ଆଉ ଅଳ୍ପ ସମୟର ଅପେକ୍ଷା : ଭକ୍ତ ଭଗବାନ ଙ୍କ ସମାବେଶରେ ଉଛୁଳିବ ପଲଟଣ ପଡିଆ !!!

0
1110

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଉ କେତେ ଘଣ୍ଟାର ଅପେକ୍ଷା ମାତ୍ର । ଆଜି ବାଣପୁର ପଞ୍ଚୁଦୋଳ ଯାତ୍ରା । ଚଳିତ ବର୍ଷ ଧୁମ୍ ଧାମର ସହିତ ଜମିଛି ପଞ୍ଚୁଦୋଳ ଯାତ୍ରା । ଗାଁ ଗଣ୍ଡା ପୁରପଲ୍ଲୀରେ ଘରେ ଘରେ ଜମିଲେଣି କୁଣିଆ । କାହିଁ କେତେ ବାଟରୁ ଆସିଲାଣି ରଙ୍ଗ ବେରଙ୍ଗର ପସରା । ରାସ୍ତାଘାଟରେ ବେଲୁନ୍‌ବାଲା ବଜେଇଲେଣି ପେଁକାଳି । ଝିଅ ଶାଶୁ ଘରକୁ ଦେବା ପାଇଁ କାଠ ପଥର, କୁଲା ବାଉଂଶିଆ, କସାଂ ବାସନ, ଲୁହା ଲହୁରୁଣି , ଛାଞ୍ଚୁଣି, ପହଁରା, ମନୋହରୀରର ମନଲୋଭା ପସରାରେ ପୁରିଗଲାଣି ପଲଟଣ ପଡ଼ିଆ । କୁନା କୁନି ପାଇଁ ଭଳିକି ଭଳି କଣ୍ଢେଇ, ଚକ୍ର ଦୋଳି, ଯାଦୁ ଖେଳ ପ୍ରସ୍ତୁତ ହେଲେଣି ସବୁ । ମଥୁରା କେକ୍ ଠାରୁ ଆରମ୍ଭ କରି କଟକର ଠୁଙ୍କାପରି ,ଦହିବରା ଆଳୁଦମ୍, ଦୋସା ସମ୍ବର , ପକଡ଼ି, ଆଳୁଚପ, ଗୁପଚୁପ ସହିତ ଆଇସକ୍ରିମ୍, ସାଲେପୁର ରସଗୋଲା ର ମହ ମହବାସ୍ନା ମନ କିଣି ନେଲାଣି । ଠାକୁର ଠାକୁରାଣିଙ୍କୁ ବୁକୁରେ ଧରିବାକୁ ଝୋଟି ଚିତାରେ ଚିତ୍ରିତ ହେଲାଣି ଦୋଳ ପିଣ୍ଡି । ମନ୍ଦିର ମାନଙ୍କରେ ରଙ୍ଗ ବେରଙ୍ଗର ମଣ୍ଡଣି, ଆଲୁଅ ଫୁଲମାଳ ରେ ସଜେଇ ହେଲାଣି ଦୋଳବିମାନ, ଗରୁଡ଼ , ହନୁମାନ ବାହାନ । ଯୋଡି ଶଙ୍ଖ, ଘଣ୍ଟ ବାଦ୍ୟ, ବଡ଼ ଢୋଲ, ମହୁରୀ, ସଂକୀର୍ତ୍ତନ, ପାଇକ ଆଖଡ଼ା ଢୋଲ,ଚାଙ୍ଗୁ, ବାଘ , ଘୋଡ଼ାଇ, କେଳା କେଳୁଣୀ,ରଜା ରାଣି , ଷଣ୍ଡ ନୃତ୍ୟସବୁ ପଟୁଆରରେ ସାମିଲ ହେବାକୁ ଗାଁ ଗାଁରେ ସରିଛି ପ୍ରସ୍ତୁତି । ତେତିଶି କୋଟି ଦେବାଦେବୀଙ୍କୁ ନିମନ୍ତ୍ରଣ କରି ସାରିଲେଣି ସ୍ଥାନାଧିପତି ଶ୍ରୀ ଶ୍ରୀ ଚରଣ ଚକାଦେବ । ଜଗତଜନନୀ ମା’ଭଗବତୀ ଙ୍କୁ ଖଣ୍ଡୁଆ ପାଟ ପତନୀରେ ବନ ଦୁର୍ଗା ବେଶରେ ପିନ୍ଧେଇ ଦେଲେଣୀ କାଠି ନାହାକ । ଅଗଣିତ ଭକ୍ତଙ୍କ ଠେଲ। ପେଲା ଖାଇ ଯାତ୍ରାରେ ଦେବା ଦେବୀଙ୍କୁ ଭେଟିବାକୁ ବଢିଲାଣି ମନରେ ଉତ୍କଣ୍ଠ। । ହରିବୋଲ ହୁଳହୁଳି ଧୂନୀରେ ପୁରି ଉଠିବ ମେଳଣ ପଡିଆ । ମା’ ଭଗବତୀଙ୍କ ସହିତ ପ୍ରଭୁ ଚନ୍ଦ୍ରଶେଖରଙ୍କ ମହାମିଳନର ମାହେନ୍ଦ୍ର ବେଳାକୁ ଦର୍ଶନ କରି ଅଶେଷ ପୂର୍ଣ୍ୟ ଅର୍ଜନ କରିବାକୁ ଶ୍ରଦ୍ଧାଳୁଙ୍କ ବଢିଲାଣି ଆବେଗ। ବସନ୍ତ ଋତୁର ଏହି ମହା ମିଳନ ମହୋତ୍ସବ ସମସ୍ତ ଙ୍କମନରେ ଭରିଦେବ ଅଶେଷ ଆନନ୍ଦ ।

LEAVE A REPLY

Please enter your comment!
Please enter your name here