତାଙ୍କ ହୃଦୟରେ ରହିବେ। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ତାଙ୍କର ବହୁମୂଲ୍ୟ ଯୋଗଦାନ ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ ପ୍ରକାଶ କରି କହିଛନ୍ତି ଯେ ସ୍ୱରୂପ ନାୟକ ସଙ୍ଗୀତ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ , ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଉଜ୍ଜ୍ୱଳ ପ୍ରତିଭାଙ୍କୁ ହରାଇଲା । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ତାଙ୍କର ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।


