ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଜଗନ୍ନାଥ ମନ୍ଦିରରେ ନୂତନ ବିଗ୍ରହଙ୍କ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ପାଳିତ ହୋଇଛି । ପୁରୀ ଶ୍ରୀମନ୍ଦିର ରୁ ଆସିଥିବା ସୁଭଦ୍ରା ମାଙ୍କ ବାଡଗ୍ରାହୀ ରାମଦାସ ମହାପାତ୍ରଙ୍କ ନିର୍ଦେଶ କ୍ରମେ ଗଡର ବ୍ରାହ୍ମଣ ସମାଜ ଦ୍ବାରା ଗୁରୁବାର ବିଳମ୍ବିତ ରାତିରେ ୩୨୦ ବର୍ଷର ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ମନ୍ଦିର ପରିସରରେ ପାତାଳୀ କରାଯାଇଥିଲା । ପରେ ପୁରୀର ବିଶ୍ଵକର୍ମା ଚିନ୍ତାମଣି ମହାରଣା ଦ୍ଵାରା ନିର୍ମିତ ନୂତନ ବିଗ୍ରହଙ୍କୁ ସ୍ଥାନୀୟ ବ୍ରାହ୍ମଣ ମାନଙ୍କ ଦ୍ଵାରା ରତ୍ନବେଦୀ ନିଆଯାଇଥିଲା। ଶୁକ୍ରବାର ସକାଳୁ ସାହାଣ ମେଲା ହେବା ପରେ ପ୍ରଥମେ ସୁକିନ୍ଦା ଗଡର ରାଜା ସାହେବ ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ର ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ କରିଥିଲେ । ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ କରିଥିଲେ । ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାଆଡ଼ମ୍ବରରେ ସମ୍ପନ୍ନ ହୋଇଛି । ପାଞ୍ଚଦିନ ଧରି ଏହି କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ! ଦୈନିକ ସନ୍ଧ୍ୟାରେ ଜଗନ୍ନାଥ ଗବେଷକଙ୍କ ପ୍ରବୋଚନ ଓ ବିଭିନ୍ନ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ଵାରା ଭଜନ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ । ସନ୍ଧ୍ୟା ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ! ଭିଡକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କଡାକଡି କରାଯାଇଛି ।
ସୁକିନ୍ଦାଗଡ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ବହୁ ଶ୍ରଦ୍ଧାଳୁ !!!

