ଲୁଟେରା ଙ୍କ ଭୁସ୍ୱର୍ଗ ପାଲଟିଛି ବାଣପୁର , ବନ୍ଧୁକ ମୁନରେ ଝାମ୍ପି ନେଲେ ୮ ଲକ୍ଷ ୩୦ ହଜାର ଟଙ୍କା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଲୁଟେରା ଙ୍କ ଭୁସ୍ୱର୍ଗ ପାଲଟିଛି ବାଣପୁର , ବନ୍ଧୁକ ମୁନରେ ଝାମ୍ପି ନେଲେ ୮ ଲକ୍ଷ ୩୦ ହଜାର ଟଙ୍କା । ଗୋଟିଏ ମାସ ମଧ୍ୟରେ ସାତୋଟି ଘର ର ତାଲା ଭାଙ୍ଗି ଚୋରି ସମେତ ଦୁଇ ଦୁଇଟି ବନ୍ଧୁକ ମୁନରେ ଲୁଟ ପୁଲିସର ନିଦ ହଜାଇ ଦେଇଛି ! ଏପରି ସିରିଜ ଅଘଟଣ ନେଇ ଆତଙ୍କିତ ହୋଇ ପଡିଛନ୍ତି ଜନ ସାଧାରଣ । ମାଟିଆ ପୋଖରୀ ରାସ୍ତାରେ ସପନ ପୃଷ୍ଟିଙ୍କ ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ସମେତ ୪୫ ହଜାର ଟଙ୍କା ଚୋରି କରି ନେଇଥିବା ବେଳେ ବାଣପୁର ଥାନା ୧୬ ନଂ ଜାତୀୟ ରାଜପଥ ଓଭର ବ୍ରିଜ ନିକଟରେ ଏକ କାରକୁ ଅଟକାଇ ୩ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୮ ଲକ୍ଷ ୩୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି । ପୁଲିସ ରାସ୍ତା ସିଲ କରି ତଦନ୍ତ କରିଥିଲେ ସୁଦ୍ଧା ଲୁଟେରା ଙ୍କ କୈାଣସି ସୂଚନା ମିଳି ପାରିନାହିଁ । ସୂଚନା ଅନୁଯାୟୀ ଚିଲିକା ଚଣ୍ଡେଶ୍ଵର ଅଞ୍ଚଳର ଏକ ଚାଉଳ କଳର ଦୁଇ ଜଣ କର୍ମଚାରୀ ସୁକାନ୍ତ ଚନ୍ଦ୍ର ରାଉତରାୟ ଓ ଅଶୋକ ଏବଂ ଗାଡି ଚାଳକ ମହେନ୍ଦ୍ର ଷଣ୍ଡ ଗଞ୍ଜାମ ଜିଲ୍ଳାର କେଶପୁର ଏବଂ ଖୋର୍ଦ୍ଧା ଜିଲ୍ଳାର ବାଣପୁର ଓ ବାଲୁଗାଁ ଅଞ୍ଚଳରୁ ବ୍ୟବସାୟ ବାବଦ ବକେୟା ଟଙ୍କା ସଂଗ୍ରହ କରି ଏକ କାର ଯୋଗେ ସନ୍ଧ୍ୟା ସମୟରେ ଫେରୁଥିଲେ । କାର ଟି ବାଣପୁର ପଟୁ ଓଭର ବ୍ରିଜକୁ ଉଠୁଥିବା ବେଳେ ହଠାତ୍ ଏକ ଟାଟା ଏସି ଗାଡି କାର ସମ୍ମୁଖକୁ ଆସିଯିବାରୁ ବାଧ୍ୟ ହୋଇ ଚାଳକ କାରଟି ଅଟକାଇ ଥିଲେ । ଏ ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଏକ ପଲସର ରେ ଆସି ଚାଳକ ପାଶ୍ୱର ଡୋର ଗ୍ଲାସ ଭାଙ୍ଗି ଦେବା ସହ ଆଗରେ ବସିଥିବା ଲୋକକୁ ବନ୍ଧୁକ ଦେଖାଇଥିଲେ । ପରେ ପରେ ଗାଡିରେ ଥିବା ଟଙ୍କା ବ୍ୟାଗଟି ଲୁଟି ନେଇଥିଲେ । ତେବେ କର୍ମଚାରୀ ଜଣଙ୍କ ପ୍ରତିବାଦ କରିବାରୁ ଦୁର୍ବୃତ୍ତ ଜଣଙ୍କ ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ସେମାନଙ୍କୁ ଭୟଭୀତ କରାଇ ଟଙ୍କା ବ୍ୟାଗଟି ଲୁଟି ନେଇ ଖୋର୍ଦ୍ଧା ଅଭିମୁଖେ ଫେରାର ହୋଇ ଯାଇଥିଲେ । ଖବର ପାଇ ବାଣପୁର ଥାନା ଅଧିକାରୀ, ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲେ ସୁଦ୍ଧା ଲୁଟେରାଙ୍କ ସମ୍ପର୍କରେ କୈାଣସି ସୂଚନା ପାଇ ପାରିନାହାନ୍ତି ।

Leave a Reply

Your email address will not be published. Required fields are marked *