ଜମିକୁ ଜଳ ଯୋଗାଣ ଦାବୀରେ ରାସ୍ତାରୋକ !!!

0
89

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣି ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷ ଜମିକୁ ଜଳଯୋଗାଣ ହୋଇ ପାରୁନାହିଁ।ତେଣୁ ସାତମାଇଲ ଛକର ଜାତୀୟରାଜପଥକୁ ଅବରୋଧ କରିଥିଲେ ଚାଷୀମାନେ । ପ୍ରାୟ ଦୁଇ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ରାସ୍ତା ରୋକ କରିଥିବାରୁ ଅଟକିଥିଲା ଶତାଧିକ ଯାନବାହାନ । ଚାଷଜମିକୁ ଜଳସେଚନ ପାଇଁ ଚାଷୀଗଣ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରେ ଗୁହାରି କରିଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନନେବା ଯୋଗୁଁ ରାଜରାସ୍ତାକୁ ଓହ୍ଲାଇଥିଲେ ଚାଷୀ । ବର୍ଷ ବର୍ଷ ଧରି ଚାଷୀମାନେ ରାଜରାସ୍ତକୁ ଓହ୍ଲାଇ ଆନ୍ଦୋଳନ କଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ ସ୍ଥାୟୀ ସମାଧାନ କରୁନଥିବାର ଅଭିଯୋଗ ହୋଇଥିଲା । ପ୍ରକାଶ ଯେ, ବାଟିସିରିପୁର ଠାରୁ ଏମ୍ଏସ୍ ପୁର, ଉପଲଡା, ଖରସଣ୍ଡା, ସାତମାଇଲଛକ, ରାଜସୀତାପୁର, ବାଘଶଳା, ତାମ୍ପରକଇଠା, ବାପୁଜୀପେଣ୍ଠ, କେରାଣ୍ଡି, ରାଟିଣି, ଅମରା ଆଦି ଦେଇ ଯାଇଥିବା କେନାଲ ବିଭାଗ ପକ୍ଷରୁ ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଅଭାବରୁ ଏହା ଅପରିଷ୍କାର ସହ ଅନାବନା ଗଛଲତା ଉଠି ପ୍ରାୟ ପୋତି ହେବା ସଦୃଶ୍ୟ ରହିଛି । ଏନେଇ ପ୍ରତିବର୍ଷ ଏହି ଅଞ୍ଚଳର ଚାଷୀମାନେ କ୍ଷୁଦ୍ରଜଳସେଚନ ବିଭାଗ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ବିଭାଗପକ୍ଷରୁ ସଠିକ ସମୟରେ କୌଣସି କାର୍ଯ୍ୟପନ୍ଥା ଅବଲମ୍ବନ କରାଯାଉନି । ଯାହା ଫଳରେ ପ୍ରତିବର୍ଷ ଗୋଷାଣି ବ୍ଲକର ଉଲ୍ଲେଖିତ ଗ୍ରାମାଞ୍ଚଳ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି । ଚାଷୀମାନେ ଏକତ୍ରିତ ହୋଇ ବିଭାଗୀୟ ଉଦାସୀନତାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଇଥିଲେ । ଖବର ପାଇ ମାଜିଷ୍ଟ୍ରେଟ୍ ତଥା ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା, ପାରଳାଖେମୁଣ୍ଡି ଏସଡିପିଓ ମାଧବାନନ୍ଦ ନାୟକ, ଏମ୍ଆଇ ଆସିଷ୍ଟେଣ୍ଡ ଏଗଜୁଟିଭ ଇଂଜିନିୟର ଆଶିଷ ମଲ୍ଲିକ ଏବଂ ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର ପହଞ୍ଚି ଆନ୍ଦୋଳନରତ ଚାଷୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ରାସ୍ତାରୋକ ଆନ୍ଦୋଳନରୁ ଓହରିନଥିଲେ । ପରେ କ୍ଷୁଦ୍ରଜଳସେଚନ ବିଭାଗ ପକ୍ଷରୁ ଶ୍ରୀ ମଲ୍ଲିକ ଆସନ୍ତା କାଲି ଠାରୁ ଏହି କେନାଲର ଆବଶ୍ୟକୀୟ ରକ୍ଷଣାବେକ୍ଷଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେବାପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ ଅନ୍ୟପକ୍ଷରେ ଚାଷୀମାନେ କହିଛନ୍ତି ଯେ, ଏପରି ଅଭିଯୋଗ ପ୍ରତିବର୍ଷ ହେଉଥିଲେ ମଧ୍ୟ ବିଭାଗ ବେଳଥାଉଥାଉ ନାଳର ରକ୍ଷଣାବେକ୍ଷଣ ନ କରିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି।ଏହି ରାସ୍ତାରୋକ ଯୋଗୁଁ ପାରଳାଖେମୁଣ୍ଡି, ରାୟଗଡ, ରା.ଉଦୟଗିରି, ମୋହନା, ବ୍ରହ୍ମପୁର ମୁଖ୍ୟ ଜାତୀୟରାଜପଥର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଦିର୍ଘ ଦୁଇଘଣ୍ଟା ଧରି ଅଟକି ରହିଥିବା ବେଳେ ଯାତ୍ରୀ ଏବଂ ପଥଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here