ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ତ୍ରିଦିବସୀୟ ଜାତୀୟ ସମ୍ମିଳନୀ ” ଭାରତୀୟ ଜ୍ଞାନ ପ୍ରଣାଳୀ ଓ ବିକଶିତ ଭାରତ ୨୦୪୭ ” ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଜିତେନ୍ଦ୍ରନାଥ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢୀ ମୁଖ୍ୟ ଅତିଥି ଭାବେ ଏବଂ ଆଞ୍ଚଳିକ ଧନ୍ଦାମୂଳକ ଶିକ୍ଷା ନିର୍ଦ୍ଦେଶକ ଡକ୍ଟର ସୁଶାନ୍ତ ଦାସ ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ I ଅତିଥିମାନେ ନିଜର ବକ୍ତବ୍ୟରେ ଭାରତୀୟ ଜ୍ଞାନ ପ୍ରଣାଳୀର ବିକାଶଧାରା କିପରି ବିବର୍ତ୍ତିତ ହୋଇଚାଲିଛି, ସେ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ I ଅନ୍ୟତମ ଅତିଥି ଭାବେ ସମ୍ମିଳନୀର ଆବାହକ ପ୍ରଫେସର ରାଧାକାନ୍ତ ଭୂୟାଁ ମଞ୍ଚାସୀନ ଥିଲେ I ତିନିଦିନ ବ୍ୟାପୀ ଅନୁଷ୍ଠିତ ସମ୍ମିଳନୀରେ ପଞ୍ଜୀକୃତ ୧୨୨ ଜଣଙ୍କ ମଧ୍ୟରୁ ୧୧୬ ଜଣ ଗବେଷିକା ଗବେଷକ, ଅଧ୍ୟାପିକା ଅଧ୍ୟାପକ ଉଚ୍ଚକୋଟୀର ଗବେଷଣାତ୍ମକ ପ୍ରବନ୍ଧମାନ ପାଠ କରିଥିଲେ I ପ୍ରତ୍ୟେକ ଅଧିବେଶନର ଶେଷ ପର୍ଯ୍ୟାୟରେ ଜିଜ୍ଞାସୁ ଶ୍ରୋତାମାନେ ପ୍ରାବନ୍ଧିକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ନିଜର ସନ୍ଦେହ ମୋଚନ କରିଥିଲେ l ଏହି ଉପଲକ୍ଷେ ପ୍ରକାଶିତ ସ୍ମରଣିକାରେ ପ୍ରବନ୍ଧମାନଙ୍କର ସଂକ୍ଷିପ୍ତସାର, ପରବର୍ତ୍ତୀକାଳରେ ଗବେଷକମାନଙ୍କ ପଥପ୍ରଦର୍ଶକ ହେବ ବୋଲି ଉନ୍ମୋଚକ ଡକ୍ଟର ପାଢୀ ଓ ଡକ୍ଟର ଦାସ ମତ ପ୍ରକାଶ କରିଥିଲେ I ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଜିତେନ୍ଦ୍ରନାଥ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଦିବସରେ ସଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଡିନ୍ ପ୍ରଫେସର ଡକ୍ଟର ସାଗର ମିତ୍ର ମୁଖ୍ୟ ଅତିଥି ଭାବେ, ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡକ୍ଟର ତନ୍ମୟ ବିଶ୍ଵାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ I ଅତିଥିମାନେ ନିଜର ବକ୍ତବ୍ୟରେ କୃଷି ଓ ଚିକିତ୍ସା ବିଜ୍ଞାନର ଅବଦାନ ସମ୍ପର୍କରେ ମନୋଜ୍ଞ ଆଲୋଚନା କରିଥିଲେ I ପରିଶେଷରେ ଅତିଥିମାନେ ଅଂଶଗ୍ରହଣକାରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ l ଏହି ସମ୍ମିଳନୀକୁ ସଫଳ କରିବାରେ ସଂଗଠନ ସମ୍ପାଦକ ଡକ୍ଟର ବିଘ୍ନେଶ୍ୱର ମିଶ୍ରଙ୍କ ଅବଦାନକୁ ଅଧ୍ୟକ୍ଷ ଡକ୍ଟର ପଟ୍ଟନାୟକ ଭୂୟସୀ ପ୍ରଶଂସା କରିଥିଲେ I ମହାବିଦ୍ୟାଳୟର “ଆନ୍ତଃ ଗୁଣବତ୍ତା ଆଶ୍ୱସନା ପ୍ରକୋଷ୍ଠ” ଏପରି ଏକ ମନୋରମ ସମ୍ମିଳନୀର ଆୟୋଜନ କରିଥିବାରୁ, ଅଂଶ ଗ୍ରହଣକାରୀମାନେ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ଏବଂ ପ୍ରକୋଷ୍ଠର ସମସ୍ତ ସଦସ୍ୟମାନଙ୍କୁ ସାଧୁବାଦ ଜଣାଇଥିଲେ I ଆନ୍ତଃ ଗୁଣବତ୍ତା ଆଶ୍ୱସନା ପ୍ରକୋଷ୍ଠର ସଦସ୍ୟ ଡକ୍ଟର ବିଶ୍ୱ ରଞ୍ଜନ ସାହୁ, ଡକ୍ଟର ପ୍ରିୟବ୍ରତ ଶତପଥୀ, ଡକ୍ଟର ପରମାନନ୍ଦ ଜେନା ଡକ୍ଟର ଦିବାକର ବାଉରୀ, ଡକ୍ଟର ରାଜଲକ୍ଷ୍ମୀ ପଣ୍ଡା ଆଦି ସମ୍ମିଳନୀକୁ ସଫଳ କରିବାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ l ପଦାର୍ଥ ବିଜ୍ଞାନ ବିଭାଗର ବିଭାଗମୁଖ୍ୟ ଡକ୍ଟର ନିବେଦିତା ସାସମଲ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଇଂରାଜୀ ବିଭାଗର ବିଭାଗମୁଖ୍ୟ ଡକ୍ଟର ବିଶ୍ୱ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ ଜାତୀୟ ସମ୍ମିଳନୀ ଅନୁଷ୍ଠିତ !!!

