ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଥମୁନି ବିବାଦ , ଦୂର ହେଉନି ସନ୍ଦେହରେ କୁହେଳୀ . ନୟାଗଡ ଯଦୁପୁର ନାବାଳିକା ହତ୍ୟା ଘଟଣା ନେଇ ତଥାପି ଲାଗି ରହିଛି ସସ୍ପେନସ . ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ର ଏସଆଇଟି ତଦନ୍ତ କରି ଅପହରଣ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ସେହି ଗ୍ରାମର ସରୋଜ ସେଠୀ ନାମକ ଯୁବକକୁ ଗିରଫ କରିଛି . ସଂପୂର୍ଣ୍ଣ ଘଟଣା ଓ ତଦନ୍ତ ସମ୍ପର୍କରେ ଏସଆଇଟି ମୁଖ୍ୟ ପ୍ରେସ ମିଟ ରେ ସୂଚନା ମଧ୍ୟ ଦେଲେଣି . ହେଲେ ଏକଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଗିରଫ ହୋଇଥିବା ଯୁବକ ସରୋଜ ସେଠୀଙ୍କ ପରିବାର ଲୋକେ . ଗଣମାଧ୍ୟମ ଆଗରେ ସରୋଜଙ୍କ ମା ଏବଂ ବଡ ଭଉଣୀ ପ୍ରକାଶ କରିଛନ୍ତି ଏସଆଇଟି ର ଗୁମର ତଥା – “ବିନା ଦୋଷରେ ମୋ ପୁଅକୁ ଏସ୍ଆଇଟି ଗିରଫ କରିଛି । ମୋ ପୁଅ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ମାଡ଼ କରି ତାକୁ ଦୋଷ ସ୍ୱୀକାର କରିବାକୁ ବାଧ୍ୟ କରାଯାଉଛି। ” ଏପରି ସଙ୍ଗୀନ ଅଭିଯୋଗ ଆଣି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ନୟାଗଡ଼ ସଦର ଥାନାରେ ଏତଲା ଦେଇଛନ୍ତି ସରୋଜ ସେଠୀଙ୍କ ମା ଶୈଳବାଳା ସେଠୀ । ଅରୁଣ ବୋଥ୍ରା ପୁଅକୁ ମାଡ଼ ମାରି ପରୀ କେସ୍ରେ ଫସାଇ ଦେଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି । ଏଥିସହ ମାଡ଼ ମାରି ମିଥ୍ୟା ଡେମୋ ଦେଖାଇବାକୁ ପୁଅକୁ ବାଧ୍ୟ କରିଥିବା ଏବଂ ତାକୁ ଗାଳି ଗୁଳଜ କରାଯାଇଥିବା ମଧ୍ୟ ସେ ଅଭିଯୋଗରେ ଦର୍ଶାଇଛନ୍ତି । ସରୋଜଙ୍କ ମା’ କହିଛନ୍ତି, ଗତକାଲି ଡେମୋ ଦେଖାଇବାକୁ ପୁଅକୁ ଘରୁ ଆଣିଥିଲେ। ମାତ୍ର ସେ ଚିତ୍କାର କରି ନିର୍ଦ୍ଦୋଷ ବୋଲି କହିବାରୁ ତାକୁ ନେଇଗଲେ । ସେମାନେ ମୋ ପୁଅକୁ କହିଥିଲେ ଯେ ତୁ ଗରୀବ । ତୋର ବାପା ନାହାନ୍ତି । ୫ ଲକ୍ଷ ନେଇ ମାନିଯା । ସରୋଜ ତାଙ୍କ କଥାରେ ରାଜି ନହେବାରୁ ମନଗଢା କାହାଣୀ କହି ତଦନ୍ତକୁ ବାଟବଣା କରୁଥିବାର ଅଭିଯୋଗ କରିଛନ୍ତି ସରୋଜଙ୍କ ମା . ପରୀ ଘଟଣାକୁ ନେଇ ବିଭିନ୍ନ ମହଲରୁ ଦୃଢ ଦାବୀ ସହ ଦିନକୁ ଦିନ ଚାପ ବଢ଼ୁଥିବାରୁ ଏହାକୁ ରଫାଦଫା କରିବା ପାଇଁ ଏହା ଏସଆଇଟି ର ପ୍ରାୟୋଜିତ ଡ୍ରାମା ବୋଲି ଅଭିଯୋଗ କରିଛନ୍ତି ସରୋଜଙ୍କ ପରିବାର ଲୋକେ .