ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ, ଉପର ପାଥପୁର ଗ୍ରାମର ଆଦର୍ଶ ଶିକ୍ଷକ ଶ୍ରୀଯୁକ୍ତ ଅଭୟ କୁମାର ମହାନ୍ତିଙ୍କର ଗତ ୮ ତାରିଖ ସଂନ୍ଧ୍ୟାରେ ଦେହାନ୍ତ ହୋଇଯାଇଛି । ସେ ବହୁମୁଖି ପ୍ରତିଭାର ଅଧିକାରୀ ଥିଲେ। ଜଣେ ଆଦର୍ଶ ଶିକ୍ଷକ ଭାବରେ ପାଥପୁର ପଂଚାୟତରେ ‘ ବିବୁଧ ବିହାର ଉଚ୍ଚବିଦ୍ୟାଳୟ’ର ପ୍ରାଣ ପ୍ରତିଷ୍ଠା କରି ଆଖପାଖ ଅଞ୍ଚଳରେ ଶିକ୍ଷାର ଆଲୋକ ପ୍ରଜ୍ବଳନ କରିଯାଇଛନ୍ତି । ସୁସାହିତ୍ୟିକ, ପ୍ରାବନ୍ଧିକ, କବି ଭାବରେ ଅନେକ ପତ୍ର-ପତ୍ରିକା ରେ ନିୟମିତ ଅତ୍ୟନ୍ତ ଉଚ୍ଚ ସମାଜଧର୍ମୀ ସାହିତ୍ୟ ପ୍ରକାଶିତ କରି ଯାଇଛନ୍ତି ଓ ‘ବସୁଧା’ ପତ୍ରିକାର ଜୀବନର ଶେଷ ପର୍ଯ୍ୟନ୍ତ ସଂପାଦକ ରହିଥିଲେ । ତାଙ୍କ ରଚିତ ‘ଅଭିସାରୀକା’ କବିତା ସଂକଳନ ପାଇଁ ସେ ରାଜ୍ୟ ସ୍ତରୀୟ ପୁରସ୍କାର ପାଇଥିଲେ । ଓଡ଼ିଆ ଚମ୍ପୁ ର କ୍ୟାସେଟ ରେକର୍ଡ଼ିଂ ସେ ସମୟରେ ଚହଳ ସୃଷ୍ଟି କରି ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିଲେ । ସ୍ୱାସ୍ଥ୍ୟ ସେବାରେ ନିଜକୁ ନିୟୋଜିତ କରି ହୋମିଓପାଥି ବିଶାରଦ ଭାବରେ ଯଥେଷ୍ଟ ସୁନାମ ଅର୍ଜନ କରି ଯାଇଛନ୍ତି । ଯୁବ ଅବସ୍ଥା ରେ ସାବୁନ ଶିଳ୍ପ , କୃଷି ଯନ୍ତ୍ରପାତି କାରଖାନା ଆଦି ଆରମ୍ଭ କରି ବାଙ୍କୀ ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ର ନୂତନ ସଂଭାବନା ସୃଷ୍ଟି କରିବାରେ ଅଗ୍ରଣୀ ଥିଲେ । ଜଣେ କ୍ରୀଡ଼ାବିତ୍ ହିସାବରେ ନିଜେ ଫୁଟବଲ, ଭଲିବଲ୍, କବାଡି ଓ କ୍ରିକେଟ ପ୍ରଭୃତିରେ ଜଣେ ଦକ୍ଷ ଖେଳାଳି ରହି ସ୍ଥାନୀୟ ଅଂଚଳରେ ଅନେକ କ୍ରୀଡା ସଂଗଠନ ମାନ ଗଢ଼ିଥିଲେ । ପରିଣତ ବୟସରେ ବାଙ୍କୀ ର ନିରାଶ୍ରିତ ଗୋବଂଶ ମାନଙ୍କ ପାଇଁ ଥିବା “ଗୋବର୍ଦ୍ଧନ ଗୋଶାଳା” ର ମୁଖ୍ୟ ପରାମର୍ଶଦାତା ତଥା ଅନ୍ୟତମ ପୃଷ୍ଠପୋଷକ ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ । ନିଜର ସନ୍ତାନ-ସନ୍ତତି ମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରାଇ ଉପଯୁକ୍ତ ସ୍ଥାନରେ ସ୍ଥାପିତ କରାଇ ନିଜ ଗ୍ରାମରେ ଅବସର ଜୀବନ ଅତିବାହିତ କରୁଥିଲେ । ତାଙ୍କର ଅବର୍ତ୍ତମାନରେ ଅଂଚଳ ବହୁତ କିଛି ହରାଇଛି ।
ଆଦର୍ଶ ଶିକ୍ଷକ ଅଭୟ କୁମାର ମହାନ୍ତି ଙ୍କର ପରଲୋକ !!!

