ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଚଳିତ ବର୍ଷ ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’ ସମ୍ମାନ ପାଇବା ପାଇଁ ପଠାଣି ସାମନ୍ତଙ୍କ ଜନ୍ମମାଟି ଖଣ୍ଡପଡ଼ାର କୃତୀ ସନ୍ତାନ ଲବ୍ଧ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ଦାଶ ବେନହୁର ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି ନୟାଗଡ଼ ସ୍ୱୟଂ ଶାସିତ ମହା ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନଙ୍କୁ ‘ନୟାଗଡ଼ ବନ୍ଧୁ’, ବିଜ୍ଞାନ ସ୍ରଷ୍ଟା ପ୍ରଫେସର ହରପ୍ରସାଦ ମହାପାତ୍ରଙ୍କୁ ‘ପଠାଣି ସାମନ୍ତ ପ୍ରତିଭା’ ସମ୍ମାନ, ସାରସ୍ୱତ ସାଧକ ତଥା ଗାଳ୍ପିକ ହାଡ଼ିବନ୍ଧୁ ମହାକୁଡ଼ଙ୍କୁ ପଠାଣି ସାମନ୍ତ ସାହିତ୍ୟ ସମ୍ମାନ, ସୁନାମଧନ୍ୟ ଯଶସ୍ୱୀ ଆଇନଜୀବୀ ଲକ୍ଷ୍ମୀଧର ପଙ୍ଗାରୀଙ୍କୁ ‘ପଠାଣି ସାମନ୍ତ ଆଇନ ସେବା ରତ୍ନ’, ସ୍ତମ୍ଭକାର ଲଳିତ ମୋହନ ମିଶ୍ରଙ୍କୁ ଦାସରଥି ପଟ୍ଟନାୟକ ସାହିତ୍ୟ ସମ୍ମାନ’, ସମାଜସେବୀ ଅନାଦି ଚରଣ ମହାନ୍ତିଙ୍କୁ ‘ପଠାଣି ସାମନ୍ତ ସେବା ସମ୍ମାନ’, ଯୁବ ସମାଜ ସେବୀ ପ୍ରଭାତ କୁମାର ସାହୁଙ୍କୁ ‘ପଠାଣି ସାମନ୍ତ ଯୁବ ସେବା ସମ୍ମାନ’, ସର୍ବଭାରତୀୟ ପ୍ରତିଷ୍ଠିତ ଫୁଟବଲ ଖେଳାଳି ଏବଂ ରେଫ୍ରୀ ରାଜୁ ମହାନ୍ତିଙ୍କୁ ‘ପଠାଣି ସାମନ୍ତ କ୍ରୀଡ଼ା ସମ୍ମାନ’, ନାଟ୍ୟଗୁରୁ ପ୍ରଭାତ କୁମାର ଦାଶଙ୍କୁ ‘ପଠାଣି ସାମନ୍ତ ସଙ୍ଗୀତ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯିବ । ବିଶ୍ୱ ବିଶ୍ରୁତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ୧୮୯ ତମ ଜନ୍ମ ସ୍ମାରକୀ ପାଳନ ଅବସରରେ ପୁରୁଣା ସହରସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିକଟସ୍ଥ ଯଦୁମଣି ମଣ୍ଡପ ଠାରେ ଚଳିତ ମାସ ୧୩ ତାରିଖ ସନ୍ଧ୍ୟା ୬ଟା ସମୟରେ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ସଙ୍ଗେ ସଙ୍ଗେ ସୁନାମଧନ୍ୟ ଲବ୍ଧ ପ୍ରତିଷ୍ଠିତ ଭଜନ ଗାୟକଙ୍କ ସମେତ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏକ ଭଜନ ସମାରୋହର ଆୟୋଜନ କରାଯିବ ବୋଲି ମୁଖ୍ୟ ଆୟୋଜକ ପ୍ରମୋଦ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।
ପଠାଣି ସାମନ୍ତ ଉପାୟନ ପ୍ରଦାନ ଉତ୍ସବ !!!

