ବ୍ୟୁରୋ ରିପୋର୍ଟ ( ଆୱାଜ ମିଡ଼ିଆ ) – କୋଇଲା ଖାଦାନ ଆବଣ୍ଟନ ମାମଲାରେ ଅନିୟମିତତା ନିମନ୍ତେ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲିପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରି ତିନି ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ଅଦାଲତ । ଏହି ମାମଲାରେ ଜଡିତ ଅନ୍ୟ ଦୁଇ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମଙ୍କୁ ମଧ୍ୟ ସିବିଆଇର ସ୍ୱତନ୍ତ୍ର ଅଦାଲତ ୩ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ପୂର୍ବରୁ ଦଣ୍ଡ ଘୋଷଣା ନେଇ ସମୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ କୌଣସି କାରଣ ଯୋଗୁ ଅଦାଲତ ଆଜି ଏହା ଘୋଷଣା କରିବେ ବୋଲି ପୁନର୍ବାର ଘୋଷଣା କରିଥିଲେ । ସୂଚନା ଯୋଗ୍ୟ ଏହି ମାମଲାରେ ସିବିଆଇ ଦିଲୀପ ରାୟଙ୍କୁ ଆଜୀବନ କାରାବାସ ପ୍ରଦାନ କରାଯିବା ନିମନ୍ତେ ସ୍ୱତନ୍ତ୍ର ଅଦାଲତରେ ସିବିଆଇ ଯୁକ୍ତି ବାଢ଼ିଥିଲା ।
ଅନ୍ୟପକ୍ଷରେ ଦିଲିପଙ୍କ ଓକିଲ ତାଙ୍କର ବୟସ ଓ ପୂର୍ବର ଉତ୍ତମ ଛବିକୁ ଦୃଷ୍ଟିରେ ରଖି ଦଣ୍ଡ ବିଧାନ କୋହଳ କରିବାକୁ ଅଦାଲତରେ ଅନୁରୋଧ କରିଥିଲେ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସ୍ବତନ୍ତ୍ର ଅଦାଲତର ବିଚାରପତି ଭରତ ପରାଶର ଦଣ୍ଡାଦେଶ ଅକ୍ଟୋବର ୨୬ରେ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ୧୯୯୯ ମସିହାର କୋଇଲା ଦୁର୍ନୀତି ମାମଲାରେ ଦିଲୀପଙ୍କ ସହ କୋଇଲା ମନ୍ତ୍ରାଳୟରେ ଥିବା ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମଙ୍କୁ ଅଦାଲତ ପୂର୍ବରୁ ଦୋଷୀ ସାବ୍ୟସ୍ତ କରିଥିଲେ । ସେହିପରି କାଷ୍ଟନ୍ ଟେକନୋଲୋଜି ଲିମିଟେଡ୍, ଏହାର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରଓ୍ୱାଲ ଏବଂ କାଷ୍ଟନ୍ ମାଇନିଂ ଲିମିଟେଡକୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ତେବେ ଦଣ୍ଡାଦେଶ ପ୍ରଦାନ ପରେ ସମସ୍ତଙ୍କର ଜାମିନ ଆବେଦନର ଶୁଣାଣୀ କରି ମାନ୍ୟବର ଅଦାଲତ ଜାମିନ ମଂଜୁର କରିଥିବାର ସୂଚନା ମିଳିଛି .