କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଏକ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରି ବାଙ୍କୀ ପୁଲିସ ଜେଲ ପଠାଇବା ଘଟଣା ପରେ ବାଙ୍କୀ ରେ ବଢିଥିଲା ରାଜନୈତିକ ଉଷ୍ମତା . ବାଙ୍କୀ ନିର୍ବାଚନ ମଣ୍ଡଳୀ ଘୋଳପୁର ଗ୍ରାମର ଗୋବିନ୍ଦ ବେହେରା ନାମକ ବ୍ୟକ୍ତି ଙ୍କୁ ଅତି ବୀଭତ୍ସ ଭାବରେ ହତ୍ୟା କରାଯାଇଥିଲା . ପରିବାର ଲୋକଙ୍କ ଏତଲା କ୍ରମେ ବାଙ୍କୀ ପୁଲିସ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା , ତେବେ ଶାସକ ଦଳର ଆଗଧାଡିର କର୍ମୀ ଗତିକୃଷ୍ଣଙ୍କୁ ଗିରଫ କରିବା ପରେ ବାଙ୍କୀ ବିଜେଡି ତରଫରୁ ପୁଲିସ କୁ ସିଧା ସଳଖ ବିରୋଧ କରାଯାଇଥିଲା . ଏପରିକି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଆବାହକତ୍ୱରେ ଦଳୀୟ କାର୍ଯ୍ୟାଳୟରେ ବୈଠକ କରାଯାଇ ବାଙ୍କୀ ପୁଲିସ ଓ ପ୍ରଶାସନର ର କାମକୁ ଆଙ୍ଗୁଠି ଦେଖାଇଥିଲେ ଦଳୀୟ କର୍ମୀ ଓ ନେତା . ତେବେ ସଂପୂର୍ଣ୍ଣ ଘଟଣା ବିଚାରାଧୀନ ଥିବାରୁ ଏ ସଂକ୍ରାନ୍ତରେ କୌଣସି ମତ ଦେଇ ନଥିଲା ବାଙ୍କୀ ପୁଲିସ . କିନ୍ତୁ ଶାସକ ଦଳର ନେତାଙ୍କର ଅସନ୍ତୋଷର ପ୍ରତିଫଳନ ଦେଖିବାକୁ ମିଳିଛି କଟକ ଜିଲ୍ଲା ପୁଲିସର ବଦଳି ତାଲିକାରେ . ବାଙ୍କୀ ଥାନାରେ କାର୍ଯ୍ୟରତ ଆଇଆଇସି ସମୀର ରଞ୍ଜନ ପଣ୍ଡାଙ୍କୁ ଗୁରୁଡୁଝାଟିଆ ବଦଳି କରାଯାଇଥିବା ସମୟରେ ନୂତନ ଆଇଆଇସି ଭାବରେ ଦେବେନ୍ଦ୍ର କୁମାର ମଲ୍ଲିକଙ୍କୁ ବାଙ୍କୀ ଥାନାକୁ ବଦଳି ଆଦେଶ ହୋଇଛି . ତେବେ ହତ୍ୟାକାଣ୍ଡ ପରି ଏକ ସ୍ପର୍ଶକାତର ଘଟଣାର ତଦନ୍ତ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ହଠାତ ଅନ୍ୟତ୍ର ବଦଳି ଘଟଣା ନେଇ ସମଗ୍ର ବାଙ୍କୀ ରେ ସୃଷ୍ଟି ହୋଇଛି ଚାପା ଗୁଞ୍ଜରଣ . ସୂଚନା ଯୋଗ୍ୟ ଯେ , ଗତ ଫ୍ରେବୁଆରି ୧୫ ତାରିଖରେ ବାଙ୍କୀ ଥାନା ଜୋକଲାଞ୍ଜି ଠାରେ ଖଜୁରୀପଦା ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଏବଂ କାର୍ଯ୍ୟରତ ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କ ହତ୍ୟା ଘଟଣାରେ ଶାସକ ଦଳର ବହୁ କର୍ମୀ ଗିରଫ ହୋଇ ବାଙ୍କୀ ଜେଲ ରେ ବିଚାର ବିଭାଗୀୟ ବନ୍ଦୀ ଭାବରେ ରହିଛନ୍ତି . ତେବେ ଉକ୍ତ କେଶ ର ତଦନ୍ତକାରୀ ଅଧିକାରୀ ତଥା ବାଙ୍କୀ ଏସ୍ଡ଼ିପିଓ ଏବଂ ଅଭିଯୁକ୍ତ ମାନଙ୍କୁ ଧରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବୈଦେଶ୍ଵର ଥାନା ଅଧିକାରୀଙ୍କୁ ମଧ୍ୟ ବଦଳି କରାଯାଇଥିଲା . ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଘଟଣାରେ ଶାସକ ଦଳର ନେତା ଏବଂ କର୍ମୀ ପ୍ରଭାବ ପକାଇ ପୁଲିସ କୁ ଚାପଗ୍ରସ୍ତ କରୁଥିବାର ଅଭିଯୋଗ ବାରମ୍ବାର ସାଧାରଣ ଲୋକେ ଆଣୁଛନ୍ତି . ଅନ୍ୟ ପକ୍ଷରେ ବିଭାଗୀୟ ଅଧିକାରୀ ନେତାଙ୍କ ମାନଭଞ୍ଜନ ପାଇଁ ଦକ୍ଷ ଓ ସଚୋଟ କର୍ମଚାରୀଙ୍କୁ କରୁଛନ୍ତି ବଦଳି .