ଚିକିତ୍ସା ରେ ଅର୍ଥ ସାଜିଛି ବାଧକ : ସ୍ଵାମୀଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ତ୍ରୀ ର ଆକୁଳ ନିବେଦନ !!!

0
111

ନୟାଗଡ଼ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ଜୀବନ ମୃତ୍ୟୁ ସହ ସଙ୍ଘର୍ଷ କରୁଥିବା ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ ସ୍ତ୍ରୀ କରିଛନ୍ତି ଆକୁଳ ନିବେଦନ । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ପଞ୍ଚାୟତର ମାଣିକପାଟଣା ରେ ଦେଖିବାକୁ ମିଳିଛି ଏଭଳି ଏକ ହୃଦୟସ୍ପର୍ଶି , ଦୁଃଖ ଦାୟକ ଘଟଣା । ଗ୍ରାମର ବାସିନ୍ଦା ସ୍ବପ୍ନା ପାତ୍ର ଙ୍କର ନିଜ ରୋଗାକ୍ରାନ୍ତ ଶଯ୍ୟାଶାୟୀ ସ୍ଵାମୀ ସୁଶାନ୍ତ କୁମାର ପାତ୍ର , ରୋଗାକ୍ରାନ୍ତ ବୃଦ୍ଧ ବାପା ଗୌର ପାତ୍ର, ବୃଦ୍ଧା ମା, ଦୁଇଟି କୁନି ଝିଅ କୁ ଧରି ଦୁଃଖ ସୁଖର ସଂସାର । ପରିବାର ପ୍ରତିପୋଷଣ ପାଇଁ ସୁଶାନ୍ତ ଗୁଜୁରାଟ ର ସୁରଟ ସୂତାକଳ ରେ କାମ କରି ଆସୁଥିବା ବେଳେ ସେଠାରେ ଦେହ ଅସୁସ୍ଥ ହେବାରୁ ଗାଁ କୁ ଚାଲି ଆସିଥିଲେ । ହେଲେ ଘରେ ରୋଗାକ୍ରାନ୍ତ ବାପା ମା ଙ୍କ ଔଷଧ ଖର୍ଚ୍ଚ ଓ ପରିବାର ର ଗୁଜୁରାଣ ମେଣ୍ଟାଇବା ପାଇଁ ସୁଶାନ୍ତ ବାହାଡ଼ାଝୋଲା ମାଣିକପାଟଣା ବଜାରରେ ଛୋଟ ଚା ପାନ ଦୋକାନ ଟିଏ କରି ଦୁଃଖ କଷ୍ଟ ମଧ୍ୟରେ ପରିବାର ପ୍ରତିପୋଷଣ କରି ଆସୁଥିଲେ । ହେଲେ ଈଶ୍ବରଙ୍କ ଲୀଳା ବଡ଼ ବିଚିତ୍ର, କିଛି ମାସ ତଳେ ସୁଶାନ୍ତ ର ଦେହ ଅସୁସ୍ଥ ହୋଇ ପଡିବା ସହ, ଝାଡା ଓ ପରିସ୍ରା ରେ ରକ୍ତ ପଡ଼ିବାରୁ, ସାହି ବାସିନ୍ଦା ଙ୍କ ସହଯୋଗରେ ସ୍ତ୍ରୀ ସ୍ବପ୍ନା, ସ୍ଵାମୀ ସୁଶାନ୍ତ ଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ ଓ ପରେ ସେ ଭୁବନେଶ୍ୱର ସ୍ଥିତ ଘରୋଇ ଡାକ୍ତରଖାନା କିମ୍ସ ରେ ଚିକିତ୍ସିତ ହେଉଥିଲେ । ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ସାହାରାରେ ସୁଶାନ୍ତ ର ଚିକିତ୍ସା ଚାଲିଥିବା ବେଳେ ବିଜୁ ସ୍ୱାସ୍ଥ୍ୟବୀମା କାର୍ଡ ରେ ଥିବା ସମସ୍ତ ଅର୍ଥ , ଚିକିତ୍ସା କରୁଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ନେଇ ସାରିବା ପରେ, ଚିକିତ୍ସା ଖର୍ଚ୍ଚ ଦେବାକୁ ସୁଶାନ୍ତ ପରିବାର ପାଖରେ ଅର୍ଥ ନଥିବାରୁ ,ଚିକିତ୍ସାଧୀନ ଅବସ୍ଥାରେ ଥିବା ସୁଶାନ୍ତ କୁ ଘର କୁ ତଡି ଦେଇଥିଲେ । ସୁଶାନ୍ତ ର ଚିକିତ୍ସା ରେ ସର୍ବସ୍ବାନ୍ତ ପରିବାର ର ଦୁଇଟି ନିଷ୍ପାପ ଶିଶୁ, ସ୍ତ୍ରୀ ସ୍ୱପ୍ନା ର ଦୂରାବସ୍ଥା, ଅର୍ଥ ଅଭାବରୁ ଚିକିତ୍ସିତ ହୋଇନପାରି ଘରେ ପଡ଼ି ରହି ଜୀବନ ମୃତ୍ୟୁ ସହ ସଙ୍ଘର୍ଷ କରୁଥିବା ସୁଶାନ୍ତ ଏବଂ ପରିବାର ର ଦୟନୀୟ ଅବସ୍ଥା କୁ ଦେଖି, ପାଖ ପଡୋଶୀ,ବନ୍ଧୁ ବାନ୍ଧବ ଓ ଗ୍ରାମବାସୀ ଚାନ୍ଦା ଭେଦା କରି, ସାହି ବାସିନ୍ଦାଙ୍କ ସହଯୋଗରେ ପୁଣି ସୁଶାନ୍ତ କୁ ପୁଣି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ! ସଂଗୃହିତ ଅର୍ଥ ସରିଯିବାରୁ, ଘରକୁ ଫେରି ଔଷଧ ଓ ଚିକିତ୍ସା ଅଭାବରୁ ସୁଶାନ୍ତ ଜୀବନ ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି । ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ସୁଶାନ୍ତ ର ଚିକିତ୍ସା ଓ ଅପରେସନ ପାଇଁ ପ୍ରାୟ ୫ ଲକ୍ଷ ଟଙ୍କା ଲାଗିବ ବୋଲି ଚିକିତ୍ସା କରୁଥିବା ଡାକ୍ତର ମାନେ କହୁଛନ୍ତି ! ଏଣୁ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ସୁଶାନ୍ତ ଚିକିତ୍ସା ନିମନ୍ତେ ସ୍ତ୍ରୀ ସ୍ଵପ୍ନା ଆକୁଳ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here